ଭାରତର ପ୍ରଶିକ୍ଷକ ପଦରୁ ବିଦା ହେବା ବିସ୍ମିତ କରିଥିଲା: ଅଲ୍ଟମାନ୍ସ

ଭୁବନେଶ୍ବର: ପ୍ରଶିକ୍ଷକ ପଦରୁ ଅଚାନକ ବିଦା ହେବା ମୋତେ ବହୁତ ବାଧିଥିଲା। ଯେତିକି ବାଧିଥିଲା, ତା’ଠାରୁ ଅଧିକ ବିସ୍ମିତ କରିଥିଲା। ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ରୋଲାଣ୍ଟ ଅଲ୍ଟମାନ୍ସ ଏହା କହିଛନ୍ତି। ସେହିଭଳି ହକି ଇଣ୍ଡିଆ ‌ତାଙ୍କୁ ଯେଭଳି ବ୍ୟବହାର କଲା ତାକୁ ନେଇ ସେ ବହୁତ ଦୁଃଖିତ ଥିବା ପ୍ରକାଶ କରିଛନ୍ତି। ଅଲ୍ଟମାନ୍ସ ୨୦୧୩ରେ ଭାରତୀୟ ହକିର ହାଇପର୍ଫମାନ୍ସ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ହେଲେ ଗତବର୍ଷ ସେପ୍ଟେମ୍ବର ମାସରେ ହକି ଇଣ୍ଡିଆ ଅଲ୍ଟମାନ୍ସଙ୍କୁ ଏହି ପଦରୁ ବିଦା କରି ଦେଇଥିଲା। ଗୁରୁବାର ସେ ନିଜ ମନ ବ୍ୟଥା ପ୍ରକାଶ କରି କହିଛନ୍ତି ଯେ ଜୀବନରେ ଏମିତି କିଛି ମୁହୂର୍ତ ଆସିଥାଏ, ଯେତେବେଳେ ଅନ୍ୟମାନେ ନିଷ୍ପତ୍ତି ନିଅନ୍ତି ଏବଂ ଆପଣ ଏହାକୁ ମାନିବାକୁ ବାଧ୍ୟ ହୁଅନ୍ତି। ମୁଁ ୫ ବର୍ଷ ଧରି ଭାରତରେ ଥିଲି। ବହୁତ ଚାପରେ କାମ କରୁଥିଲି। ଏବେ ଭାରତୀୟ ହକିର ଅଗ୍ରଗତି ଦେଖି ବହୁତ ଖୁସି ଲାଗୁଛି। ଅଲ୍ଟମାନ୍ସ ବିଶ୍ବକପ୍‌ରେ ମାଲେସିଆର ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର