ସର୍ବଭାରତୀୟ ଅରବିନ୍ଦ ସ୍ମାରକୀ ଯୁବ କ୍ରିକେଟ୍‌:ଜୁଭେନାଇଲ୍‌ ୧୦ ଓ୍ଵିକେଟ୍‌ରେ ଜିତିଲା

ଭୁବନେଶ୍ୱର୍‌: ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଗ୍ରାଉଣ୍ଡ୍‌ରେ ଚାଲିଥିବା ଗେଲ୍‌ କପ୍‌ ସର୍ବଭାରତୀୟ ଅରବିନ୍ଦ ସ୍ମାରକୀୟ ଯୁବ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ଭୁବନେଶ୍ୱକରର ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କରି କଟକର ଜୁଭେନାଇଲ୍‌ ଏକାଡେମୀ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁକ୍ତେଶ୍ୱର ୪୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। କରଣ ମହାପାତ୍ର (୫୮, ୮୦ ବଲ୍‌, ୧୩ ଚୌକା) ଏବଂ ଗୌରିଶ ପାତ୍ର (୩୪ ରନ୍‌, ୫୪ ବଲ୍‌, ୪ ଚୌକା, ୧ ଛକା) ଭଲ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷର ଆରାହନ୍ତ ପଟ୍ଟନାୟକ ୮ ଓଭରର ୪୨ ରନ୍‌ ଦେଇ ୪ ଓ୍ଵିକେଟ୍‌ ଏବଂ ହିମାଂଶୁ ମହାନ୍ତି ୭ ଓଭରରେ ୩୨ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପ୍ରିନ୍‌ସ ସଙ୍କେତ ବେହେରା (୧୦୫*, ୮୯ ବଲ୍‌, ୧୧ ଚୌକା)ଙ୍କ ଶତକ ଏବଂ ସୋହେଲ ଖାନ୍‌ (୬୩*, ୮୨ ବଲ୍‌, ୮ ଚୌକା)ଙ୍କ ଅର୍ଧଶତକ ବଳରେ ଜୁଭେନାଇଲ୍‌ ୩୧ ଓଭରରେ କୌଣସି ଓ୍ଵିକେଟ୍‌ ନ ହରାଇ ୧୭୬ ରନ୍‌ ସଂଗ୍ରହ କରି ନେଇଥିଲା। ପ୍ରିନ୍‌ସ ସଙ୍କେତ ବେହେରାଙ୍କୁ ପୂର୍ବତନ ରଣଜୀ ଖେଳାଳି ଦୀପକ ମଙ୍ଗରାଜ ଏବଂ ବିଜେବି ନଗର ପିପୁଲ୍‌ସ ଆସୋସିଏସନ୍‌ର ରଘୁନାଥ ମିଶ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପବିତ୍ର ପ୍ରଧାନ ଓ ପ୍ରଦୀପ ଜେନା ମ୍ୟାଚ୍‌ ପରିିଚାଳନା କରିଥିଲେ।

ସମ୍ବନ୍ଧିତ ଖବର