ନ୍ୟୁୟର୍କ: ବିଶ୍ବ ଟେନିସ୍‌ର ନୂଆ ନାୟକ ସ୍ପେନ୍‌ର କାର୍ଲୋସ୍ ଅଲ୍‌କାରାଜ ୟୁଏସ୍ ଓପନ୍ ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ଗତବର୍ଷ ବିଜେତା ତଥା ଶୀର୍ଷ ସିଡ୍ ଇଟାଲିର ୟାନିକ ସିନ୍ନରଙ୍କୁ ୬-୨, ୩-୬, ୬-୧, ୬-୪ ସିଧାସଳଖ ସେଟ୍‌ରେ ଧରାଶାୟୀ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ସିନ୍ନରଙ୍କଠାରୁ ୟୁଏସ୍ ଓପନ୍ ଟ୍ରଫି ଛଡ଼ାଇ ନେବା ସହ ଏଟିପି ମାନ୍ୟତାର ଶୀର୍ଷରେ ତାଙ୍କର ୬୫ ସପ୍ତାହ ରାଜୁତିରେ ରୋକ୍ ଲଗାଇଛନ୍ତି। ସେହିଭଳି ନିଜ ଷଷ୍ଠ ଗ୍ରାଣ୍ଡସ୍ଲାମ୍ ବିଜୟ ସହ ବିଶ୍ବମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ଏହାକୁ ଆହୁରି ଅଭୁଲା ଓ ଅବିସ୍ମରଣୀୟ କରିଛନ୍ତି। ପୁଣି ସିନ୍ନରଙ୍କ ବିପକ୍ଷରେ ନିଜ ଜୟ-ପରାଜୟ ରେକର୍ଡକୁ ୧୦-୫କୁ ବଢ଼ାଇଛନ୍ତି।

Advertisment

ଗତ ଜୁନ୍ ମାସରେ ୨୨ବର୍ଷୀୟ ଅଲ୍‌କାରାଜ୍‌ ସିନ୍ନରଙ୍କ ବିରୋଧରେ ତିନିଟି ମ୍ୟାଚ୍ ପଏଣ୍ଟ୍‌ ବଞ୍ଚାଇ ଫ୍ରେଞ୍ଚ ଓପନ୍ ଟ୍ରଫି ବଜାୟ ରଖିଥିଲେ। ‌ମାସକ ପରେ ସିନ୍ନର ୱିମ୍ବଲଡନ୍ ଓପନ୍‌ରେ ଫେରି ଅଲ୍‌କାରାଜ୍‌ଙ୍କଠାରୁ ଟ୍ରଫି ଛଡ଼ାଇ ନେଇଥିଲେ। ରବିବାରର ୟୁଏସ୍ ଓପନ୍ ଫାଇନାଲ୍‌ରେ କିନ୍ତୁ ଫ୍ରେଞ୍ଚ୍ ଓପନ୍ ଫାଇନାଲ୍ ଭଳି ନାଟକୀୟ ପରିସ୍ଥିତି ସୃଷ୍ଟି ‌ହୋଇ ନଥିଲା। ୨୪ବର୍ଷୀୟ ସିନ୍ନରଙ୍କ ଉପରେ ଅଲ୍‌କାରାଜ ପ୍ରଥମ ସେଟ୍‌ରୁ ହିଁ ଭାରି ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ସେଟ୍‌କୁ ଜିତି ସିନ୍ନର ମ୍ୟାଚ୍‌ରେ କିଛିଟା ରୋମାଞ୍ଚ ଭରିଥିଲେ। ହେଲେ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ଅଲ୍‌କାରାଜ୍‌ ମ୍ୟାଚ୍ ଟ୍ରଫିକୁ କବ୍‌ଜା କରି ନେଇଥିଲେ। ଏହି ମ୍ୟାଚ୍ ଜିତିବାକୁ ଅବଶ୍ୟ ତାଙ୍କୁ ୨ ଘଣ୍ଟା ୪୨ ମିନିଟ୍ କାଳ ଲଢ଼ିବାକୁ ପଡ଼ିଥିଲା। ଏହି ବିଜୟ ପରେ ଅଲ୍‌କାରାଜଙ୍କୁ ସ୍ପେନ୍‌ର କିଂବଦନ୍ତି ଟେନିସ୍ ତାରକା ତଥା ପୂର୍ବ ବିଜେତା ରାଫେଲ ନାଦାଲ ଭୂୟସୀ ପ୍ରଶଂସା କରିଥିଲେ। ଆଗକୁ ଗୋଟିଏ ବର୍ଷରେ ଚାରିଟି ଗ୍ରାଣ୍ଡସ୍ଲାମ୍ ଜିତି କ୍ୟାରିୟର୍ ସ୍ଲାମ୍ କରିବାକୁ ଅଲ୍‌କାରାଜ୍‌ଙ୍କୁ ଆହ୍ବାନ କରିଛନ୍ତି।