କୋହଲିଙ୍କୁ ଆଉଟ୍ କରିବାର କୌଶଳ ବଖାଣିଲେ ଅଖତର

ସର୍ଟବଲ୍‌ ପାଇଁ ବିକଳ୍ପ ବାହାର କରିଥିଲେ ସଚିନ: ପୋଲକ୍‌

ନୂଆଦିଲ୍ଲୀ: ଯଦି ବିରାଟ କୋହଲିଙ୍କୁ ବୋଲିଂ କରିବାକୁ ପଡ଼େ ତାହେଲେ ତାଙ୍କୁ କିପରି ଆଉଟ୍ କରିହେବ, ସେ ବିଷୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ରେ ଏକ କୌଶଳ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ଅଧିନାୟକ କୋହଲି ଏବେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣା ହେଉଛନ୍ତି। ଏପରିକି ଯେକୌଣସି ଫର୍ମାଟ୍‌ ହେଲେ ବି ଲମ୍ବା ଓ ମ୍ୟାଚ୍ ବିଜୟୀ ପାଳି ଖେଳିବାର ଦକ୍ଷତା ତାଙ୍କ ଭିତରେ ଭରି ରହିଛି। ଅନେକ ବୋଲର ତାଙ୍କୁ ଆଉଟ୍‌ କରିବାର କୌଶଳରେ ବିଫଳ ହୋଇଥାନ୍ତି। ଯେଉଁଥିପାଇଁ କୋହଲି ୪୩ ଦିନିକିଆ ଓ ୨୭ ଟେଷ୍ଟ୍ ଶତକ ଅର୍ଜନ କରିପାରିଛନ୍ତି। କିନ୍ତୁ ପାକିସ୍ତାନର ଏହି କିମ୍ବଦନ୍ତୀ ବୋଲରଙ୍କ ପାଖରେ କୋହଲିଙ୍କୁ ଆଉଟ୍ କରିବା ପାଇଁ ଉପାୟ ରହିଥିବା ସେ ଦାବି କରିଛନ୍ତି।

‌ସୋଏବଙ୍କ କହିବା ଅନୁସାରେ, ଯଦି ସେ ବୋଲିଂ କରିବାକୁ ଆସନ୍ତି, ତାହେଲେ ବଲ୍‌ ସିଧା ପକାଇବା ବଦଳରେ କ୍ରିଜ୍‌ଠୁ ଦୂରରେ ରହି ପକାଇବେ। ବଲ୍‌ ସିଧାସଳଖ କୋହଲଙ୍କ ସମ୍ମୁଖରେ ପିଚ୍‌ ହେଉଥିବାବେଳେ ଏହାର ମୁହଁକୁ ବାହାରକୁ ଯିବା ଭଳି ରଖିବାକୁ ପଡ଼ିବ। ଯାହାଫଳରେ କୋହଲି ଡ୍ରାଇଭ୍‌ କରିବାକୁ ଯିବେ ଓ ଆଉଟ୍ ହେବାର ସମ୍ଭାବନା ରହିବ। ଯଦି ଏହି ରଣନୀତି କାମ ନକରେ, ତାହେଲେ କୋହଲିଙ୍କୁ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ବଲ୍‌ ପକାଇଲେ ସେ ଆଉଟ୍ ହୋଇଯିବେ ବୋଲି ସୋଏବ ଦାବି କରିଛନ୍ତି। ଅଖତର ପାକିସ୍ତାନ ପାଇଁ ୪୬ ଟେଷ୍ଟ୍ ଖେଳିଥିଲାବେଳେ ୨୫.୬୯ ହାରରେ ୧୭୮ ୱିକେଟ୍ ନେଇଛନ୍ତି। ଏଥିସହିତ ୧୬୩ ଦିନିକିଆରୁ ୨୪.୯୭ ହାରରେ ୨୪୭ ୱିକେଟ୍ ପାଇଛନ୍ତି।

ନୂଆଦିଲ୍ଲୀ: ସଚିନ ଦିନେ କହିଥିଲେ ଅଷ୍ଟ୍ରେଲିଆରେ ଆଉ ସର୍ଟ ବଲ୍‌କୁ ଖେଳିପାରିବେ ନାହିଁ, କିନ୍ତୁ ପରବର୍ତୀ ସମୟରେ ସେ ଏହାକୁ ଭଲ ମୁକାବିଲା କରିଥିଲେ। ଏଭଳି କଥା କହିଛନ୍ତି ଦକ୍ଷିଣ ଆଫ୍ରିକାର ମହାନ ବୋଲିଂ ଅଲରାଉଣ୍ଡର୍‌ ସନ୍ ପୋଲକ। ଦକ୍ଷିଣ ଆଫ୍ରିକା ପାଇଁ ୧୦୮ ଟେଷ୍ଟ୍ ଏବଂ ୩୦୩ ଦିନିକିଆ ଅନ୍ତର୍ଜାତୀୟ ଖେଳି ଯଥାକ୍ରମେ ୩୯୩ ଓ ୪୨୧ ୱିକେଟ୍ ନେଇଥିଲେ ପୋଲକ। ସଚିନ ତେନ୍ଦୁଲକରଙ୍କ ୱିକେଟ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳକୁ କିଭଳି ଯୋଜନା କରିବାକୁ ପଡୁଥିଲା ଏବଂ ଏଥିପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡୁଥିଲା ତାହା ମଧ୍ୟ ପୋଲକ ଦର୍ଶାଇଥିଲେ। ସଚିନ ଭୁଲ୍ କରିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡୁଥିଲା। ତାଙ୍କ ନିକଟରେ ଖୁବ୍ କ୍ବଚିତ ଦୁର୍ବଳତା ଥିଲା। ଦ୍ରୁତ ବୋଲରଙ୍କ କଚ୍ଚା ଗତି ହେଉ କି ସୁଇଙ୍ଗ ସବୁଗୁଡିକୁ ସେ ସହଜରେ ମୁକାବିଲା କରି ନେଉଥିଲେ। ସ୍ପିନକୁ ସେ ମଧ୍ୟ ଭଲ ଖେଳୁଥିଲେ ଏବଂ ଆବଶ୍ୟକତା ଅନୁସାରେ ଆକ୍ରମଣ କରୁଥିଲେ। ଦିନିକିଆରେ ୧୮,୦୦୦ ଏବଂ ଟେଷ୍ଟ୍‌ରେ ୧୬,୦୦୦ରୁ ଊର୍ଧ୍ବ ରନ୍‌ କରି ସଚିନ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ବୋଲି ପୋଲକ୍ ପ୍ରକାଶ କରିଛନ୍ତି। କିନ୍ତୁ ଏହି ମହାନ ବ୍ୟାଟ୍‌ସମ୍ୟାନ୍ ନିଜର ଦୁର୍ବଳତା ସମୟରେ ଦିନେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ପ୍ରମୁଖ ଅଲରାଉଣ୍ଡର୍‌ ସନ୍ ପୋଲକଙ୍କ ଆଗରେ ଏକ ମନଖୋଲା କଥା କହିଥିଲେ। ସେ ଆଉ ଅଷ୍ଟ୍ରେଲିଆରେ ସର୍ଟ ବଲ୍‌ ଖେଳିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ସେ ଏଭଳି ବଲ୍‌କୁ ସ୍ଲିପ୍ କିମ୍ବା ୱିକେଟ୍‌ରକ୍ଷକ ଉପରେ ମାରିବାକୁ ଚେଷ୍ଟା କରିବେ ବୋଲି ବି କହିଥିଲେ। ତଥାପି ସଚିନ ଏଭଳି ସର୍ଟ ବଲ୍‌କୁ ମୁକାବିଲା କରିବା ଲାଗି ବାଟ ବାହାର କରି ନେଇଥିଲେ ବୋଲି ପୋଲକ୍ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ମଧ୍ୟ ସଚିନଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ବୈଷୟିକ ଦୃଷ୍ଟି କୋଣରୁ ସଚିନ ସବୁଠୁ ଦକ୍ଷତାସମ୍ପନ୍ନ। ତାଙ୍କ ବ୍ୟାଟିଂରେ ଦୁର୍ବଳତା ନ ଥିଲା, ପ୍ରତିପକ୍ଷ ଦଳ ତାଙ୍କ ଭୁଲକୁ ଅପେକ୍ଷାକୁ କରୁଥିଲେ ବୋଲି କ୍ଲାର୍କ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର