ନ୍ୟୁୟର୍କ: ସ୍ପେନ୍ର ୧୯ ବର୍ଷୀୟ ଯୁବକ କାର୍ଲୋସ ଅଲ୍କାରାଜ ରବିବାର ୟୁଏସ୍ ଓପନ୍ ମୁକୁଟ ଜିତିବା ସହ ବିଶ୍ବର ଏକ ନମ୍ବର ଟେନିସ୍ ଖେଳାଳି ହୋଇଛନ୍ତି। ଆର୍ଥର ଏସ୍ ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ଏକକ ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଅଲ୍କାରାଜ ୬-୪, ୨-୬, ୭-୬ (୧), ୬-୩ ସେଟ୍ରେ ନରୱେର କାସ୍ପର ରୁଡ୍ଙ୍କୁ ହରାଇ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଥିଲେ। ଏଥିସହ ଅଲ୍କାରାଜ ମଧ୍ୟ ୟୁଏସ୍ ଓପନ୍ର ନୂଆ ବିଜେତା ହୋଇଥିଲେ। ନ୍ୟୁୟର୍କରେ ଖେଳାଯାଇଥିବା ଏହି ୨ ସପ୍ତାହିକ ପ୍ରତିଯୋଗିତାରେ ଆଲ୍କାରାଜ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ଦେଇ ବିଶ୍ବର ଏକ ନମ୍ବର ସ୍ଥାନରେ ଥିବା ଡାନିଲ ମେଦଭେଦଭଙ୍କୁ ହଟାଇ ଦେଇଥିଲେ। ଏଥିସହ ସେ ୧୯୭୩ରୁ ଆରମ୍ଭ ହୋଇଥିବା ଏଟିପି ମାନ୍ୟତାରେ ଶୀର୍ଷ ସ୍ଥାନ ଅଧିକାର କରିବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ବହନ କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ଲେଟନ ହେୱିଟ୍ଙ୍କ ନାମରେ ଥିଲା। ହେୱିଟ୍ ୨୦୦୧ରେ ୨୦ ବର୍ଷ ବୟସରେ ବିଶ୍ବର ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ଅଲ୍କାରାଜଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା ରୁଡ୍ ସପ୍ତମରୁ ଦ୍ବିତୀୟକୁ ଉଠିଛନ୍ତି।
ଅଲ୍କାରାଜଙ୍କ ୟୁଏସ୍ ଓପନ୍ ବିଜୟ ଯାତ୍ରା କଠିନ ଥିଲା। ଚତୁର୍ଥ ରାଉଣ୍ଡରେ ସେ ମାରିନ୍ ସିଲିକ୍ଙ୍କୁ, କ୍ବାର୍ଟର ଫାଇନାଲ୍ରେ ଇଟାଲିର ଜାନିକ ସିନରଙ୍କୁ ଏବଂ ସେମିଫାଇନାଲ୍ରେ ଆମେରିକାର ଫ୍ରାନ୍ସିସ୍ ତିଆଫୋଏଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲେ। ଏହି ୩ଟି ଯାକ ମ୍ୟାଚ୍ କଡ଼ା ସଂଘର୍ଷ ହେବା ସହ ୫ ସେଟ୍କୁ ଯାଇଥିଲା। ପ୍ରଶଂସକଙ୍କ ପସନ୍ଦରେ ଥିବା ଅଲ୍କାରାଜ ଫାଇନାଲ୍ର ପ୍ରଥମ ସେଟ୍କୁ ଜିତି ନେଇଥିଲେ। ଦ୍ବିତୀୟ ସେଟ୍ରେ କିନ୍ତୁ ରୁଡ୍ ଚମତ୍କାର ଖେଳି ସ୍ଥିତି ବରାବର କରିଥିଲେ। ତୃତୀୟ ସେଟ୍ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ସେଟ୍ ଟାଇବ୍ରେକ୍କୁ ଯାଇଥିଲା। ଏହାକୁ ଅଲ୍କାରାଜ ଜିତି ୨-୧ କରିଥିଲେ। ତେବେ ଶେଷ ସେଟ୍ରେ ଅଲ୍କାରାଜ ୭ ସିଧାସଳଖ ପଏଣ୍ଟ କରାୟତ୍ତ କରି ଟ୍ରଫି ନିଜ ନାମରେ କରିଥିଲେ।
‘‘ମୋର ପିଲା ବେଳର ସ୍ବପ୍ନ ଥିଲା ବିଶ୍ବର ଏକ ନମ୍ବର ହେବି ଏବଂ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବି। ମୋ ପରିବାର ଏବଂ ଦଳ ସହ କରିଥିବା କଠିନ ପରିଶ୍ରମର ଏହା ହେଉଛି ଫଳ। ମୋତେ ୧୯ ବର୍ଷ ହୋଇଥିବାରୁ ମୋର ପିତାମାତା ଏବଂ ଦଳ ସବୁ ନିଷ୍ପତ୍ତି ନେଇଥାନ୍ତି। ଏହି ବିଜୟ ନିଶ୍ଚିତ ମୋ ପାଇଁ ସ୍ବତନ୍ତ୍ର ଏବଂ ଖୁସିର। ୭ ମ୍ୟାଚ୍ରେ ୨୩ ଘଣ୍ଟା ୪୦ ମିନିଟ୍ କୋର୍ଟରେ କାଟିବା ପରେ ବି କ୍ଳାନ୍ତ ଅନୁଭବ କରୁନି। ମୋ ଭିତରେ ଥିବା ସମସ୍ତ ବଳକୁ ଏଠାରେ ଦେବି ବୋଲି ଚିନ୍ତା କରିଥିଲି’’ ବୋଲି ବିଜୟ ପରେ ଅଲ୍କାରାଜ କହିଛନ୍ତି।
ସିନିଆକୋଭା-କ୍ରେସିକୋଭାଙ୍କୁ ଟ୍ରଫି
ଚେକ୍ ଗଣରାଜ୍ୟ ଯୋଡ଼ି କାଟେରିନା ସିନିଆକୋଭା ଓ ବାର୍ବୋରା କ୍ରେସିକୋଭା ୟୁଏସ୍ ଓପନ୍ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଏହି ଯୋଡ଼ି ୩-୬, ୭-୫, ୬-୧ ସେଟ୍ରେ ଆମେରିକାର କେଟି ମ୍ୟାକ୍ନାଲି ଓ ଟେଲର ଟାଉନସେଣ୍ଡଙ୍କୁ ହରାଇଥିଲେ। ଏହା ସିନିଆକୋଭା ଓ କ୍ରେସିକୋଭାଙ୍କ ଚଳିତ ବର୍ଷର ତୃତୀୟ ଯୁଗଳ ଏବଂ ମୋଟ ଉପରେ ଷଷ୍ଠ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି। ଅଲିମ୍ପିକ୍ ସ୍ବର୍ଣ୍ଣ ବିଜୟିନୀ ଏହି ଯୋଡ଼ି ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍, ୱିମ୍ବଲଡନ୍ ଜିତିଥିଲେ।