ଭାରତର ବୋଲିଂ ପ୍ରଶିକ୍ଷକ ହେବାକୁ ଅଖ୍‌ତର ଆଗ୍ରହୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ବୋଲିଂ ପ୍ରଶିକ୍ଷକ ହେବାକୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଆଗ୍ରହୀ ଅଛନ୍ତି। ଯଦି ଭାରତର ବୋଲିଂ ପ୍ରଶିକ୍ଷକ ହେବା ଲାଗି ପ୍ରସ୍ତାବ ଆସେ ତେବେ ମୁଁ ଆଗ୍ରହ ସହ ଏହାକୁ ଗ୍ରହଣ କରିବି। ଅଧିକ ଅ‌ାକ୍ରମଣାତ୍ମକ, ଦ୍ରୁତ ଓ କୁହାଳିଆ ବୋଲର ଗଢ଼ିବାକୁ ସାମର୍ଥ୍ୟ ରଖିଛି ବୋଲି ସାମାଜିକ ନେଟୱାର୍କିଂ ଆପ୍‌ ‘ହେଲୋ’ରେ ଏକ ସାକ୍ଷାତକାରରେ ଅଖତର ପ୍ରକାଶ କରିଥିଲେ। ଭବିଷ୍ୟତରେ ଭାରତୀୟ ବୋଲିଂ ୟୁନିଟ୍ ସହ ଜଡ଼ିତ ହେବାକୁ ଚାହୁଁଛନ୍ତି କି ବୋଲି ପଚରାଯିବାରୁ ସେ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ। ସଂପ୍ରତି ଭାରତର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଅଛନ୍ତି।

ମୁଁ ନିଶ୍ଚିତ କରିବି। ମୋର କାମ ହେଉଛି ଜ୍ଞାନ ବାଣ୍ଟିବା। ମୁଁ ଯାହା ଶିଖିଛି ତାହା ହେଉଛି ଜ୍ଞାନ ଏବଂ ଏହାକୁ ବାଣ୍ଟିବି ବୋଲି ଅଖତର କହିଛନ୍ତି। ମୁଁ ବର୍ତ୍ତମାନର ଖେଳାଳିଙ୍କୁ ଅଧିକ ଆକ୍ରମଣାତ୍ମକ, ଦ୍ରୁତ ଏବଂ କୁହାଳିଆ ବୋଲର ଭାବେ ଗଢ଼ିବି। ଏମା‌ନେ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଆହ୍ବାନ ଦେବା ସହ ଉପଭୋଗ କରିପାରିବେ ବୋଲି ଅଖ୍‌ତର କହିଛନ୍ତି। ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଖେଳିଥିବା ଅଖ୍‌ତର କୋଲ୍‌କାତା ନାଇଟ୍‌ ରାଇଡର୍ସର ପ୍ରଶିକ୍ଷକ ହେବାକୁ ଆଗ୍ରହୀ ଥିବା ମଧ୍ୟ କହିଛନ୍ତି। ୧୯୯୮ ଶୃଙ୍ଖଳା ବେଳେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ସହ ବାର୍ତ୍ତାଳାପ ବିଷୟରେ ସେ କହିଥିଲେ ଯେ ମୁଁ ତାଙ୍କୁ ଦେଖିଥିଲି କିନ୍ତୁ ଭାରତରେ ସେ ଏତେ ଲୋକପ୍ରିୟ ବ୍ୟକ୍ତି ବୋଲି ଜାଣି ନଥିଲି। ଚେନ୍ନାଇରେ ଜାଣିବାକୁ ପାଇଲି ଯେ ତାଙ୍କୁ ଭାରତରେ ଇଶ୍ବର ଭାବେ ପୂଜା କରନ୍ତି। ମନେରଖନ୍ତୁ, ସେ ମୋର ଜଣେ ବହୁତ ଭଲ ବନ୍ଧୁ। ଭାରତରେ ମଧ୍ୟ‌ ମୋର ପ୍ରଶଂସକ ଅଛନ୍ତି ବୋଲି ଅଖ୍‌ତାର କହିଛନ୍ତି।

ସମ୍ବନ୍ଧିତ ଖବର