ଫୈସଲାବାଦ୍ ଟେଷ୍ଟ୍‌ ଲଢ଼େଇକୁ ମନେପକାଇଲେ ଅଖତର ‘ଲଗାତାର ବାଉଁସର ପକାଇ ସଚିନଙ୍କୁ ଅସୁବିଧାରେ ପକାଇଥିଲି’

ଲାହୋର: ବଲ୍ ଓ ବ୍ୟାଟ୍‌ର ଲଢ଼େଇ କଥା ଆସିଲେ ଆପଣାଛାଏଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତରଙ୍କ ପଡ଼ିଆ ଭିତର ପ୍ରତିଦ୍ବନ୍ଦ୍ବିତା ମନକୁ ଚାଲି ଆସିଥାଏ। ସଚିନ କ୍ରିକେଟ୍ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ହେଉଥିଲା ବେଳେ ନିଜ ଖେଳ ଜୀବନରେ ଗ୍ଲେନ୍ ମ୍ୟାଗ୍ରା, ସେନ୍ ୱର୍ନ, ୱାକର ୟୁନିସ, ୱାସିମ ଆକ୍ରମ, ମୁଥିୟା ମୁରଲୀଧରନଙ୍କ ଭଳି ମହାନ ବୋଲରଙ୍କୁ ସମ୍ମୁଖୀନ ହୋଇଛନ୍ତି। ହେଲେ ସଚିନ-ଅଖତରଙ୍କ ପ୍ରତିଦ୍ବନ୍ଦ୍ବିତାକୁ ସମ୍ଭବତଃ ପ୍ରଶଂସକ ଓ କ୍ରିକେଟ୍ ଦୁନିଆ ଅଧିକ ଗୁରୁତ୍ବ ଦେଇ ଆସିଛି। କ୍ରିକ୍ ଇନ୍‌ଫୋ ଭିଡିଓ ଗ୍ରାଫ୍ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କୁ ସାକ୍ଷାତକାର ଦେଇ ଅଖତର ମଧ୍ୟ ସଚିନଙ୍କ ସହ ହୋଇଥିବା କେତେକ ପୁରୁଣା ତଥା ସ୍ମରଣୀୟ ଲଢ଼େଇକୁ ମନେ ପକାଇଛନ୍ତି। ତେବେ ସଚିନଙ୍କ ପ୍ରତି ତାଙ୍କ ମନରେ ସେତେବେଳେ ଓ ଆଜି ଯଥେଷ୍ଟ ସମ୍ମାନ ଅଛି ବୋଲି ଅଖତର ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି।

‘‘ଜଣେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ମୋ ସହ କଥା ହୁଅନ୍ତିନି, ହେଲେ ସଚିନ ମୋ ସହ କଥା ହୋଇ ମଧ୍ୟ କେବେ ବି ଏକାଗ୍ରତା ହରାଇ ନଥାଆନ୍ତି। ଲୋକମାନେ କୁହନ୍ତି ସଚିନ ଓ ମୁଁ ପରସ୍ପର ସହ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରୁଥିଲୁ। ହେଲେ ଆମେ କେବେ ବି ପରସ୍ପରକୁ ଅସମ୍ମାନ କରି ନଥିଲୁ। ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଭାବେ ମୁଁ ତାଙ୍କୁ ବହୁତ ସମ୍ମାନ କରୁଥିଲି। ସେ ମଧ୍ୟ ମୋତେ ଜଣେ ସଚ୍ଚା ଯୋଦ୍ଧା ଭାବେ ଦେଖୁଥିଲେ। ୨୦୦୬ ମସିହା ଫୈସଲାବାଦ୍ ଟେଷ୍ଟ୍‌ରେ କିନ୍ତୁ ମୁଁ ସଚିନଙ୍କୁ ବହୁ ଅସୁବିଧାରେ ପକାଇଥିଲି। ସଚିନଙ୍କ ରୂପରେ ଆମ ପାଇଁ ଥିବା ବିପଦକୁ ଟାଳିବା ଲାଗି ମୁଁ ନିୟମିତ ଯୋଜନା କରୁଥିଲି। ମୁଁ ମଧ୍ୟ ଆଗୁଆ ସଚିନଙ୍କ କେଉଁ ଅଙ୍ଗରେ ଆଘାତ ଲାଗିଛି, ସେହି ସୂଚନା ରଖୁଥିଲି ଏବଂ ତଦନୁଯାୟୀ ବୋଲିଂ କରୁଥିଲି। ଫୈସଲାବାଦ୍ ଟେଷ୍ଟ୍ ପୂର୍ବରୁ ସଚିନଙ୍କ ଟେନିସ୍ ଏଲ୍‌ବୋରେ ଆଘାତ ଲାଗିଥିଲା। ଏଣୁ ସେ ପୁଲ୍‌ କିମ୍ବା ହୁକ୍ କରି ପାରିବେ ନାହିଁ ବୋଲି ମୁଁ ଭଲ ଭାବରେ ଜାଣିଥିଲି। ସେଥିପାଇଁ ଲଗାତାର ବାଉଁସର ପକାଇ ତାଙ୍କୁ ପ୍ରଥମ ପାଳିରେ ମାତ୍ର ୧୪ ରନ୍‌ରେ ଆଉଟ୍ କରି ଦେଇଥିଲି’’ ବୋଲି ଅଖତର ସେହି ପୁରୁଣା ସ୍ମୃତି ରୋମନ୍ଥନ କରି କହିଥିଲେ। ଅନ୍ୟପକ୍ଷରେ ଟେଷ୍ଟ୍ କ୍ରିକେଟ୍‌କୁ ଅଧିକ ଗୁରୁତ୍ବ ଦେବାକୁ ଯୁବ ପିଢ଼ିକୁ ଆହ୍ବାନ କରିଥିଲେ। ପ୍ରଶଂସକଙ୍କ ମନରେ କେବଳ ଟେଷ୍ଟ୍ ଲଢ଼େଇ ହିଁ ଅଧିକ ଦିନ ମନେ ରହେ। ମାତ୍ରାଧିକ ‌ଟ୍ବେଣ୍ଟି-୨୦ ନଖେଳି, ଟେଷ୍ଟ୍ କ୍ରିକେଟ୍ ପ୍ରତି ମଧ୍ୟ ଆଗ୍ରହ ଦେଖାଇବାକୁ ସେ ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର