ସର୍ବଭାରତୀୟ ବାଜି ରାଉତ କପ୍‌ ଫୁଟ୍‌ବଲ୍‌: ସେମିରେ ମୁମ୍ବାଇ-ଗୋଆ, ହାଇଦ୍ରାବାଦ୍‌-ରାଜସ୍ଥାନ

ଅନୁଗୁଳ : ସର୍ବଭାରତୀୟ ବାଜି ରାଉତ କପ୍‌ ଫୁଟ୍‌ବଲ୍‌ ଲିଗ୍‌ର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି। ମୁମ୍ବାଇ ସହିତ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏବଂ ହାଇଦ୍ରାବାଦ୍‌ର ଶ୍ରୀନିଧି ଡେକାନ୍‌ ସହ ରାଜସ୍ଥାନ ୟୁନାଇଟେଡ୍‌ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍‌ ଅନୁଗୁଳର କଦମ ପଡ଼ିଆରେ ରବିବାର ଖେଳାଯିବ।

ଶୁକ୍ରବାର କଦମ ପଡ଼ିଆରେ ଖେଳା ଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଗୋକୁଲମ କେରଳ ଏଫ୍‌ସିକୁ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଶେଷ ହେବା ପ‌ରେ ପେନାଲଟି ସୁଟ୍‌ ଆଉଟ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ବାଜି ମାରିଥିଲା।

କଡ଼ା ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ର ଶ୍ରୀନିଧି ଡେକାନ ୨-୧ ଗୋଲ୍‌ରେ ଦିଲ୍ଲୀ ଫୁଟ୍‌ବଲ୍‌ କ୍ଲବକୁ ହରାଇଥିଲା ବେଳେ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ୟୁନାଇଟେଡ୍‌ ଏକତରଫା ଭାବେ କୋଲକତାର ମହମ୍ମଡାନ ସ୍ପୋର୍ଟିଂକୁ ହରାଇ ଶେଷ ୪ରେ ପହଞ୍ଚିଥିଲା। ଏହା ପୂର୍ବରୁ ଗୁରୁବାର ଢେଙ୍କାନାଳରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶାକୁ ପରାସ୍ତ କରି ମୁମ୍ବାଇ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର