ସବୁ ଜିଲ୍ଲା କ୍ରୀଡ଼ା ସଂଘରେ ଅଚଳାବସ୍ଥା:ଓସିଏ ଅନୁଦାନ ବନ୍ଦ

ସମ୍ବଲପୁର/ଭୁବନେଶ୍ୱର: ବର୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲା କ୍ରୀଡ଼ା ସଂଘ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। କାରଣ ଦୁଇ ବର୍ଷ ହେବ ଓଡ଼ିଶା କ୍ରିକେଟ୍‌ ସଂଘରୁ ଜିଲ୍ଲା ସଂଘଗୁଡ଼ିକୁ ମିଳୁଥିବା ଆର୍ଥିକ ଅନୁଦାନ ବନ୍ଦ ହୋଇ ଯାଇଛି। ଓସିଏ ଅନୁଦାନ ଅଧିକାଂଶ ଜିଲ୍ଲା କ୍ରୀଡ଼ା ସଂଘ, ବିଶେଷ କରି ଛୋଟଛୋଟ ଜିଲ୍ଲା ସଂଘ ଗୁଡ଼ିକର ମୁଖ୍ୟ ଆୟର ଉତ୍ସ। ତେଣୁ ଏହି ଅନୁଦାନ ବନ୍ଦ ହେବା ପରେ ଅଧିକାଂଶ ସଂଘରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସଂଘମାନେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ଦଳ ପଠାଇବା, ତାଲିମ ଶିବିର ଆୟୋଜନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଜିଲ୍ଲାରେ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବନ୍ଦ ହୋଇ ଯାଇଛି। ଫଳରେ ରାଜ୍ୟରେ କ୍ରିକେଟ୍‌ ସମେତ ସବୁ ଖେଳ ତ୍ରୁଣମୂଳସ୍ତରରୁ ପ୍ରଭାବିତ ହୋଇଛି।

ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ୨ ବର୍ଷ ହେଲା ବିସିସିଆଇ ଲୋଧା ସମିତିର ନିୟମାବଳୀ ଅନୁଯାୟୀ ପରିଚାଳିତ ହେଉଛି। ବିସିସିଆଇର ପ୍ରମୁଖ କର୍ମକର୍ତ୍ତାମାନେ ପଦଚ୍ୟୁତ ହୋଇଛନ୍ତି। କେତେକ ରାଜ୍ୟ ସଂଘର ପ୍ରମୁଖ କର୍ମକର୍ତ୍ତାମାନେ ବି ପଦରୁ ଅବ୍ୟାହତି ନେଇଛନ୍ତି। ହେଲେ ଏହାପରେ କୌଣସି ମତେ ଅନ୍ତର୍ଜାତୀୟ ଓ ଜାତୀୟସ୍ତରର କ୍ରିକେଟ୍‌ ପରିଚାଳିତ ହେଉଥିଲାବେଳେ ତ୍ରୁଣମୂଳସ୍ତରରେ ଏହା ଭୁଶୁଡ଼ି ପଡ଼ିଛି। ଓଡ଼ିଶା କ୍ରିକେଟ୍‌ ସଂଘ ଏହାର ପୁରୁଷ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତା କଳାହାଣ୍ଡି କପ୍‌ ସମେତ ସମସ୍ତ ଘରୋଇ ପ୍ରତିଯୋଗିତା ଗତ ଋତୁରେ ବନ୍ଦ କରି ଦେଇଥିଲା। ବିସିସିଆଇ ଅନୁଦାନ ନମିଳିବା କାରଣରୁ ଓସିଏ ସମସ୍ତ ଘରୋଇ ପ୍ରତିଯୋଗିତା ବନ୍ଦ କରିବାକୁ ବାଧ୍ୟ ହୋଇଛି ବୋଲି କହୁଛି। ତେବେ ଓସିଏକୁ ମିଳିଥିବା ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ କୌଣସି ମତେ ଆୟୋଜିତ ହୋଇଛି। ଏହାର ଆୟୋଜନ ପାଇଁ ବି ଖର୍ଚ୍ଚ ହୋଇଥିବା ଅର୍ଥ ବିସିସିଆଇ ଏଯାଏଁ ଦେଇ ନାହିଁ। ତେଣୁ ମ୍ୟାଚ୍‌ ଆୟୋଜନ ବାବଦରେ ବିଭିନ୍ନ ସଂସ୍ଥାକୁ ଅର୍ଥ ପଇଠ ଏବେ ବି ବାକି ଥିବା ଜଣା ପଡ଼ିଛି। ବସିସିଆଇଠାରୁ ଟଙ୍କା ମିଳିଲେ ଓସିଏ ବାକି ପରିଶୋଧ କରିବ।

ଓସିଏକୁ ଅନୁଦାନ ମିଳୁ ନଥିବାରୁ ସ୍ୱାଭାବିକଭାବେ ଜିଲ୍ଲା ସଂଘ ଗୁଡ଼ିକୁ ଦିଆ ଯାଉଥିବା ବାର୍ଷିକ ଅନୁଦାନ ବନ୍ଦ ହୋଇ ଯାଇଛି। ଓସିଏ ପୂର୍ବରୁ ବିଭିନ୍ନ ଜିଲ୍ଲା ସଂଘକୁ ବାର୍ଷିକ ପ୍ରାୟ ୧ ଲକ୍ଷ ୯୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରୁଥିଲା। ଏହି ଅର୍ଥରେ ଜିଲ୍ଲା କ୍ରୀଡ଼ା ସଂଘ ଗୁଡ଼ିକ ନିଜର କ୍ରିକେଟ୍‌ ସଂପର୍କିତ ଖର୍ଚ୍ଚ ତୁଲାଇବା ସହ କିଛି ଅନ୍ୟ ଖେଳ ପାଇଁ ବି ବ୍ୟୟ କରୁଥିଲେ। ସେହି ଅର୍ଥରେ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଦଳ ପ୍ରେରଣ କରା ଯାଇଥାଏ। ବର୍ତମାନ ଆର୍ଥିକ ଅନୁଦାନ ବନ୍ଦ ହେବା ପରେ ଜିଲ୍ଲା ସଂଘ ଗୁଡ଼ିକ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ବା ଖେଳାଳିଙ୍କୁ ନିଜେ ଖର୍ଚ୍ଚ କରିବାକୁ କହି କୌଣସି ମତେ ଦଳ ପ୍ରେରଣ କରୁଛନ୍ତି। ହେଲେ ଘରୋଇ ପ୍ରତିଯୋଗିତା ଆୟୋଜନ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ୁଛି। ଜିଲ୍ଲାଗୁଡ଼ିକରେ ବିଭିନ୍ନ ଖେଳରେ ଅନ୍ତଃସ୍କୁଲ୍‌, ଅନ୍ତଃକ୍ଲବ୍‌, ବିଭିନ୍ନ ବୟସ ବର୍ଗ ଓ ମହିଳା କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ହୋଇଥାଏ। ହେଲେ ବହୁ ଜିଲ୍ଲାରେ ଚଳିତ ବର୍ଷ ଏହି ପ୍ରତିଯୋଗିତା ବନ୍ଦ ହୋଇଯାଇଛି। କିଛି ଜିଲ୍ଲା ନିଜ ଉଦ୍ୟମରେ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି କୌଣସି ମତେ ଏହା ଚଳାଇଛନ୍ତି।

ଏ ସଂପର୍କରେ ଓସିଏ କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷ ଧୀରେନ ପଲେଇ କହନ୍ତି ୨ ବର୍ଷ ହେଲା ବିସିସିଆଇରୁ ରାଜ୍ୟ ସଂଘକୁ ଅନୁଦାନ ମିଳୁ ନାହିଁ। ସୁପ୍ରିମ କୋର୍ଟ ଯେବେ ଆଦେଶ ଦେବେ ଓ ଯେଉଁ ଦିନ ଲୋଧା କମିଟି ଅନୁଦାନ ମଞ୍ଜୁର କରିବ ତା’ପରେ ଯାଇ ସ୍ଥିତି ସ୍ୱାଭାବିକ ହେବ। ୨ ବର୍ଷର ଅନୁଦାନ ବାବଦକୁ ଓସିଏକୁ ପ୍ରାୟ ୭୦ କୋଟି ଟଙ୍କା ମିଳିବ ଓ ସବୁ ସମସ୍ୟାର ସମାଧାନ ହୋଇ ପାରିବ। କିନ୍ତୁ ବର୍ତମାନ ଅଫିସ ଚଳାଇବା ପାଇଁ ବି ଅର୍ଥ ନାହିଁ। ସଂଘ ସଂପୂର୍ଣ୍ଣଭାବେ ଧାରରେ ଚାଲିଛି। ତେଣୁ ଜିଲ୍ଲା ସଂଘଗୁଡ଼ିକୁ ବର୍ତମାନ ପରିସ୍ଥିତିରେ ଅନୁଦାନ ଦେବା ରାଜ୍ୟ ସଂଘର ସାଧ୍ୟ ବାହାରେ। କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ସଂଘର ସ୍ଥିତି ସମାନ ବୋଲି ଶ୍ରୀ ପଲେଇ କହିଥିଲେ। ଏ ସଂପର୍କରେ ସମିତିର ଅନ୍ୟତମ ସଦସ୍ୟ ତଥା ସମ୍ବଲପୁର ଜିଲ୍ଲା ସଂଘର ସାଧାରଣ ସଂଘ ଦୁଲାଲ ଚନ୍ଦ୍ର ପ୍ରଧାନ କହନ୍ତି ଜିଲ୍ଲା ସଂଘ ଗୁଡ଼ିକୁ ରାଜ୍ୟ କ୍ରୀଡ଼ା ବିଭାଗରୁ ବାର୍ଷିକ ୪୦ ହଜାର ଅନୁଦାନ ମିଳେ। ତେବେ ଓସିଏ ଅନୁଦାନ ମୁଖ୍ୟ ଆୟର ଉତ୍ସ ଥିଲା। କିନ୍ତୁ ୨ ବର୍ଷ ହେଲା ଏହା ବନ୍ଦ ହୋଇଯିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆମେ ଷ୍ଟାଡିୟମ୍‌ରୁ ମିଳୁଥିବା ଭଡ଼ା ଟଙ୍କା ତଥା ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ଯୋଗାଡ଼ କରି କୌଣସି ମତେ ଦଳଗୁଡ଼ିକୁ ପଠାଉଛୁ। କେତେକ ଦଳକୁ ନିଜ ହାତରୁ ଖର୍ଚ୍ଚ କରି ଯିବାକୁ କୁହାଯାଇଛି ଓ ସଂଘ ହାତରେ ଅର୍ଥ ହେଲେ ତାହା ଭରଣା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସଂଘ ତଥା ବିଭିନ୍ନ ଖେଳର ସଂପାଦକମାନଙ୍କ ଉଦ୍ୟମରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଗୁଡ଼ିକ ଆୟୋଜନ କରୁଛୁ। କିନ୍ତୁ ଅନୁଦାନ ନମିଳିଲେ ଜିଲ୍ଲା ଗୁଡ଼ିକ ପକ୍ଷରେ ଏହା ଅଧିକ ଦିନ ଜାରି ରଖିବା କଷ୍ଟସାଧ୍ୟ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେବଳ ଏତିକି ନୁହେଁ ବିସିସିଆଇ ପ୍ରଥମ ଦୁଇ ପର୍ଯ୍ୟାୟରେ ୨ କୋଟିରୁ ଊର୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଗତ ଋତୁରେ ବିଭିନ୍ନ ବୟସ ବର୍ଗର ରାଜ୍ୟ ଖେଳାଳିଙ୍କୁ ସେମାନଙ୍କ ପାଉଣା ମିଳିନାହିଁ। ସବୁଠାରୁ ବଡ଼ କଥା ହେଉଛି ଓସିଏ ଦାୟିତ୍ୱ ଦେଉଥିବା ସପୋର୍ଟ ଷ୍ଟାଫ୍‌ ଯଥା-ପ୍ରଶିକ୍ଷକ, ସହକାରୀ, ଫିଜିଓ, ତାଲିମଦାତା, ଚୟନକର୍ତା ପ୍ରମୁଖ ସେମାନଙ୍କ ପ୍ରାପ୍ୟ ନ ପାଇଁ ନିରୁତ୍ସାହିତ ହୋଇପଡ଼ିଛନ୍ତି। କିଛି ଖେଳାଳି ୨୦୧୬-୧୭ ଋତୁ ପାଉଣା ପାଇଥିଲେ ମଧ୍ୟ ୧୦୧୭-୧୮ ଋତୁ ପାଇଁ ମଧ୍ୟ ଖେଳାଳିଙ୍କୁ ନିଜ ଖର୍ଚରେ ପ୍ରସ୍ତୁତି କରିବା ଏବଂ ଅନିଶ୍ଚିତତା ଭିତରେ ଖେଳିବା ଲାଗି କୁହାଯାଇଛି। ଏହା ରାଜ୍ୟ କ୍ରିକେଟକୁ ଅଧିକ ନିମ୍ନମୁଖା କରିଦେବା ଆଶଙ୍କା ଜାତ କରିଛି। ଆଉ ଏକ ଓସିଏ ବିଡ଼ମ୍ବନା ହେଉଛି ରାଜ୍ୟ ସଂଘଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଉଥିବା କୌଣସି ବ୍ୟକ୍ତିଙ୍କୁ ବିନା ଚୁକ୍ତି ଓ ଚିଠିରେ ଖଟାଯାଉଛି। ସେମାନଙ୍କ କାର୍ଯ୍ୟକାଳ ଏବଂ ପାଉଣା ସମ୍ପର୍କରେ ଲିଖିତ ଭାବେ ସ୍ପଷ୍ଟ କରାଯାଉନଥିବାରୁ ଫାଙ୍କିର ଆଶଙ୍କା ଉଦ୍ରେକ କରିଛି।

ସମ୍ବନ୍ଧିତ ଖବର