୨୦୨୩ ହକି ବିଶ୍ବକପ୍‌ ପାଇଁ ସତର୍କ ଘଣ୍ଟି: ନୂଆ ସମ୍ବିଧାନ ଲାଗି ନିର୍ଦ୍ଦିଷ୍ଟ ସମୟ ସୀମା ଦେବାକୁ କହିଲା ଏଫ୍‌ଆଇଏଚ୍

ହକି ଇଣ୍ଡିଆ ସିଓଏ ପାଖକୁ‌ ଲେଖିଲା ଦ୍ବିତୀୟ ପତ୍ର, ତୁରନ୍ତ ପଦକ୍ଷେପ ନନେଲେ ଚିନ୍ତା ବଢ଼ିବ

ନୂଆଦିଲ୍ଲୀ, ୨୧ା୭: ଭୁବନେଶ୍ବର ଏବଂ ରାଉ‌ରକେଲାରେ ଖେଳାଯିବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଓ ହକି ଇଣ୍ଡିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏପରିକି ବିଶ୍ବକପ୍ ଆୟୋଜନ ନେଇ ଏଫ୍‌ଆଇଏଚ୍‌ ଭାରତର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି। ତେବେ ୨୦୧୮ରେ ଯେ ଭାରତ ସଫଳତାର ସହ ଓଡ଼ିଶାର ପୁରୁଷ ହକି ବିଶ୍ବକପ୍ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇସାରିଛି, ସେକଥା ଆଶ୍ଚର୍ଯ୍ୟଜନକ ଭାବେ ଭୁଲିଯାଇଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ହକି ଇଣ୍ଡିଆକୁ ନିଲମ୍ବିତ କରି ଭାରତୀୟ ହକିର ପରିଚାଳନା ଲାଗି ତିନି ଜଣିଆ ପ୍ରଶାସକ ସମିତି (ସିଓଏ) ଗଠନ କରିବା ପରେ ଏଫ୍‌ଆଇଏଚ୍ ତୁରନ୍ତ ନୂଆ ସମ୍ବିଧାନ ପ୍ରଣୟନ ସହ ସାନି ନିର୍ବାଚନ କରିବାକୁ ପୁଣି ଥରେ ଚାପ ପକାଇ ଆସୁଛି। ଏଥିନେଇ କିଛି ଦିନ ପୂର୍ବେ ସିଓଏକୁ ପତ୍ର ବି ଲେଖିଥିଲା। ହେଲେ ସିଓଏ ଏହାର କୌଣସି ଉତ୍ତର ଦେଇନଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏଫ୍‌ଆଇଏଚ୍ ଗୁରୁବାର ଆଉ ଏକ ପତ୍ର ସିଓଏ ପାଖକୁ ପଠାଇଛି। ଏଥିରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ସିଓଏକୁ ତାଗିଦ କରିଛି ଏଫ୍‌ଆଇଏଚ୍। ଏହା ନକଲେ ବିଶ୍ବକପ୍‌ ଆୟୋଜନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସିଧା‌ସିଧା କହିଛି। ସୂଚନାଯୋଗ୍ୟ ‌ଯେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଆର ଦଭେ ସିଓଏର ମୁଖ୍ୟ ଥିଲା ବେଳେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ୍‌ୱାଇ କ୍ୟୁରେସି ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଜାଫର ଇକ୍‌ବାଲ ଏହାର ସଦସ୍ୟ ଅଛନ୍ତି।

ସଭାପତି ନରିନ୍ଦର ବାତ୍ରା ନିଜ ପଦରୁ ଇସ୍ତଫା ଦେଇସାରିଥିବାରୁ ଏଫ୍‌ଆଇଏଚ୍ କାର୍ଯ୍ୟକାରିଣୀ ବୋର୍ଡ ଆସନ୍ତା ଜାନୁଆରି ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ପୂର୍ବରୁ ହକି ଇଣ୍ଡିଆର ପୁନର୍ବାର ନିର୍ବାଚନ କରାଇବାକୁ ସିଓଏକୁ ତା’ର ପ୍ରଥମ ଚିଠିରେ ଜଣାଇଥିଲା। ଦ୍ବିତୀୟ ଚିଠିରେ ଉଭୟ ନୂଆ ସମ୍ବିଧାନ ଓ ନିର୍ବାଚନ କଥା‌ ଉଠାଇଛି। ଏଫ୍ଆଇଏଚ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱେଲ୍‌ ଗୁରୁବାର ଲେଖିଥିବା ଚିଠିରେ କହିଛନ୍ତି ଯେ ଏଫ୍‌ଆଇଏଚ୍ ଓ ଏସୀୟ ହକି ମହାସଂଘ (ଏଏଚ୍‌ଏଫ୍‌) ଭାରତ ସରକାରଙ୍କ ନିର୍ଦ୍ଧାରିତ ନିୟମ ମୁତାବକ ସମ୍ବିଧାନ ସଂଶୋଧନ କରିବାକୁ ସିଓଏକୁ ସବୁ ପ୍ରକାର ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି। ଏହା ପରେ ଯାଇ ହକି ଇଣ୍ଡିଆର ସାନି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ‌ହୋଇପାରିବ। ନୂଆ ସମ୍ବିଧାନକୁ କିନ୍ତୁ ଏଫ୍‌ଆଇଏଚ୍‌ର ମଞ୍ଜୁରି ମିଳିବା ଦରକାର। ନିର୍ଦ୍ଧାରିତ ସମୟ ମଧ୍ୟରେ ନୂଆ ସମ୍ବିଧାନ ପ୍ରଣୟନ ହୋଇ ନପାରି‌ଲେ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବା ସିଓଏ ପାଇଁ କିଭଳି ସମ୍ଭବ ହେବ? ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି। ଚେତାବନୀ ଭରା ଶବ୍ଦରେ ୱେଲ୍ ଆହୁରି କହିଛନ୍ତି ଯେ ୨୦୨୩ ବିଶ୍ବକପ୍ ପୂର୍ବ ଯୋଜନା ଅନୁସାରେ ଭାରତରେ ଆୟୋଜିତ ‌ହୋଇପାରିବ। ତେବେ ନୂଆ ସମ୍ବିଧାନ ପ୍ରଣୟନ ଲାଗି ଆପଣମାନେ (ସିଓଏ) ଆମକୁ ନିର୍ଦ୍ଦିଷ୍ଟ ସମୟ ସୀମା ପ୍ରଦାନ କରନ୍ତୁ। ନିକଟ ଭବିଷ୍ୟତରେ ଏଫ୍‌ଆଇଏଚ୍ ଓ ଏଏଚ୍‌ଏଫ୍ ପ୍ରତିନିଧି ଭାରତ ଗସ୍ତ କରିବେ ବୋଲି ୱେଲ୍ ସୂଚନା ଦେଇଛନ୍ତି। ଆବଶ୍ୟକ ହେଲେ ଭାରତରୁ ବିଶ୍ବକପ୍‌ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ୱେଲ୍।

ଦୁଇ ମାସ ଭିତରେ ନିର୍ବାଚନ କରିବୁ: ଇକ୍‌ବାଲ
ଏଫ୍‌ଆଇଏଚ୍‌ର ଦ୍ବିତୀୟ ଚିଠିକୁ ନେଇ ପ୍ରତିକ୍ରିୟା‌ ପ୍ରକାଶ କରି ସିଓଏ ସଦସ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ଜାଫର ଇକ୍‌ବା‌ଲ କହିଛନ୍ତି ଯେ ଆମେ ଏବେ ସେହି କାମରେ ଲାଗିଛୁ। ଦୁଇ ମାସ ଭିତରେ ସମ୍ବିଧାନ ସଂଶୋଧନ ସହ ନିର୍ବାଚନ କରିପାରିବୁ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ବିଶ୍ବକପ୍ ପୂର୍ବରୁ ନିଶ୍ଚିତ ଭାବେ ଏହି କାର୍ଯ୍ୟ ଶେଷ ହୋଇଯିବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସିଓଏର ଅନ୍ୟ ଦୁଇ ସଦସ୍ୟ କିନ୍ତୁ ଏଥିନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ସମ୍ବନ୍ଧିତ ଖବର