ପ୍ୟାରିସ: ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ୟାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨) ସେଟ୍‌ରେ ପରାସ୍ତ କରି ଦ୍ବିତୀୟ ସିଡ୍ ସ୍ପେନ୍‌ର କାର୍ଲୋସ୍ ଆଲ୍‌କାରାଜ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଟ୍ରଫି ଜିତି ନେଇଛନ୍ତି। ଗତବର୍ଷ ଏଠାରେ ନିଜର ପ୍ରଥମ ଟ୍ରଫି ଜିତିଥିବା ଆଲକାରାଜଙ୍କ କ୍ୟାରିୟର୍‌ର ଏହା ପଞ୍ଚମ ଗ୍ରାଣ୍ଡ୍‌ସ୍ଲାମ୍ ବିଜୟ। ରବିବାର ୨୨ ବର୍ଷୀୟ ଆଲକାରାଜ ଫ୍ରେଞ୍ଚ ଓପନ୍ ଫାଇନାଲ୍‌ର ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ ଦୁଇ ସେଟ୍‌କୁ ହାରିବା ପରେ ପରବର୍ତ୍ତୀ ତିନି ସେଟ୍‌ ଜିତି ସିନ୍ନରଙ୍କ ପଞ୍ଝାରୁ ଟ୍ରଫି ଛଡ଼ାଇ ନେଇଥିଲେ। ଫଳରେ ସିନ୍ନରଙ୍କ ପ୍ରଥମ ଫ୍ରେଞ୍ଚ ଓପନ୍ ବିଜୟ ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ଫାଇନାଲ୍‌ର ୫ଟିରୁ ତିନିଟି ସେଟ୍ ଟାଇବ୍ରେକର୍‌ରେ ଫୈସଲା ହେବା ଉଲ୍ଲେଖନୀୟ ରହିଥିଲା।

Advertisment

ଜୋକୋଭିକ୍‌ ଉଠିଲେ
ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ୨୪ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ନୋଭାକ ଜୋକୋଭିକ୍‌ ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତାରେ ଉପରକୁ ଉଠିଛନ୍ତି। ଏହି ସର୍ବିୟା ତାରକା ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛନ୍ତି। ଉପବିଜେତା ଇଟାଲିର ଜାନ୍ନିକ ସିନ୍ନର (୧୦୮୮୮ ପଏଣ୍ଟ) ଏବଂ ବିଜେତା ସ୍ପେନ୍‌ର କାର୍ଲସ ଅଲ୍‌କାରାଜ (୮୮୫୦ ପଏଣ୍ଟ୍‌) ପୂର୍ବ ପରି ଶୀର୍ଷ ୨ ସ୍ଥାନ ବଜାୟ ରଖିଛନ୍ତି। ଜର୍ମାନୀର ଆଲେକ୍‌ଜାଣ୍ଡର ‌ଭେରେଭ ତୃତୀୟ, ଜାକ ଡ୍ରାପର ଚତୁର୍ଥରେ ରହିଛନ୍ତି।