ଅକ୍ଷଦୀପ ୧୫୧*, ଓଡ଼ିଶା ପଛୁଆ:ବସନ୍ତଙ୍କୁ ପ୍ରଶଂସା କଲେ ନାଥ

ଭୁବନେଶ୍ବର: ଉତ୍ତରପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥଙ୍କ ଲଗାତାର ୩ ଘରୋଇ ଶତକ ଓଡ଼ିଶାର ଚିନ୍ତା ବଢ଼ାଇ ଦେଇଛି। ଅକ୍ଷଦୀପଙ୍କ ଲଢ଼ୁଆ ୧୫୧* ବଳରେ ଦ୍ବିତୀୟ ଦିନ ସୁଦ୍ଧା ଉତ୍ତରପ୍ରଦେଶ ୬ ୱିକେଟରେ ୩୬୧ ରନ୍ ସଂଗ୍ରହ କରି ପ୍ରଥମ ପାଳିରେ ବଡ଼ ଅଗ୍ରଣୀକୁ ନିଶ୍ଚିତ କରିଛି। ହାତରେ ୪ ୱିକେଟ୍ ଥାଇ ଏହି ଅତିଥି ଦଳ ୧୦୫ ରନ୍ ଆଗୁଆ ହୋଇ ସାରିଛି। କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଚାଲିଥିବା ଉତ୍ତରପ୍ରଦେଶ ବିପକ୍ଷ ଏହି ରଣଜୀ ମ୍ୟାଚରେ ଓଡ଼ିଶା ସୋମବାର ପ୍ରଥମ ପାଳିରେ ମାତ୍ର ୨୫୬ ରନ୍ କରିଥିଲା।
ମଙ୍ଗଳବାର ସକାଳେ ୪୨/୧ରୁ ଖେଳିଥିବା ଉତ୍ତରପ୍ରଦେଶକୁ ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ଅଡୁଆରେ ପକାଇଥିଲେ। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟସମ୍ୟାନ ମହମ୍ମଦ ସୈଫ (୨୮) ଏବଂ ମାଧବ କୌଶିକ (୧୭)ଙ୍କୁ ସେ ଅଧିକ ସମୟ ତିଷ୍ଠବାକୁ ଦେଇ ନଥିଲେ। କିଛି ସମୟ ପରେ ଅଭିଜ୍ଞ ଅନ୍ତର୍ଜାତୀୟ ତାରକା ସୁରେଶ ରାଇନା (୧୦, ୨୬ ବଲ)ଙ୍କୁ ୧୮ ବର୍ଷୀୟ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଆଉଟ୍ କରି ସ୍ମରଣୀୟ ୱିକେଟ୍ ଅକ୍ତିଆର କରିଥିଲେ। ରାଇନା ଡ୍ରାଇଭ୍ କରିବାକୁ ଚେଷ୍ଟା କରିଥିବାବ‌େଳେ ଗଲିରେ ଥିବା ଗୋବିନ୍ଦ ପୋଦ୍ଦାର କ୍ୟାଚ୍ ନେଇଥିଲେ। ଏହି ସମୟରେ ଉତ୍ତରପ୍ରଦେଶ ୭୨/୪ରେ ସଂଘର୍ଷ କରିଥିଲା। କିନ୍ତୁ ଅଧିନାୟକ ଅକ୍ଷଦୀପଙ୍କ ଆଗମନ ଏବଂ ମଧ୍ୟାହ୍ନ ଭୋଜନ ପରବର୍ତୀ ଖେଳରେ ଉତ୍ତରପ୍ରଦେଶ ବ୍ୟାଟିଂ ନୂଆ ଦିଶା ‌ନେଇଥିଲା। ପ୍ରିୟମ ଗର୍ଗ (୫୯, ୯୪ ବଲ)ଙ୍କୁ ସାଥୀ କରି ଅକ୍ଷଦୀପ ପଞ୍ଚମ ୱିକେଟ୍‌ ପାଇଁ ୧୨୬ ରନ୍ ଯୋଡ଼ିଦେବାରୁ ମ୍ୟାଚ ମୋଡ଼ ଉତ୍ତରପ୍ରଦେଶ ଆଡ଼କୁ ଢ଼ଳିଥିଲା।

ପ୍ରିୟମଙ୍କୁ ଓଡ଼ିଶା ଅଧିନାୟକ ବିପ୍ଳବ ସାମନ୍ତରାୟ ନିଜର ମଧ୍ୟମଗତି ବୋଲିଂରେ ଶିକାର କରିଥିଲେ। କିନ୍ତୁ ରିଙ୍କୁ ସିଂହ (୭୨, ୧୩୧ ବଲ)ଙ୍କୁ ନେଇ ଅକ୍ଷଦୀପ ଷଷ୍ଠ ୱିକେଟ୍‌ ପାଇଁ ଆଉ ଏକ ଶତକୀୟ (୧୫୪) ଭାଗୀଦାରି କରିବାରୁ ଦଳ ବଡ଼ ଅଗ୍ରଣୀର ମୂଳଦୁଆ ପକାଇ ସାରିଛି। ରିଙ୍କୁଙ୍କୁ ଯୁବ ସମ୍ବଲପୁର ବୋଲର ଦେବବ୍ରତ ପ୍ରଧାନ ମଧ୍ୟ ଗଲିରେ ଗୋବିନ୍ଦ ପୋଦ୍ଦାରଙ୍କ ହାତରେ କ୍ୟାଚ୍ କରାଇଥିଲେ। ଓଡ଼ିଶା ବାଟରେ ମୁଖ୍ୟ ପ୍ରତିବଂଧକ ସାଜିଥିବା ଅକ୍ଷଦୀପ ନାଥ (୧୫୧*, ୨୫୮ ବଲ, ୨୨ ଚୌକା, ୧ ଛକା) ନିଜର ଚତୁର୍ଥ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ଗତ ଗୋଆ ମ୍ୟାଚରେ ମାତ୍ର ୬ ରନ୍ ପାଇଁ ଦ୍ବିଶତକରୁ ବଞ୍ଚିତ ହୋଇଥିବା ଏହି ୨୦୧୨ କନିଷ୍ଠ ବିଶ୍ବକପ୍ ବିଜେତା ଖେଳାଳି ଏବେ ଲଗାତାର ପାଳିରେ ୧୫୦ ଅତିକ୍ରମ କରି ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୨୫୬ (ଶୁଭ୍ରାଂଶୁ ସେନାପତି-୮୭, ସୁଜିତ ଲେଙ୍କା-୪୬, ଅଙ୍କିତ ରାଜପୁତ-୩/୬୧, ୟାଶ ଦୟାଲ-୩/୬୨, ଅକ୍ଷଦୀପ ନାଥ-୨/୧୬, ସୌରଭ କୁମାର-୨/୫୮)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୧୦୭ ଓଭରରେ ୩୬୧/୬ (ଅକ୍ଷଦୀପ ନାଥ-୧୫୧*, ରିଙ୍କୁ ସିଂହ-୭୨, ପ୍ରିୟମ ଗର୍ଗ-୫୯, ବସନ୍ତ ମହାନ୍ତି-୩/୪୪, ରାଜେଶ ମହାନ୍ତି-୧/୫୨, ବିପ୍ଳବ ସାମନ୍ତରାୟ-୧/୫୩, ବେବବ୍ରତ ପ୍ରଧାନ-୧/୫୭)।

ଭୁବନେଶ୍ବର,: ଓଡ଼ିଶା ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ଢ଼େର ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥ। ବସନ୍ତ ମହାନ୍ତି ଦିନ ତମାମ ବୋଲିଂ କରିଥିଲେ ମଧ୍ୟ ଥରେ ବି ଦୁର୍ବଳ ବଲ୍‌ ପକାଇନଥିଲେ। ତାଙ୍କୁ ଖେଳିବା କଷ୍ଟକର ଥିଲା। ସକାଳେ ଆମେ ୭୨ ରନ୍‌ରେ ୪ ୱିକେଟ୍‌ ହରାଇଦେବା ପରେ ଏଭଳି ସ୍ପୋର୍ଟିଂ ୱିକେଟରେ ବ୍ୟାଟିଂ ସହଜ ନ ଥିଲା। ପ୍ରିୟମ ଓ ରିଙ୍କୁଙ୍କ ସହ ହୋଇଥିବା ଦୁଇ ଶତକୀୟ ଭାଗୀଦାରି ଆମକୁ ପ୍ରତ୍ୟାବର୍ତନ କରାଇଛି। ତଥାପି ଦୁଇ ଦିନ ଖେଳ ଥିବାରୁ ଏହି ମ୍ୟାଚ୍ ଏବେ ବି ସନ୍ତୁଳନ ଅବସ୍ଥାରେ ଅଛି ବୋଲି କହିଛନ୍ତି ଅକ୍ଷଦୀପ ନାଥ। ଓଡ଼ିଶା ଅଧିନାୟକ ବିପ୍ଳବ ସାମନ୍ତରାୟ ମଧ୍ୟ ପରବର୍ତୀ ୨ ଦିନ ଖେଳକୁ ନେଇ ଆଶାବାଦୀ ରହିଛନ୍ତି। ଆମେ ଯେଭଳି ସକ‌ାଳେ ବୋଲିଂ କଲୁ ସେଭଳି ମଧ୍ୟାହ୍ନ ଓ ଚା’ପାନ ବିରତି ପରେ କରିପାରିନଥିଲୁ। ଆମକୁ ବୁଧବାର ସକାଳେ ୪ଟି ଭଲ ବଲ୍ ଆବଶ୍ୟକ ରହିଛି। ୧୮୦ ଓଭର ଖେଳ ବାକିଥିବାରୁ କିଛି ବି ସମ୍ଭବ। କିନ୍ତୁ ପିଚ୍ କ୍ରମେ ବ୍ୟାଟିଂ ପ୍ରିୟ ହେଉଛି ବୋଲି ପ୍ରକାଶ କରିଛନ୍ତି ବିପ୍ଳବ।

ସମ୍ବନ୍ଧିତ ଖବର