ଅଲ୍‌ ଇଂଲଣ୍ଡ୍‌ ବ୍ୟାଡ୍‌ମିଣ୍ଟନ: ସେମି ଫାଇନାଲ୍‌ରେ ସିନ୍ଧୁ

ବର୍ମିଙ୍ଗ୍‌ହାମ୍‌: ଭାରତୀୟ ଲଳନା ପିଭି ସିନ୍ଧୁ ଚଳିତ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ଜାରି ରଖି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ରିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ସିନ୍ଧୁ ଶୁକ୍ରବାର ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ଜାପାନ ପ୍ରତିଦ୍ୱନ୍ଦ୍ୱୀ ନାଜୋମି ଓକୁହରାଙ୍କୁ ୨୦-୨୨, ୨୧-୧୮ ଓ ୨୧-୧୮ ପଏଣ୍ଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ପ୍ରଥମ ଗେମ୍‌କୁ ଲଢ଼େଇ କରି ହାରିଥିବା ସିନ୍ଧୁ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇ ଗେମ୍‌ ଜିତି ନେଇଥିଲେ। ଅଲ ଇଂଲଣ୍ଡ ଓପନ୍‌ରେ ସିନ୍ଧୁଙ୍କର ଏହା ପ୍ରଥମ ସେମିଫାଇନାଲ ପ୍ରବେଶ। ଏବେ ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ପାଇଁ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁଙ୍କୁ ସେମିଫାଇନାଲ୍‌ରେ ଅନ୍ୟତମ ଜାପାନୀ ପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱ ମାନ୍ୟତାର ଦ୍ୱିତୀୟ ଅକାନେ ୟାମାଗୁଚିଙ୍କ ସହ ମୁକାବିଲା କରିବେ। ଶୁକ୍ରବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ୟାମାଗୁଚି ୨୧-୧୫ ଓ ୨୧-୧୮ରେ ସ୍ପେନ୍‌ ଲଳନା କାରୋଲିନା ମାରିନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ବିଜୟ ଅଭିଯାନ ଜାରି ରଖିଛନ୍ତି। ଗୁରୁବାର ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାରେ ପ୍ରଣୟ ୨୧-୧୦, ୨୧-୧୯ରେ ଇଣ୍ଡୋନେସିଆର ଟମି ସୁଗିଆର୍ତୋଙ୍କୁ ମାତ୍‌ ଦେଇ କ୍ୱାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲେ। ପ୍ରଣୟ କ୍ୱାର୍ଟର ଫାଇନାଲ୍‌ରେ ଚୀନ୍‌ର ହୁଆଙ୍ଗ୍‌ ୟିଙ୍ଗ୍‌ଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର