ନ୍ୟୁୟର୍କ: ସର୍ବିୟାର ମହାନ ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ବପ୍ନ ସାକାର ବିଳମ୍ବିତ ହୋଇଛି। ଏକାଧିକ ବିଶ୍ବ ରେକର୍ଡ ସହ ଚଳିତ ୟୁଏସ୍ ଓପନ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଏହି ୩୮ ବର୍ଷୀୟ କିଂବଦନ୍ତି ଦୀର୍ଘ ୨ଘଣ୍ଟା ୨୫ ମିନିଟ୍ କାଳ ଲଢ଼େଇ କରି ଦ୍ବିତୀୟ ସିଡ୍ ସ୍ପେନ୍‌ର କାର୍ଲୋସ୍ ଆଲକାରାଜ୍‌ଙ୍କଠାରୁ ୬-୪, ୭-୬ (୪), ୬-୨ ସେଟ୍‌ରେ ହାରି ଯାଇଛନ୍ତି। ଫଳରେ ପୁଣି ଥରେ ୟୁଏସ୍ ଓପନ୍ ଟ୍ରଫି ଫେରି ପାଇବାରୁ ବଞ୍ଚିତ ହୋଇଛନ୍ତି। ଫ୍ଲସିଂ ମିଡୋସ୍‌ କୋର୍ଟରେ ଏହି ମହାଟକ୍କରକୁ ଦେଖିବାକୁ ପ୍ରବଳ ଉତ୍ସାହ ପରିଲକ୍ଷିତ ‌ହୋଇଥିଲା। ଜୋକୋଭିକ୍‌ ମଧ୍ୟ ନିରାଶ କରି ନଥିଲେ। ନିଜ ଅଭିଜ୍ଞତା ଓ ଉନ୍ନତ କଳା କୌଶଳ ବଳରେ ଆଲକାରାଜ୍‌ଙ୍କୁ ‌ଅନେକ ଥର ପରୀକ୍ଷାରେ ପକାଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ୧୬ ବର୍ଷର ବୟସର ପାର୍ଥକ୍ୟ ମ୍ୟାଚ୍ ବେଳେ ସ୍ପଷ୍ଟ ବାରି ‌ହୋଇଥିଲା। ୨୨ବର୍ଷୀୟ ଆଲକାରାଜ୍‌ ନିଜ ଶକ୍ତିଶାଳୀ ସର୍ଭିସ୍ ସହ କୋର୍ଟ ଭିତରେ ଚିତା ଭଳି ଗତି ମୁଭ୍‌ମେଣ୍ଟ୍ କରି ଜୋକୋଭିକ୍‌ଙ୍କୁ ଚକ୍‌ମା ଦେଇଥିଲେ।

Advertisment

ଏହି ବିଜୟ ସହ ସେ ମଧ୍ୟ ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଏବଂ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଜୋକୋଭିକ୍‌ଙ୍କଠାରୁ ହାରିବାର ଠିକଣା ପ୍ରତିଶୋଧ ନେଇଥିଲେ। ସପ୍ତମ ଥର ଲାଗି କୌଣସି ଗ୍ରାଣ୍ଡସ୍ଲାମ୍‌ର ଫାଇନାଲ୍‌ରେ ପ୍ରବେଶ କରିବା ସହ ଷଷ୍ଠ ବଡ଼ ଟ୍ରଫି ବିଜୟ ଦିଗରେ ଏକ ବଡ଼ ପାଦ ବଢ଼ାଇଥିଲେ। ୟୁଏସ୍ ଓପନ୍‌ରେ ଏହା ତାଙ୍କର ଦ୍ବିତୀୟ ଫାଇନାଲ୍ ଟିକେଟ ଥିଲା। ସେହିଭଳି ଜୋକୋଭିକଙ୍କୁ ହରାଇବା ପରେ ଆସନ୍ତା ଏଟିପି ମାନ୍ୟତାରେ ସେ ଏକ ନମ୍ବର ସ୍ଥାନକୁ ଫେରିବା ମଧ୍ୟ ନିଶ୍ଚିତ ହୋଇଛି। ଫାଇନାଲ୍‌ରେ ସେ ଇଟାଲିର ୨୪ବର୍ଷୀୟ ଶୀର୍ଷ ସିଡ୍ ଖେଳାଳି ୟ‌ାନିକ ସିନ୍ନରଙ୍କୁ ଭେଟିବେ। ଲଗାତାର ଦ୍ବିତୀୟ ୟୁଏସ୍ ଓପନ୍ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ସିନ୍ନର ଅନ୍ୟ ସେମିଫାଇନାଲ୍‌ରେ କାନାଡାର ୨୫ତମ ସିଡ୍ ଫେଲିକ୍ସ ଅଗେର ଆଲିଆସିମେଙ୍କୁ ୬-୧, ୩-୬, ୬-୩, ୬-୪ରେ ପରାସ୍ତ କରିଛନ୍ତି।

ଦାବ୍ରୋସ୍କି-ରୌତଲିଫେ ମହିଳା ଯୁଗଳ ବିଜେତା
ୟୁଏସ୍ ଓପନ୍ ମହିଳା ଯୁଗଳରେ କାନାଡାର ଗାବ୍ରିଏଲା ଦାବ୍ରୋସ୍କି ଏବଂ ନ୍ୟୁଜିଲାଣ୍ଡର ଏରିନ ରୌତଲିଫେ ବିଜେତା ହୋଇଛନ୍ତି। ଏଠାରେ ଏହା ହେଉଛି ସେମାନଙ୍କର ଦ୍ବିତୀୟ ଟ୍ରଫି। ଫାଇନାଲ୍‌ରେ ଏହି କାନାଡା-କିୱି ଯୋଡ଼ି ଚେକ୍ ରିପବ୍ଲିକ୍‌ର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ୍‌ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍‌ରେ ହରାଇଥିଲେ। ଏଥିସହିତ ଉଭୟ ୧ ନିୟୁଲ ଡଲାର (ପ୍ରାୟ ସାଢ଼େ ୯ କୋଟି ଟଙ୍କା) ପୁରସ୍କାର ଜିତିଥିଲେ।