ନ୍ୟୁୟର୍କ: ସ୍ପେନ୍ର ଯୁବ ତାରକା କାର୍ଲୋସ୍ ଅଲ୍କାରାଜ ଚଳିତ ୟୁଏସ୍ ଓପନ୍ରେ ନାଟକୀୟ ବିଜୟ ପାଇଛନ୍ତି। ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଏହି ୧୯ ବର୍ଷୀୟ ଯୁବକ ୫ ଘଣ୍ଟାରୁ ଊର୍ଧ୍ବ ସମୟ ଧରି କଡ଼ା ସଂଘର୍ଷ କରିବା ପରେ ୨୧ ବର୍ଷୀୟ ଇଟାଲି ଯୁବକ ଜାନିକ ସିନରଙ୍କୁ ମାତ୍ ଦେଇଥିଲେ। ବୁଧବାର ୫ ସେଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ଅଲ୍କାରାଜ ୬-୩, ୬-୭ (୭), ୬-୭ (୦), ୭-୫, ୬-୩ ସେଟ୍ରେ ଏକାଦଶ ମାନ୍ୟତାପ୍ରାପ୍ତ ସିନରଙ୍କୁ ହରାଇ ପ୍ରଥମ ଥର କୌଣସି ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ। ଏଥିସହ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ମୁକୁଟ ସହ ଶୀର୍ଷ ମାନ୍ୟତା ହାସଲ ଆଶାକୁ ବଳବତ୍ତ ରଖିଛନ୍ତି। ଶୁକ୍ରବାର ସେମିଫାଇନାଲ୍ରେ ସେ ଆମେରିକାର ଫ୍ରାନ୍ସିସ୍ ତିଆଫୋଏଙ୍କୁ ଭେଟିବେ। ୨୨ ମାନ୍ୟତାପ୍ରାପ୍ତ ତିଆଫୋଏ ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ୭-୬ (୩), ୭-୬ (୦), ୬-୪ ସେଟ୍ରେ ନବମ ମାନ୍ୟତାପ୍ରାପ୍ତ ରୁଷିଆର ଆନ୍ଦ୍ରେ ରୁବ୍ଲେଭଙ୍କୁ ପରାସ୍ତ କରି ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
ମହିଳା ସେମିରେ ସ୍ବିତେକ-ସାବାଲେଙ୍କା ମୁହାଁମୁହିଁ
ମହିଳା ଏକକ ସେମିଫାଇନାଲ୍ରେ ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ମୁହାଁମୁହିଁ ହେବେ। ପୋଲାଣ୍ଡ ଲଳନା ୨୧ ବର୍ଷୀୟା ସ୍ବିତେକ ୬-୩, ୭-୬ (୪) ସିଧାସଳଖ ସେଟ୍ରେ ଆମେରିକାର ଅଷ୍ଟମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲାଙ୍କୁ ହରାଇଥିଲେ। ଦୁଇ ଥରର ଏହି ଫ୍ରେଞ୍ଚ୍ ଓପନ୍ ବିଜୟିନୀଙ୍କ ଏହା ପ୍ରଥମ ୟୁଏସ୍ ଓପନ୍ ସେମିଫାଇନାଲ୍ ପ୍ରବେଶ। ସେହିପରି ବେଲାରୁଷର ସାବାଲେଙ୍କା ୬-୧, ୭-୬ (୪) ସେଟ୍ରେ ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଥିଲେ। ଏଥିସହ ସାବାଲେଙ୍କା ଲଗାତାର ଦ୍ବିତୀୟ ଥର ଲାଗି ୟୁଏସ୍ ଓପନ୍ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ।