କୁମ୍ବଲେଙ୍କ ୧୦ ୱିକେଟ୍‌ କୀର୍ତ୍ତିମାନକୁ ରୋକି ପାରି ନଥିଲେ ଆକ୍ରମ

ନୂଆଦିଲ୍ଲୀ: ୧୯୯୯ ମସିହାରେ ସ୍ଥାନୀୟ ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମ୍‌ରେ ଭାରତୀୟ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ ଇତିହାସ ରଚିଥିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତ ଏହି ପଡ଼ିଆରେ ଦ୍ବିତୀୟ ଟେଷ୍ଟ୍‌ ଖେଳୁଥିଲା। ସେହି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ କୁମ୍ବଲେ ପାକିସ୍ତାନର ସମସ୍ତ ୧୦ ୱିକେଟ୍‌ ଦଖଲ କରିଥିଲେ। ଏଥିସହିତ ଭାରତକୁ ଆକର୍ଷଣୀୟ ବିଜୟ ଭେଟିଦେବା ସହିତ ନିଜ ନିଜ ନାମକୁ କ୍ରିକେଟ୍‌ ଇତିହାସ ପୃଷ୍ଠାରେ ଯୋଡ଼ି ଦେଇଥିଲେ। ଏଭଳି ବିରଳ ସଫଳତା ହାତେଇବାରେ କୁମ୍ବଲେ ମଧ୍ୟ ପ୍ରଥମ ତଥା ଏକମାତ୍ର ଭାରତୀୟ ବୋଲର ହୋଇଥିଲେ। ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ଏହା ଥିଲା ଦ୍ବିତୀୟ ଘଟଣା।

ଏହା ପୂର୍ବରୁ ଇଂଲଣ୍ଡର ଜିମ୍‌ ଲେକର୍‌ ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ବିରଳ କୀର୍ତ୍ତିମାନ ରଚିଥିଲେ। ତେଣୁ କୁମ୍ବଲେଙ୍କ ପରଠାରୁ ବିଶ୍ବ କ୍ରି‌କେଟ୍‌ରେ ଏପର୍ଯ୍ୟନ୍ତ ଆଉ ଏଭଳି (ପ୍ରତିପକ୍ଷର ସମସ୍ତ ୧୦ ୱିକେଟ୍‌) ସଫଳତା କୌଣସି ବୋଲର ପାଇବା ଦେଖାଯାଇନାହିଁ। କୁମ୍ବଲେଙ୍କ ସେହି ଐତିହାସିକ ସଫଳତା ହାସଲ ମ୍ୟାଚ୍‌ରେ ପାକିସ୍ତାନ ଦଳର ଅଧିନାୟକ ଥିଲେ ବାମହାତୀ ଦ୍ରୁତ ବୋଲର ୱାସିମ୍‌ ଆକ୍ରମ୍‌। କୁମ୍ବଲେ ଯେତେବେଳେ ୯ଟି ୱିକେଟ୍‌ ଦଖଲ କରିସାରିଥିଲେ ସେତେବେଳେ ତାଙ୍କୁ ୧୦ମ ୱିକେଟ୍‌ ଅକ୍ତିଆର କରିବାକୁ ଦେବେ ନାହିଁ ବୋଲି ଆକ୍ରାମ୍‌ ଯୋଜନା କରିଥିଲେ। ପାକିସ୍ତାନର ଶେଷ ଯୋଡ଼ି ଭାବେ ଆକ୍ରାମ୍‌ଙ୍କ ସହିତ କ୍ରିଜ୍‌ରେ ଥିଲେ ଅନ୍ୟତମ ଦ୍ରୁତ ବୋଲର ୱାକର ୟୁନୁସ୍‌। ଉଭୟେ ମିଶି ଯୋଜନା କରିଥିଲେ ମଧ୍ୟ କୁମ୍ବଲେଙ୍କୁ ଇତିହାସ ରଚିବାରୁ ରୋକିପାରିନଥିଲେ। କିପରି ତାଙ୍କ ଯୋଜନା ବିଫଳ ହୋଇଯାଇଥିଲା ସେନେଇ ଏବେ ମନେ ପକାଇଛନ୍ତି ଆକ୍ରମ୍‌।

ଭାରତ-ପାକିସ୍ତାନ ୧୯୯୯ ଫିରୋଜ ଶାହା କୋଟଲା ଟେଷ୍ଟ୍‌
ଭ୍ରମଣକାରୀ ପାକିସ୍ତାନ ଦଳ ଆଗୁଆ ଥାଏ। ତେଣୁ କୋଟ୍‌ଲାରେ ମଧ୍ୟ ଜିତି ଶୃଙ୍ଖଳାରେ ୨-୦ର ଅଗ୍ରଣୀ ଲକ୍ଷ୍ୟ ରଖିଥିଲା ପାକିସ୍ତାନ। ଅବଶ୍ୟ କୋଟ୍‌ଲା ଟେଷ୍ଟ୍‌ ଜିତିବା ପାଇଁ ପାକିସ୍ତାନ ସମ୍ମୁଖରେ ରହିଥିଲା କଷ୍ଟାସାଧ୍ୟ ଲକ୍ଷ୍ୟ। ଭାରତ ୪୨୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ତଥାପି ପ୍ରାରମ୍ଭିକ ଯୋଡ଼ି ସାହିଦ ଆଫ୍ରିଦି ଓ ସଇଦ୍‌ ଅନ୍‌ୱାରଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏକ ସମୟରେ ପାକିସ୍ତାନ କୌଣସି ୱିକେଟ୍‌ ନହରାଇ କରିଥିଲା ୧୦୧ ରନ୍‌। କିନ୍ତୁ ଏହାପରର ଘଟଣା ସମ‌ସ୍ତଙ୍କୁ ଜଣା ଥିବ। ଏହିଠାରୁ ହିଁ କୁମ୍ବଲେଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ପ୍ରଥମେ ଆଫ୍ରିଦିଙ୍କୁ ୪୧ ରନ୍‌ରେ ଆଉଟ୍‌ କରି ୱିକେଟ୍‌ ଦଖଲ ଆରମ୍ଭ କରିବା ପରେ ଇଜାଜ୍‌ ଅହମ୍ମଦଙ୍କୁ ଗୋଲ୍ଡେନ୍‌ ଡକ୍‌ରେ ପାଭିଲିୟନ୍‌ ଫେରାଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଏହାର କିଛି ଓଭର ପରେ ଇଞ୍ଜାମମ୍‌ ଉଲ୍‌ ହକ୍‌ଙ୍କ ପୁରସ୍କାର ୱିକେଟ୍‌ ଅକ୍ତିଆର କରିବା ପରେ ଅଚାନକ କୁମ୍ବଲେଙ୍କ ଯାଦୁରେ ପାକିସ୍ତାନ ବ୍ୟାଟିଂକ୍ରମ ବଶୀଭୁତ ହୋଇଯାଇଥିଲା। ଗୋଟିଏ ପରେ ଗୋଟିଏ କରି ୯ ୱିକେଟ୍‌ ଦଳୀୟ ସ୍କୋର୍‌ ୧୯୮ ବେଳକୁ ଝଡ଼ି ସାରିଥିଲା। ସବୁତକ ୱିକେଟ୍‌ ହିଁ କୁମ୍ବଲେ ଗୋଟିଏ ପଟୁ ପୋଛି ଚାଲିଥିଲେ। ଶେଷ ଯୋଡ଼ି ଭାବେ ଲଢ଼ିଥିଲେ ଆକ୍ରାମ୍‌ ଓ ୟୁନୁସ୍‌। ବିଜୟ ଆଉ ସମ୍ଭବ ନୁହେଁ ବୋଲି ଉଭୟେ ଜାଣିପାରିଥିଲା ବେଳେ ବିଶେଷକରି କୁମ୍ବଲେଙ୍କୁ ପର୍‌ଫେକ୍ଟ-୧୦ ସଫଳତା ନଦେବା ପାଇଁ ଯୋଜନାରେ ମାତିଗଲେ।

ଏହା କ୍ରୀଡ଼ାବିତ୍‌ ମନୋଭାବର ବ୍ୟତିକ୍ରମ ଥିଲେ ମଧ୍ୟ ଦୁହେଁ ଆଲୋଚନା କରି କୁମ୍ବଲେଙ୍କୁ ୱିକେଟ୍‌ ନଦେବା ଚିନ୍ତା କରିନେଲେ। ସେଥିପାଇଁ ତୁମେ ଯେପରି ସାଧାରଣ କ୍ରିକେଟ୍‌ ଖେଳୁଛ ଖେଳ; ମୁଁ କିନ୍ତୁ କୁମ୍ବଲେଙ୍କ ବଲ୍‌ରେ ଆଉଟ୍‌ ହେବେନି ବୋଲି ଦୃଢ଼ତା ଦେଖାଇଲେ ଆକ୍ରାମ୍‌। ଅଧିନାୟକ ଭାବେ ମୁଁ ୟୁନୁସ୍‌ଙ୍କୁ ତାଙ୍କ ଚିରାଚରିତ ଖେଳ ଖେଳିବାକୁ କହିଥିଲି। ଏପରିକି ଜଭାଗଲ ଶ୍ରୀନାଥଙ୍କ ବଲ୍‌ରେ ବଡ଼ ସଟ୍‌ ଖେଳିବାକୁ ପ୍ରବର୍ତାଇଥିଲି। ହେଲେ ଶ୍ରୀନାଥ ୱିକେଟ୍‌ ପାଇଲେ ନାହିଁ। ବୋଧହୁଏ କୁମ୍ବଲେଙ୍କୁ ୧୦ ୱିକେଟ୍‌ ଦେବାକୁ ଏହା ଭାରତର ଯୋଜନା ଥିଲା। ସେ ଯାହାହେଉ, କୁମ୍ବଲେଙ୍କ ପ୍ରଥମ ବଲ୍‌ ମୋ ବ୍ୟାଟ୍‌ର ଭିତର ଏଜ୍‌ ନେଇଥିଲା ଏବଂ ମୁଁ କ୍ୟାଚ୍‌ ଆଉଟ୍‌ ହୋଇଥିଲି। ପାକିସ୍ତାନ ପାଳି ୨୦୭ ରନ୍‌ରେ ଶେଷ ହୋଇଗଲା। କୁମ୍ବଲେ ମଧ୍ୟ ଆକ୍ରାମ୍‌ଙ୍କ ଲଢ଼ୁଆ ୩୭ ରନ୍‌ (୬୬ ବଲ୍‌)ର ପାଳିକୁ ଅନ୍ତ କରିଦେଲେ। ଭାରତ ୨୧୨ ରନ୍‌ରେ ମ୍ୟାଚ୍‌ ଜିତି ଶୃଙ୍ଖଳା ୧-୧ କରିଦେଲା। କୁମ୍ବଲେ ୨୬.୩ ଓଭର ବୋଲିଂ କରି ୭୪ ରନ୍‌ରେ ୧୦ଟିଯାକ ୱିକେଟ୍‌ ଅକ୍ତିଆର କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଦେଲେ। କୁମ୍ବଲେ ମଧ୍ୟ ପ୍ରଥମ ପାଳିରେ ୪ ୱିକେଟ୍‌ ନେଇଥିଲେ। ଫଳରେ ପୂରା ମ୍ୟାଚ୍‌ରେ ୧୪ ୱିକେଟ୍‌ ଦଖଲ କରିଥିଲେ। କୁମ୍ବଲେଙ୍କ ସଫଳତା ବ୍ୟତୀତ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସଦାଗୋପନ ରମେ ମଧ୍ୟ ଭାରତ ବିଜୟ ପାଇଁ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ପ୍ରଥମ ପାଳିରେ ୬୦ ଏବଂ ଦ୍ବିତୀୟ ପାଳିରେ ୯୬ ରନ୍‌ କରିଥିଲେ। ହେଲେ କୁମ୍ବଲେଙ୍କ ବିପକ୍ଷରେ ଶେଷରେ ଆମ ଯୋଜନା ବିଫଳ ହେଲା ଏବଂ ସେ ଇତିହାସ ରଚିଲେ। ତାହା ମଧ୍ୟ ଉଭୟ କୁମ୍ବଲେ ଓ ଭାରତ ପାଇଁ ସ୍ମରଣୀୟ ଦିନ ଥିଲା ବୋଲି ଏକ ୟୁଯ୍ୟୁବ୍‌ ଭିଡିଓରେ ଆକାଶ ଚୋପ୍ରାଙ୍କୁ କହିଛନ୍ତି ଆକ୍ରାମ୍‌।

ସମ୍ବନ୍ଧିତ ଖବର