୧୫ ଖେଳାଳିଙ୍କୁ କରୋନା ସତ୍ତ୍ବେ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ଖେଳିଲା ଅଲ୍‌ ହିଲାଲ୍‌

ନୂଆଦିଲ୍ଲୀ: ଏସୀୟ ବିଜେତା ସାଉଦି ଆରବ୍‌ର ଅଲ୍ ହିଲାଲ ଦଳର ୧୫ ଜଣ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସତ୍ତ୍ବେ ଦଳ ରବିବାର ଇରାନ୍‌ର ଶାର ଖୋଦ୍ରା ବିପକ୍ଷରେ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌କୁ ବାତିଲ କରିବା ପାଇଁ ଏଏଫ୍‌ସି ମନା କରିଦେବାରୁ ବାଧ୍ୟ ହୋଇ ଖେଳିଥିଲା ଅଲ ହିଲାଲ। ତେବେ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହାର ୫ ଜଣ ଖେଳାଳି ସଂକ୍ରମିତ ହୋଇଥି‌ଲେ। ଏହାପରେ ଆଉ ୧୦ ଜଣଙ୍କ ର‌ିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ଉକ୍ତ ମ୍ୟାଚ୍‌କୁ ବାତିଲ କରିବାକୁ ଏଏଫ୍‌ସିକୁ ଅଲ୍‌ ହିଲାଲ ଅନୁରୋଧ କରିଥିଲା। କିନ୍ତୁ ନିୟମାନୁଯାୟୀ, ଦଳ ପାଖରେ ଦୁଇ ଗୋଲ୍‌ରକ୍ଷକଙ୍କ ସହ ଆଉ ୧୪ ବଦଳ ଖେଳାଳି ଥିବାରୁ ଅନୁରୋଧକୁ ଅଗ୍ରାହ୍ୟ କରାଯାଇଥିଲା।

ଅଲ୍‌ ହିଲାଲର ଅଧିନାୟକ ସଲମାନ ଅଲ୍‌ ଫରାଜଙ୍କ ସହ ୫ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଗତ ୧୩ ତାରିଖରେ ଜଣାପଡ଼ିଥିଲା। ତେବେ ସଲମାନଙ୍କ ରିପୋର୍ଟ ଦ୍ବିତୀୟ ଥର ପାଇଁ ନେଗେଟିଭ୍‌ ଆସିବାରୁ ରବିବାର ସଙ୍ଗରୋଧରୁ ବାହାରିଛନ୍ତି। ଏହାବାଦ୍‌ ବୈଷୟିକ ଦଳ, ଡାକ୍ତରୀ ଦଳ ଓ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରୁ ୬ ଜଣ ସଂକ୍ରମିତ ହୋଇଥିବା ରବିବାର ଦଳ ପକ୍ଷରୁ କୁହାଯାଇଛି। ତଥାପି ବଦଳ ଖେଳାଳିଙ୍କୁ ନେଇ ଖେଳି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖିଥିଲା ଦଳ। ସାଉଦି ଚାମ୍ପିଅନ୍ସର ଯୁବ ଦଳକୁ ଅଲ୍‌ ହିଲାଲରେ ବଦଳ ଖେଳାଳି ଭାବେ ପ୍ରସ୍ତୁତ କରାଯାଇଥିଲା। ଫ୍ରେଞ୍ଚ ଷ୍ଟ୍ରାଇକର ବାଫେଟିମ୍ବି ଗୋମିସ ଓ ଇଟାଲୀୟ ମିଡ୍‌ଫିଲ୍ଡର ସେବାସ୍ତିଆନ୍‌ ଜିଓଭିଙ୍କୋଙ୍କ ବିନା ଏହି ଦଳ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଛି। କରୋନା ମହାମାରୀ ପୂର୍ବରୁ ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା। ଏଥିରେ ଅଲ୍‌ ହିଲାଲ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଏବେ ପ୍ରତିଯୋଗିତାର ଗ୍ରୁପ ବ’ରେ ସ୍ଥାନ ପାଇଥିବା ଶାର ଖୋଦ୍ରୋ ଏପର୍ଯ୍ୟନ୍ତ କୌଣସି ଗୋଲ୍‌ ଦେଇନି କି ମ୍ୟାଚ୍‌ ବି ଜିତିନି। ଫଳରେ ଏହି ଅମୀମାଂସିତ ମ୍ୟାଚ୍‌ରୁ ପ୍ରଥମ ପଏଣ୍ଟ୍‌ ହାସଲ କରିଛି। ଅଲ୍‌ ହିଲାଲ୍‌ ୧୧ ପଏଣ୍ଟ୍‌ ସହ ଟେବୁଲ୍‌ର ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର