ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ୍ ଆକ୍ରାମ୍ ବିଶ୍ବ କ୍ରିକେଟ୍ରେ ଏପର୍ଯ୍ୟନ୍ତ ଖେଳିସାରିଥିବା ବାମହାତୀ ଦ୍ରୁତ ବୋଲରଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ଭାବେ ପରିଗଣିତ ହୁଅନ୍ତି। ବିଶେଷକରି ଭାରତର ସଚିନ୍ ତେନ୍ଦୁଲକର, ୱେଷ୍ଟଇଣ୍ଡିଜ୍ର ବ୍ରାଏନ୍ ଲାରା, ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ନ୍ୟୁଜିଲାଣ୍ଡ୍ର ମାର୍ଟିନ୍ କ୍ରୋ, ଅଷ୍ଟ୍ରେଲିଆର ଷ୍ଟିଭ୍ ୱ'ଙ୍କ ଭଳି ଆହୁରି ଅନେକ ତାରକାଙ୍କ ବିପକ୍ଷରେ ଆକ୍ରାମ୍ଙ୍କର ବେଶ୍ ଖ୍ୟାତି ରହିଛି। ଏମାନଙ୍କ ମଧ୍ୟରୁ ଆଧୁନିକ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କିଏ? ବାଛିବାର ବିଚାର ମଧ୍ୟ ଆକ୍ରାମ୍ଙ୍କ ନିକଟରେ ରହିଛି। ଏପରିସ୍ଥଳେ ଲାରା, ସଚିନ୍ ଓ ପଣ୍ଟିଂଙ୍କ ପ୍ରଶଂସାକୁ ଆକ୍ରାମ୍ ପଛକୁ ରଖିଥିଲା ବେଳେ କ୍ରୋ'ଙ୍କୁ ତାଙ୍କ ମହାନ୍ଙ୍କ ତାଲିକାର ସର୍ବାଗ୍ରେ ସ୍ଥାନ ଦେଇଛନ୍ତି। ଏହି ୪ ମହାନ୍ଙ୍କ ବିଷୟରେ ବିଶ୍ଲେଷଣାତ୍ମକ ବିବରଣୀ ମଧ୍ୟ ରଖିଛନ୍ତି ଆକ୍ରାମ୍।
ସଚିନ୍ ତେନ୍ଦୁଲକର
ଉଭୟ ସଚିନ୍ ଓ ଆକ୍ରାମ୍ ଏକାଠି ୧୪ ବର୍ଷ ଧରି ଖେଳିଥିଲେ। ଏହି ସମୟ ମଧ୍ୟରେ ଉଭୟେ ପରସ୍ପର ବିପକ୍ଷରେ ୭ ଟେଷ୍ଟ ଖେଳିଛନ୍ତି। ୧୯୮୯ରେ ତାଙ୍କ ପଦାର୍ପଣ ଶୃଙ୍ଖଳାରେ ୧୬ ବର୍ଷ ବୟସ୍କ ସଚିନ୍ଙ୍କୁ ଆକ୍ରାମ୍ ବୋଲ୍ଡ କରିଥିଲା ବେଳେ ଏହାର ୧୦ ବର୍ଷ ପରେ ୧୯୯୯ରେ ପୁନର୍ବାର ତାଙ୍କ ବିପକ୍ଷରେ ଖେଳିଥିଲେ। ତେଣୁ ବୋଲରର ଦୃଷ୍ଟିକୋଣରୁ ସଚିନ୍ଙ୍କୁ ଆକଳନ କରିବା ମୋ ପକ୍ଷରେ ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଆକ୍ରାମ୍। ନିଃସନ୍ଦେହରେ କହିବି ଯେ ସଚିନ୍ ହେଉଛନ୍ତି ସର୍ବକାଳୀନ ଅନ୍ୟତମ ମହାନ୍। ମୁଁ ଯେତେବେଳେ ଭିନ୍ନ ବିଚାରକୁ ନେଇ ମୋର କାରଣ ଦର୍ଶାଇଥାଏ ସେତେବେଳେ ମୋର ଭାରତୀୟ ପ୍ରଶଂସକ ବେଳେବେଳେ ହତୋତ୍ସାହିତ ହୁଅନ୍ତି। ସଚିନ୍ଙ୍କ ବିପକ୍ଷରେ ମୁଁ ମୋର ପ୍ରଥମ ଟେଷ୍ଟ୍ ୧୯୮୯ରେ ଖେଳିଥିଲି। ଏହାପରେ ମୁଁ ୧୯୯୯ରେ ତାଙ୍କ ବିପକ୍ଷରେ ଖେଳିଥିଲି। ତେଣୁ ତାଙ୍କ ବିପକ୍ଷରେ ୧୦ ବର୍ଷ ଧରି ଟେଷ୍ଟ କ୍ରିକେଟ୍ ଖେଳିନଥିବାରୁ ଜଣେ ବୋଲର ଭାବେ ମୁଁ ତାଙ୍କୁ ପରଖିବାରେ କଷ୍ଟକର ହୋଇଥିଲା। କିନ୍ତୁ ଜଣେ ଖେଳାଳି ଭାବେ ସେ ବିଶ୍ବ କ୍ରିକେଟ୍ରେ ଜଣେ ମହାନ୍ ଏଥିରେ ଦ୍ବିମତ ହେବାର ନାହିଁ ବୋଲି ପୂର୍ବତନ ପାକ୍ କ୍ରିକେଟର୍ ତନ୍ବୀର ଅହମ୍ମଦଙ୍କୁ ଏକ ୟୁଟ୍ୟୁବ୍ ସାକ୍ଷାତକାରରେ ଆକ୍ରାମ୍ କହିଛନ୍ତି। ଟେଷ୍ଟ୍କୁ ବାଦ୍ ଦେଲେ ସଚିନ୍ଙ୍କ ବିପକ୍ଷରେ ମୁଁ ୨୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲା ବେଳେ ତାଙ୍କୁ ମାତ୍ର ୩ ଥର ଆଉଟ୍ କରିପାରିଛି ବୋଲି କହିଛନ୍ତି ଆକ୍ରାମ୍।
ବ୍ରାଏନ୍ ଲାରା
ଭିନ୍ନ ପ୍ରକାର ସଟ୍ ଖେଳିବାରେ ସାମର୍ଥ୍ୟ ରଖୁଥିବା କାରଣରୁ ଲାରାଙ୍କୁ ଉଚ୍ଚ ପ୍ରଶଂସା କରନ୍ତି ଆକ୍ରାମ୍। ଲାରାଙ୍କୁ ଉଦାହରଣ ଭାବେ ନେଲେ, ସେ ଆମ ବିପକ୍ଷରେ ଭଲ ସ୍କୋର୍ କରନ୍ତି। ବିଶେଷକରି ବ୍ୟାକ୍ଲିଫ୍ଟ ତାଙ୍କର ବଡ଼ ଅସ୍ତ୍ର। ସେ ଜଣେ ଭିନ୍ନ ଢଙ୍ଗର ବ୍ୟାଟ୍ସମ୍ୟାନ୍। ମୁଁ ତାଙ୍କ ବିପକ୍ଷରେ ଯଥେଷ୍ଟ ମ୍ୟାଚ୍ ଖେଳିଛି। ତାଙ୍କ ବିପକ୍ଷରେ ୪୦ ମ୍ୟାଚ୍ ଖେଳିଥିଲା ବେଳେ ଲାରାଙ୍କୁ ୯ ଥର ଆଉଟ୍ କରିଛି ବୋଲି କହିଛନ୍ତି ଆକ୍ରାମ୍।
ରିକି ପଣ୍ଟିଂ
ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କ ବିପକ୍ଷରେ ୨୨ ମ୍ୟାଚ୍ ଖେଳିଛନ୍ତି ଆକ୍ରାମ୍। ହେଲେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିପାରିନଥିଲେ ମଧ୍ୟ ପରେ ନିଜକୁ ଜଣେ ମହାନ୍ ଭାବେ ପରିଗଣିତ କରିପାରିଥିଲେ। ତାଙ୍କ କ୍ୟାରିୟର ଆରମ୍ଭରୁ ମୁଁ ତାଙ୍କୁ ଆଉଟ୍ କରୁଥିଲି; ମାତ୍ର ପରେ ସେ ପ୍ରାଧାନ୍ୟ ବିସ୍ତାର କରିଥିଲେ ବୋଲି କହିଛନ୍ତି ଆକ୍ରାମ୍।
ମାର୍ଟିନ୍ କ୍ରୋ
ଏହି ନ୍ୟୁଜିଲାଣ୍ଡ ତାରକା ରିଭର୍ସ ସୁଇଂ ଖେଳିବାରେ ପୂରା ସାମର୍ଥ୍ୟ ରଖିଥା'ନ୍ତି। ସେଇଥିପାଇଁ ତାଙ୍କ ନାମ ମୋ ତାଲିକାରେ ସ୍ବତନ୍ତ୍ର ରଖିଛି। ଆମ ବିପକ୍ଷରେ ଗୋଟିଏ ଶୃଙ୍ଖଳାରେ ସେ ଦୁଇଟି ଶତକ ହାସଲ କରିଥିଲେ। ଆଉ ଖାସ୍ ସେଥିପାଇଁ ମୁଁ ମାର୍ଟିନ୍ କ୍ରୋ'ଙ୍କୁ ଭଲ ପାଇଥାଏ ବୋଲି କହିଛନ୍ତି ଆକ୍ରାମ୍। ଆମକୁ କିପରି ଖେଳିଲ ବୋଲି ସେହି ଶୃଙ୍ଖଳା ଶେଷରେ ମୁଁ ତାଙ୍କୁ ପଚାରିଥିଲି। ସେ କହିଥିଲେ, ତୁମ ଦୁଇ ଜଣ (ୱାସିମ୍ ଆକ୍ରାମ୍ ଓ ୱାକର ୟୁନିସ୍)ଙ୍କୁ ଇନ୍ ସୁଇଂ ପାଇଁ ଫ୍ରଣ୍ଟ୍ ଫୁଟ୍ରେ ଖେଳିଥିଲି। ସେଥିପାଇଁ ଆଉଟ୍ସାଇଡ୍ ଏଜ୍କୁ ସହଜରେ ମୁଁ ଏଡାଇ ଦେଉଥିଲି। ତୁମେ ବଲ୍କୁ ପିଛା କରୁଥିଲା ବେଳେ ଆଉଟ୍ ସୁଇଂ ଅଡୁଆରେ ପକାଇଥାଏ। ତେଣୁ ଫ୍ରଣ୍ଟ୍ ଫୁଟ୍ରେ ଖେଳିବା ହିଁ ମୋର ସରଳ ଟେକ୍ନିକ୍ ବୋଲି କ୍ରୋ' କହିଥିଲେ। ପୁଣି ସେ ଯେତେବେଳେ ଆମକୁ ଆଗକୁ ଆସି ଖେଳିବାକୁ ଲାଗିଲେ, ଆମେ ମଧ୍ୟ ତାଙ୍କୁ ବାଉଁସର ମାରିଥିଲୁ। କିନ୍ତୁ ତାହା ଆମର ଲାଇନ୍ ବିଗାଡ଼ିଥିଲା ବୋଲି କହିଛନ୍ତି ଆକ୍ରାମ୍। ନ୍ୟୁଜିଲାଣ୍ଡ୍ ୧୯୯୯ରେ ଯେତେବେଳେ ପାକିସ୍ତାନ ଗସ୍ତ କରିଥିଲା ସେତେବେଳେ ମାର୍ଟିନ୍ ଦଳ ପାଇଁ ଥିଲେ ଅତି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍। ସେହି ଗସ୍ତର ପ୍ରଥମ ଟେଷ୍ଟ୍ରେ ସେ ଅର୍ଧଶତକ ଏବଂ ଦ୍ବିତୀୟ ଟେଷ୍ଟ୍ରେ ଶତକ ଜମାଇଥିଲେ। ଅବଶ୍ୟ ଦୁଇଟିଯାକ ଟେଷ୍ଟ୍ ପାକିସ୍ତାନ ଜିତି ନେଇଥିଲା ବୋଲି କହିଛନ୍ତି ଆକ୍ରାମ୍।