ମୁମ୍ବାଇ: ବଲିଉଡ୍ରେ ଖିଲାଡି କୁମାର ନାମରେ ଜଣାଶୁଣା ଅଭିନେତା ଅକ୍ଷୟ କୁମାର ଏକ ଷ୍ଟାର୍ଟଅପ୍ରେ ନିବେଶ କରିଛନ୍ତି। ଏହି ଫାର୍ମର ନାମ ହେଉଛି ‘ଟୁ ବ୍ରଦର୍ସ ଓର୍ଗାନିକ୍ ଫାର୍ମ’। ଜୈବ କୃଷି ସହ ଜଡ଼ିତ ଏହି ଷ୍ଟାର୍ଟଅପ୍ କୃଷକଙ୍କୁ ସହାୟ ହେବ। ଅକ୍ଷୟ କୁମାରଙ୍କ ସହ ଏହି ଷ୍ଟାର୍ଟଅପ୍ରେ ପୂର୍ବତନ କ୍ରିକେଟ୍ ତାରକା ବୀରେନ୍ଦ୍ର ସେହ୍ବାଗ ବି ଟଙ୍କା ଲଗାଇଛନ୍ତି। ବଲିଉଡ୍ ଓ କ୍ରିକେଟ୍ ଜଗତର ଏହି ଦୁଇ ବ୍ୟକ୍ତିଙ୍କ ସହ ଅନ୍ୟ ନିବେଶକଙ୍କ ଜରିଆରେ କମ୍ପାନି ୧୪.୫କୋଟିର ପାଣ୍ଠି ସଂଗ୍ରହ କରିଛି।
‘ବିଜିନେସ୍ ଟୁଡେ’ର ରିପୋର୍ଟ ମୁତାବକ, ଅକ୍ଷୟ କୁମାର ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମେତ ଅନ୍ୟ ଯେଉଁମାନେ ଏଥିରେ ନିବେଶ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତେଜ୍ବସ ଚିତଲଙ୍ଗି, କ୍ରେଷ୍ଟ୍ ବେଞ୍ଚର୍ସ, ଜାଭେଦ ତାପିଆ ଏବଂ ରାଜୁ ଚେକୁରି।
ପୁଣେସ୍ଥିତ ଏହି କମ୍ପାନିକୁ ଦୁଇ ଭାଇ ସତ୍ୟଜିତ୍ ହାଙ୍ଗେ ଓ ଆଜିତ୍ୟ ହାଙ୍ଗେ ଗଠନ କରିଛନ୍ତି। ଏହି କମ୍ପାନି ନିଜର କୃଷି ସାମଗ୍ରୀକୁ ୫୩ ଦେଶକୁ ଯୋଗାଣ କରେ। ଆମ ଦେଶ ଭାରତରେ ୧୦୦୦ରୁ ଅଧିକ ସହରୀ କମ୍ପାନିରେ ଏହି ସାମଗ୍ରୀ ଉପଲବ୍ଧ।
ତେବେ ନିକଟରେ ଏହା ଜଣାପଡ଼ିଛି ଯେ ଏଥିରେ ଅକ୍ଷୟ ଓ ବୀରେନ୍ଦ୍ର ନିବେଶ କରିଛନ୍ତି। ମାତ୍ର ସେମାନେ କେତେ ନିବେଶ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ଏନେଇ ଖିଲାଡ଼ି ବୟ କହନ୍ତି କି ସମସ୍ତଙ୍କ ପାଇଁ ଉତ୍ତମ ଏବଂ ସୁସ୍ଥକର ଭବିଷ୍ୟତ ଚିନ୍ତା କରି ସେ ଏଥିରେ ଟଙ୍କା ନିବେଶ କରିଛନ୍ତି। ସେହିପରି ସେହ୍ବାଗ କହିଛନ୍ତି ସମାଜ ଓ କୃଷକଙ୍କ କଲ୍ୟାଣ ଚିନ୍ତା କରୁଥିବା ଏହି କମ୍ପାନି ନୀତିରେ ସେ ପ୍ରେରିତ ହୋଇଛନ୍ତି।