ଧୋନିଙ୍କୁ ଦେଶବ୍ୟାପୀ ସମର୍ଥନ, ସେନା ଟୋପିର ଜବାବ ବିଶ୍ବକପ୍‌ରେ ଦେଇଥାଆନ୍ତା ପାକିସ୍ତାନ!

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ବଳିଦାନ ଗ୍ଲୋଭସ୍ ବିବାଦ ଲାଗି ଭାରତୀୟ କ୍ରୀଡ଼ା ଦୁନିଆ ଏବେ ଏକଜୁଟ ହୋଇଯାଇଛି। ୱିକେଟରକ୍ଷଣ ଗ୍ଲୋଭ୍‌ସରେ ଧୋନି ବ୍ୟବହାର କରୁଥିବା ବଳିଦାନ ସଦୃଶ ପ୍ରତୀକକୁ ଆଇସିସି ନାପସନ୍ଦ କରିଥିଲେ ମଧ୍ୟ ଏହା କୌଣସି ନିୟମ ବହିଃର୍ଭୁତ କାର୍ଯ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଉଠିଛି। ଖେଳାଳି, ପୂର୍ବତନ ଖେଳାଳି, କ୍ରୀଡ଼ା ପ୍ରଶାସକ ଏବଂ ରାଜନୈତିକ ବ୍ୟକ୍ତିମାନେ ଏହାକୁ ମୁକ୍ତକଣ୍ଠରେ ସମର୍ଥନ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ବିସିସିଆଇକୁ ଅନୁରୋ‌ଧ କରି ଏହି ପ୍ରସଙ୍ଗକୁ ତୁରନ୍ତ ସମାଧାନ କରିବାକୁ କହିଛନ୍ତି। ଏହି ପ୍ରସଙ୍ଗ ଦେଶର ଭାବନା ସହିତ ଜଡ଼ିତ ଏବଂ ଦେଶର ସ୍ବାର୍ଥ ପ୍ରସଙ୍ଗ। ମହେନ୍ଦ୍ର ସିଂହ ଧୋନି ପ୍ରସଙ୍ଗରେ ବିସିସିଆଇ ତୁରନ୍ତ ଏକ ଉଚିତ ପଦକ୍ଷେପ ନେଉ ବୋଲି ରିଜିଜୁ ମତ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଧୋନି ବ୍ୟବହାର କରିଥିବା ପ୍ରତୀକାତ୍ମକ ସାମରିକ ‌ଲୋଗୋ ବଳିଦାନ ଭଳି ଥିବାରୁ ଏଭଳି ବିବାଦ ଉଠିଛି।

ଧୋନିଙ୍କୁ ତାଙ୍କ ଚେନ୍ନାଇ ସୁପର୍ କିଙ୍ଗସ ତଥା ଭାରତୀୟ ଦଳ ସାଥୀ ସୁରେଶ ରାଇନା ସମର୍ଥନ କରିଛନ୍ତି। ପୂର୍ବତନ ସାଥୀ ଆର୍ ପି ସିଂହ, ଲଣ୍ଡନ୍ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ଭାରତୀୟ ଯୁବ ଧାବିକା ହିମା ଦାସ ମଧ୍ୟ ସମର୍ଥନ କରିଛନ୍ତି। ଆମେ ସମସ୍ତେ ଦେଶକୁ ଭଲ ପାଉ ଏବଂ ଧୋନି ତାହା ହିଁ କରିଛନ୍ତି। ଦେଶପାଇଁ ବଳିଦାନ ଦେଇଥିବା ସେନାମାନଙ୍କୁ ସଲାମ ଜଣାଇବା ଏବଂ ସମ୍ମାନିତ କରିବା ଉଚିତ। ଏହାକୁ ଦେଶଭକ୍ତି କାର୍ଯ୍ୟ କୁହାଯିବ ବୋଲି ରାଇନା ଟ୍ବିଟ୍ କରିଛନ୍ତି। ଯୋଗେଶ୍ବର ଦତ୍ତ କହିଛନ୍ତି, ‌ଏହି ଚର୍ଚିତ ଲୋଗୋକୁ କାଢ଼ି ନିଆଗଲେ ଏହା ଭାରତୀୟ ସେନା ପ୍ରତି ଅପମାନ ଭଳି ହେବ।‌‌ ଧୋନିଙ୍କ ଭଳି ଦେଶଭକ୍ତଙ୍କୁ ଆମେ ସମର୍ଥନ କରୁଛୁ ବୋଲି ଯୋଗେଶ୍ବର କହିଛନ୍ତି। ‘ଧୋନି ଭାଇଙ୍କ ସହ ଭାରତ ରହିଛି, ମୁଁ ବି ମାହି ଭାଇଙ୍କ ସହ ଅଛି, ଜୟ ଭାରତ..’ ବୋଲି ବିଶ୍ବ ଯୁବ ଦୌଡ଼କୁଦ ସ୍ବର୍ଣ୍ଣ ବିଜୟିନୀ ହିମା ନିଜ ଟ୍ବିଟର୍ ପୃଷ୍ଠାରେ ଲେଖିଛନ୍ତି। ଧୋନିଙ୍କ ଆଚରଣ ତାଙ୍କ ପ୍ରଶଂସକଙ୍କୁ ଦେଶଭକ୍ତି ଆଡକୁ ପ୍ରେରଣା‌ ଯୋଗାଇଛି ବୋଲି ଆର୍ ପି ସିଂହ କହିଛନ୍ତି। ଏହା କାହିଁକି ଆଇସିସି ପାଇଁ ଚିନ୍ତା ଆଣିଛି ବୁଝା ପଡୁନାହିଁ ବୋଲି ଆର୍ ପି ପ୍ରକାଶ କରିଛନ୍ତି। ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଉଚୁଙ୍ଗ ଭୂତିଆ କିନ୍ତୁ କହିଛନ୍ତି ଧୋନି ଏହାକୁ ହଟାଇ ଦେବା ଉଚିତ୍। ଏହି ପ୍ରସଙ୍ଗରେ ଆଇସିସି କ୍ରିକେଟ୍ ଅପରେସନ୍ ବିଭାଗର ଆଲୋଚନା କରିବ ବୋଲି ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂହ ମଧ୍ୟ ବଳିଦାନ ଲୋଗୋ ବ୍ୟବହାରକୁ ସମର୍ଥନ କରିଛନ୍ତି। ଧୋନି ଏହା ଦ୍ବାରା ଦେଶଭକ୍ତି ଏବଂ‌ ସେନାଙ୍କ ପ୍ରତି ସମ୍ମାନ ପ୍ରଦାନ କରିଛନ୍ତି। ଆଇସିସି ଏକଥା ବୁଝିବା ଉଚିତ୍ ଯେ ଏହ‌ି ଆଚରଣ କୌଣସି ରାଜନୈତିକ, ଧାର୍ମିକ, ବର୍ଣ୍ଣବୈଷମ୍ୟକୁ ପ୍ରୋତ୍ସାହିତ କରୁନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସୁନିଲ ଗାଭାସ୍କର କହିଛନ୍ତି ଆଇସିସି ନିୟମ ଅନୁସରଣ କରାଯିବା ଉଚିତ। କିନ୍ତୁ ଭାରତୀୟ ଦଳ ଏହି ବିବାଦକୁ ପଛରେ ପକାଇ ବିଶ୍ବକପ୍‌ ଉପରେ ଏକାଗ୍ର ରହିବା ଉଚିତ।

‘ଯେସାକୁ ତେସା’କୁ ଇମ୍ରାନଙ୍କ ନା
ଲଣ୍ଡନ: ପୁଲବ‌‌ାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଯାଇ ରାଞ୍ଚିରେ ଗତ ଜୁନ୍ ୧୬ ତାରିଖରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳ ‌ସେନା ଟୋପି ପିନ୍ଧିଥିଲା। ପାକିସ୍ତାନ ସେତେବେଳେ ଏହାକୁ ତୀବ୍ର ବିରୋଧ କରିଥିଲା। ହେଲେ ବିସିସିଆଇ ଏଥିନେଇ ପୂର୍ବରୁ ଅନୁମତି ନେଇ ସାରିଥିବାରୁ ଆଇସିସି ପାକିସ୍ତାନର ବିରୋଧକୁ ସେତେଟା ଗୁରୁତ୍ବ ଦେଇ ନଥିଲା। ଏହି ଘଟଣାର ଉତ୍ତର କିନ୍ତୁ ପାକିସ୍ତାନ କ୍ରିକେଟ୍ ଦଳ ବିଶ୍ବକପ୍‌ରେ ଦେବାକୁ ମସୁଧା କରିଥିଲା। ଆସନ୍ତା ୧୬ ତାରିଖରେ ଖେଳା ଯିବାକୁ ଥିବା ବିଶ୍ବକପ୍ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳର ପ୍ରତ୍ୟେକ ୱିକେଟ୍ ପତନକୁ ପାକିସ୍ତାନ ଖେଳାଳିମାନେ ଏକ ବିଶେଷ ଢଙ୍ଗରେ ପାଳନ କରିଥାଆନ୍ତେ। ଏଥିନେଇ ଏକ ପ୍ରସ୍ତାବ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ବକପ୍ ବିଜୟୀ ଅଧିନାୟକ ଇମ୍ରାନ ଖାନ୍‌ଙ୍କ ପାଖକୁ ପାକିସ୍ତାନ ଦଳୀୟ ଅଧିକାରୀମାନେ ପଠାଇଥିଲେ। ହେଲେ ଇମ୍ରାନ ଏହାକୁ ଆଗ୍ରହ୍ୟ କରି ଦେଇଥିବା ଜଣାପଡ଼ିଛି। ଯେସାକୁ ତେସା ନୀତି ନ ଆପଣାଇ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପାକ୍ ଖେଳାଳିଙ୍କୁ ପରାମର୍ଶ ଦେଇଥିବା ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ)ର ଜଣେ ଅଧିକାରୀ କହିଛନ୍ତି। ଭାରତ ମ୍ୟାଚ୍‌ରେ କୌଣସି ପ୍ରକାର ରାଜନୀତି କିମ୍ବା ଉଗ୍ର ଆଚରଣ ପ୍ରଦର୍ଶନ ନକରିବାକୁ ପିସିବି ମୁଖ୍ୟ ଏହସାନ ମଣି ବି ନିଜ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି। ଏହା ପୂର୍ବରୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ଲାହୋରର ଗଦ୍ଦା‌ଫି ଷ୍ଟାଡିୟମରେ ଇଦ-ଉଲ୍-ଫିତର ନମାଜ ପଢ଼ିବା ଲାଗି ମାଗିଥିବା ଅନୁମତିକୁ ଇମ୍ରାନ ସରକାର ଅଗ୍ରାହ୍ୟ କରି ଦେଇଥିଲା।

ସମ୍ବନ୍ଧିତ ଖବର