ଭଜିଙ୍କ ସହ ଝଗଡ଼ା କରିବାକୁ ହୋଟେଲ୍‌ ରୁମ୍‌କୁ ଯାଇଥିଲେ ଅଖତର୍‌

ନୂଆଦିଲ୍ଲୀ: ୧୦ ବର୍ଷ ତଳେ ଏଭଳି ଏକ ଘଟଣା ଘଟିଥିଲା ଭାରତୀୟ ସ୍ପିନର୍‌ ହରଭଜନ ସିଂହଙ୍କ ସହ ଝଗଡ଼ା କରିବାକୁ ମୁଁ ତାଙ୍କ ହୋଟେଲ୍‌ ରୁମ୍‌ରେ ପହଞ୍ଚିଯାଇଥିଲି। ମୁଁ ଆସୁଥିବା କଥା ଜାଣି‌ ସେ‌ କେଉଁଆଡେ ପଳାଇଥିଲେ, ପରଦିନ ସକାଳେ ମୋତେ କ୍ଷମା ମାଗି ନେଇଥିଲେ ଏବଂ ମୁଁ ଶାନ୍ତ ହୋଇଯାଇଥିଲି ବୋଲି କହିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ସୋଏବ୍‌ ଅଖତର। ଘଟଣାଟି ଘଟିଥିଲା ଦାମ୍ବୁଲାରେ ଖେଳାଯାଇଥିବା ୨୦୧୦ ଏସିଆ କପ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ପରେ। ଭାରତକୁ ୨ ବଲ୍‌ରୁ ୩ ରନ୍ ଆବଶ୍ୟକ ଥିବା ବେଳେ ମହମ୍ମଦ ଆମିରଙ୍କୁ ଛକା ମାରି ହରଭଜନ ମ୍ୟାଚ୍‌ ଶେଷ କରିଥିଲେ।

ପ୍ରବୀଣ କୁମାରଙ୍କୁ କ୍ରିଜ୍ ମଝିରେ ଆଲିଙ୍ଗନ କରୁଥିବା ବେଳେ ଦୁଇ ବାହୁକୁ ଉପରକୁ ଉଠାଇ ହରଭଜନ ଗର୍ଜି ଉଠିଥିଲେ। କେବଳ ବିଜୟର ଖୁସି ନୁହେଁ, ପୂର୍ବ ଓଭରରେ ସୋଏବ ଅଖତରଙ୍କ ସହ ହୋଇଥିବା ମୁହାଁମୁହିଁ ପରିସ୍ଥିତି ପାଇଁ ହିଁ ଭଜି ଏଭଳି ଉତ୍ତେଜିତ ହୋଇଉଠିଥିଲେ। ପୂର୍ବ ଓଭରରେ ଅଖତରଙ୍କୁ ମଧ୍ୟ ଭଜି ଲଙ୍ଗ୍ ଅନ୍‌ ଉପରେ ଏକ ଛକା ମାରିଥିଲେ। ହରଭଜନଙ୍କ ଉପରକୁ ଗୋଟିଏ ଦୁଇଟି ବାଉଁସର ଫିଙ୍ଗିଥିବାରୁ ସେ ଏହାର ମଧୁର ପ୍ରତିଶୋଧ ନେଇଥିଲେ। ଉଭୟଙ୍କ ମଧ୍ୟରେ ବାକ୍ୟ ବିନିମୟ ମଧ୍ୟ ହୋଇଥିଲା। ଭଜି କିନ୍ତୁ ୧୧ ବଲ୍‌ରୁ ୧୫* ରନ୍ କରି ଭାରତକୁ ୩ ୱିକେଟ୍‌ରେ ରୋମାଞ୍ଚକ ବିଜୟ ଦେଇଥିଲେ। ଶନିବାର ଅଖତର ନିଜର ଏହି ପୁରୁଣା ଦିନ କଥାକୁ ମନେ ପକାଇ କହିଥିଲେ, ‘ମୁଁ ରାଗି ଯାଇଥିଲି। ଭାବିଥିଲି ସେ ଆମ ସହ ଖାଉଛି, ଲାହୋରରେ ବୁଲୁଛି, ସେ ଜଣେ ପଞ୍ଜାବୀ ଭାଇ, ଆମ ସଂସ୍କୃତି ସମାନ, କିନ୍ତୁ ସେ କିଭଳି ଏ‌ଭଳି ଖରାପ ବ୍ୟବହାର କରିପାରିବେ? ଏକଥା ଭାବି ପାରିନଥିଲି ବୋଲି ଅଖତର ପ୍ରକାଶ କରିଥିଲେ। ଅତୀତରେ ହରଭଜନ ମଧ୍ୟ ସ୍ବୀକାର କରିଥିଲେ ଅଖତର ତାଙ୍କୁ ଧମକାଇବାକୁ‌ ହୋଟେଲ୍‌ ରୁମ୍‌କୁ ଆସିଥିଲେ। ହେଲେ ଦୁଇ ଜଣଙ୍କ ମଧ୍ୟରେ ଭଲ ବଂଧୁତା ଥିବା କଥା ମଧ୍ୟ ସମସ୍ତଙ୍କୁ ଜଣାଅଛି।

ସମ୍ବନ୍ଧିତ ଖବର