ଓଡ଼ିଶା ହକିର ଅଲିଭା ଜ୍ୟୋତି: ସ୍ୱର୍ଣ୍ଣ ବିଜେତା ଓଡ଼ିଆ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮୮ ବର୍ଷ ଇତିହାସରେ ହାତଗଣତି ଓଡ଼ିଆ ଜିତିଛନ୍ତି ପଦକ। ସୀମିତ କିଛି ଖେଳରୁ ମିଳିଥିବା ଡଜନରୁ ଊର୍ଧ୍ୱ ପଦକ ମଧ୍ୟରେ ମାତ୍ର ୨ ଜଣ ଓଡ଼ିଆ ହିଁ ଜିତି ପାରିଛନ୍ତି ସ୍ୱର୍ଣ୍ଣ। ସେହି ଦୁଇ ଜଣ ହେଲେ ଭାରୋତ୍ତୋଳକ କାଟୁଲୁ ରବି କୁମାର ଏବଂ ହକି ତାରକା ଜ୍ୟୋତି ସୁନୀତା କୁଲୁ। ପ୍ରଥମ ଓଡ଼ିଆ ମହିଳା ଭାବେ ଜ୍ୟୋତି ସୁନୀତା ସ୍ୱର୍ଣ୍ଣ ପଦକ ଜିତି କରିଥିବା କୀର୍ତିମାନ ଏବେ ମଧ୍ୟ ଅତୁଟ ରହିଛି। କେବଳ ସ୍ୱର୍ଣ୍ଣ ନୁହେଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ମଧ୍ୟ ରବି କୁମାର ଓ ଜ୍ୟୋତି ସୁନୀତା କୁଲୁଙ୍କ କୀର୍ତିମାନ ସମାନ ରହିଛି। ରବି କୁମାର ୨୦୧୦ରେ ସ୍ୱର୍ଣ୍ଣ, ୨୦୧୪ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ଜ୍ୟୋତି ୨୦୦୨ରେ ସ୍ୱର୍ଣ୍ଣ ଓ ୨୦୦୬ରେ ରୌପ୍ୟ ପଦକ ହାସଲ କରିଥିଲେ। ବହୁ ବିଳମ୍ବରେ ହେଲେ ବି ୨୦୦୭ ମସିହାରେ ଜ୍ୟୋତିଙ୍କୁ ମିଳିଥିଲା ଦେଶର ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାର। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆ କପ୍‌, ଏସୀୟ କ୍ରୀଡ଼ା, ବିଶ୍ୱକପ୍‌, ଆଫ୍ରୋ ଏସିଆ କ୍ରୀଡ଼ା ଆଦି ସମସ୍ତ ବଡ଼ ବଡ଼ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ ଦଳର ନେତୃତ୍ୱ ନେଇ ରୌପ୍ୟ ପଦକ ଜିତିଥିଲେ ଏହି ଅଗ୍ରଭାଗ ଖେଳାଳି। ସୁନ୍ଦରଗଡ଼ ହକିର ଅନ୍ୟତମ ପରିଚିତ ନାଁ ଜ୍ୟୋତି ସୁନୀତା ୧୯୯୬ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ (ଇନ୍ଦିରା ଗାନ୍ଧୀ ଗୋଲ୍‌ଡ କପ୍‌, ନୂଆଦିଲ୍ଲୀ) କରିବା ପରେ ଏକ ଦଶନ୍ଧି ଧରି ଭାରତୀୟ ଦଳର ନିୟମିତ ସଦସ୍ୟ ପାଲଟିଥିଲେ। ଖେଳ ଜୀବନର ପ୍ରାରମ୍ଭରେ ହିଁ ଜ୍ୟୋତିଙ୍କୁ ମିଳିଥିଲା ସ୍ୱର୍ଣ୍ଣିମ ସଫଳତା। ଇନ୍ଦିରାଗାନ୍ଧୀ ଗୋଲ୍‌ଡ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ କରିବା ପରେ ୧୯୯୮ ମସିହାରେ ୩ ପ୍ରମୁଖ ପ୍ରତିଯୋଗିତା ୟୁଟ୍ରେକ୍‌ ବିଶ୍ୱକପ୍‌, କୁଆଲାଲମ୍ପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବ୍ୟାଙ୍କକ୍‌ରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ଏହା ଥିଲା ଜ୍ୟୋତିଙ୍କ ପ୍ରଥମ ବହୁଦେଶୀୟ ପ୍ରତିଯୋଗିତା ସଫଳତା। ପରବର୍ତୀ ବର୍ଷ ୧୯୯୯ରେ ନୂଆଦିଲ୍ଲୀ ଏସିଆ କପ୍‌ରେ ମଧ୍ୟ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ଥିଲେ ଅନ୍ୟତମ ସଦସ୍ୟା। କେବଳ ଅଲିମ୍ପିକ୍‌ ଅବସୋସ ରହିଯାଇଥିଲା ଜ୍ୟୋତିଙ୍କ ଖେଳ ଜୀବନରେ। ୨୦୦୦ ମସିହାର ମିଲ୍‌ଟନ୍‌ କେନ୍‌ସ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଦଶମ ସ୍ଥାନରେ ରହିବାରୁ ସେ ବଞ୍ଚିତ ହୋଇଥିଲେ। ତେବେ ୨୦୦୨ ମସିହାରେ ଜୋହାନେସ୍‌ବର୍ଗରେ ଚାମ୍ପିଅନ୍‌ସ ଚାଲେଞ୍ଜ୍‌ ହକିରେ କାଂସ୍ୟ ପଦକ ଏବଂ ସେହିବର୍ଷ ଇଂଲଣ୍ଡର ମାଞ୍ଚେଷ୍ଟର୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ରଚିଥିଲେ ନୂଆ ଇତିହାସ। ଯାହା ଓଡ଼ିଶାର କୌଣସି ପୁରୁଷ ହକି ଖେଳାଳିଙ୍କ ଜୀବନରେ ମଧ୍ୟ ସମ୍ଭବ ହୋଇନାହିଁ। ୨୦୦୩ରେ ହାଇଦ୍ରାବାଦ ଆଫ୍ରୋ ଏସିଆ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ, ୨୦୦୪ ନୂଆଦିଲ୍ଲୀ ଏସିଆ କପ୍‌ରେ ସ୍ୱର୍ଣ୍ଣ ପଦକ ପରେ ୨୦୦୬ ମେଲ୍‌ବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବାର ଗୌରବ ରଖିଛନ୍ତି ଏହି ଅର୍ଜୁନ ବିଜୟିନୀ।

ଜାତୀୟ ସ୍ତରରେ ମଧ୍ୟ ରହିଛି ଜ୍ୟୋତିଙ୍କ ଜମାଣିଆ ଖେଳ ଜୀବନ ସଫଳତା। ୧୯୯୯ରେ ତିରୁପତିରେ ଫେଡେରେସନ୍‌ କପ୍‌ ରୌପ୍ୟ, ୨୦୦୧ ଲୁଧିଆନା ଜାତୀୟ କ୍ରୀଡ଼ାରେ ପଞ୍ଜାବ ପାଇଁ ଖେଳି କାଂସ୍ୟ ପଦକ ଜିତିଥିଲେ। ଜାତୀୟ ମହିଳା ହକିରେ ମଧ୍ୟ ଦୁଇ ଥର ବିଜେତା ହେବାର ଗୌରବ ପାଇଥିଲେ। ୨୦୦୩ରେ ହରିଆନା ବିପକ୍ଷରେ ହ୍ୟାଟ୍ରିକ୍‌ ଏବଂ ୨୦୦୨ରେ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ (୯) ହୋଇଥିଲେ। ଭାରତ ପାଇଁ ମୋଟ ୧୭୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ସହିତ ୩୫ରୁ ଊର୍ଧ୍ୱ ଗୋଲ୍‌ ଦେଇଥିଲେ। ରେଳବାଇରେ ନିଯୁକ୍ତ ଥିବା ଜ୍ୟୋତି ମଧ୍ୟ ହକି ଖେଳାଳି ଆଲବର୍ଟ ଟେଟେଙ୍କୁ ବିବାହ କରି ରାଜ୍ୟର ଅନ୍ୟତମ ହକି ଦମ୍ପତି ତାଲିକାରେ ରହିଛନ୍ତି। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଖେଳ ଜୀବନ ଆରମ୍ଭ କରି ବିଶ୍ୱ ହକିରେ ଚମକ ଛାଡ଼ିଥିବା ଜ୍ୟୋତିଙ୍କୁ ଓଡ଼ିଶା କ୍ରୀଡ଼ାର ଅଲିଭା ଜ୍ୟୋତି କହିଲେ ବି ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର