ଭୁବନେଶ୍ବର: ୨୫ତମ ସର୍ବଭାରତୀୟ ବନ କ୍ରୀଡ଼ା (ଏଆଇଏଫ୍ଏସ୍ଏମ୍) ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ଆରମ୍ଭ ନେଇ ଘୋଷଣା କରିଥିଲେ। ମଞ୍ଚରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ସଚିବ ସିକେ ମିଶ୍ର, ଏଡିଜି (ଜଙ୍ଗଲ ଓ ଜଳବାୟୁ) ସଂଜୟ କୁମାର, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ସହ ଅଲିମ୍ପିଆନ୍ ଗଗନ ନାରଙ୍ଗ, ଦୂତି ଚାନ୍ଦ ଏବଂ ଓଡ଼ିଆ ଧାବକ ଅମିୟ କୁମାର ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିଲେ। ୭ ତାରିଖ ପର୍ଯ୍ୟନ୍ତ ମନ୍ଦିରମାଳିନୀ ସହର ଭୁବନେଶ୍ବରର ୪ ସ୍ଥାନ କଳିଙ୍ଗ ଷ୍ଟାଡିୟମ, କିଟ୍, ଗଲ୍ଫ କୋର୍ସ ଓ ରେଳବାଇ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୋଟ ୨୩ କ୍ରୀଡ଼ା (ଆଉଟ୍ଡୋର୍, ଇନ୍ଡୋର୍)ର ୨୮୫ ଇଭେଣ୍ଟ୍ରେ ୩୭ ଦଳରୁ ପ୍ରାୟ ୨୫୦୦ କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଏଠାରେ ପହଞ୍ଚି ଯାଇଛନ୍ତି। ୧୯୯୩ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ଦ୍ବିତୀୟ ସଂସ୍କରଣ (୧୯୯୪) ଓଡ଼ିଶାରେ ଆୟୋଜିତ ହୋଇଥିଲା। ପ୍ରାୟ ୨୬ ବର୍ଷ ପରେ ରୌପ୍ୟ ଜୟନ୍ତୀ ସଂସ୍କରଣ ଓଡ଼ିଶାକୁ ଆୟୋଜନ ଅଧିକାର ମିଳିଥିବାରୁ ଆମେ ବହୁତ ଖୁସି। ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଅରୁଖ କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ୨୦୨୦ ଏଆଇଏଫ୍ଏସ୍ଏମ୍ ପ୍ରତିଯୋଗିତା ଆରମ୍ଭ ନେଇ ଘୋଷଣା କରିଥିଲେ ଏବଂ ସମସ୍ତ ଖେଳାଳି ଓ ଅଧିକାରୀମାନଙ୍କୁ ଶୁଭଚ୍ଛୋ ଜଣାଇବା ସହ ଭଲ ଅଭିଜ୍ଞତା ନେଇ ଫେରିବା ଲାଗି ନିଜ ଭାଷଣରେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୩ ଥରର ଏଆଇଏଫ୍ଏସ୍ଏମ୍ ବିଜେତା ଓଡ଼ିଶାର ଆରଧନ ଭୋଇ ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରିନ୍ସ ଗ୍ରୁପ୍ ଦ୍ବାରା ଜଙ୍ଗଲ ଓ ପରିବେଶ ସଚେତନତା ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା।
Indian Shooting
ଓଡ଼ିଶା କ୍ରୀଡ଼ାର ସୁପର୍ ପାୱାର୍ ହେବାକୁ ଯାଉଛି: ନାରଙ୍ଗ
ନିକଟରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ସଫଳତାର ସହ ଆୟୋଜନ କରିଥିଲା ଓଡ଼ିଶା। ଏହାର ଦୁଇ ଦିନ ପରେ ସର୍ବାଭରତୀୟ ବନ କ୍ରୀଡ଼ାର ୨୫ତମ ସଂସ୍କରଣ ଆରମ୍ଭ ହୋଇଛି ଓଡ଼ିଶାରେ। ଏହି ସବୁ ଆୟୋଜନ ପାଇଁ ଓଡ଼ିଶା କ୍ରୀଡ଼ାର ସୁପର ପାୱର ହେବାକୁ ଯାଉଛି ବୋଲି ଅଲିମ୍ପିକ୍ସ ପଦକ ବିଜେତା ବନ୍ଧୁକଚାଳକ ଗଗନ ନାରଙ୍ଗ କହିଛନ୍ତି। ଦୂତି ଚାନ୍ଦ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତି ନିଜର ଚମକ ଦେଖାଇଛନ୍ତି। ଆଗାମୀ ଅଲିମ୍ପିକ୍ସରେ ଦୂତିଙ୍କ ଉପରେ ଆଶା ରହିଛି। ୨୦୨୦ ଅଲିମ୍ପିକ୍ସ ଲାଗି ଭାରତର ୧୫ ବନ୍ଧୁକଚାଳକ ଯୋଗ୍ୟତା ଅର୍ଜନ କରିସାରିଲେଣି। ଏହି ଦଳରେ ଏକାଧିକ ବିଶ୍ବ କୀର୍ତ୍ତିମାନଧାରୀ ରହିଛନ୍ତି। ମୋର ଆଶା ଚଳିତ ବର୍ଷ ଭାରତକୁ ଅଧିକ ଅଲିମ୍ପିକ୍ସ ପଦକ ମିଳିବ ବୋଲି ସର୍ବଭାରତୀୟ ବନ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବା ଅବସରରେ ଶ୍ରୀ ନାରଙ୍ଗ ପ୍ରକାଶ କରିଛନ୍ତି।ଓଡ଼ିଶା ଶ୍ରେଷ୍ଠ ୫ରେ ରହିବ: ଆରଧନ
ଚଳିତ ସର୍ବଭାରତୀୟ ବନ କ୍ରୀଡ଼ା ପ୍ରତିଯୋଗିତାର ଓଡ଼ିଶା ପତାକା ଧରିବା ସହ ପ୍ରତିଯୋଗୀମାନଙ୍କୁ ଶପଥ ପାଠ କରାଇଥିଲେ ୩ ଥରର ବିଜେତା ଓଡ଼ିଆ ତାରକା ଆରଧନ ଭୋଇ। ବରଗଡ଼ ବରପାଲିର ସିକିଟି ଗ୍ରାମରେ ଜନ୍ମିତ ଆରଧନ । ୧୯୯୩ରେ ସେ ୬ଟି କ୍ରୀଡ଼ା ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଟ୍ରିପଲ୍ ଜମ୍ପ୍, ୧୦୦ ଓ ୨୦୦ ମିଟର ସହ ୪ ଗୁଣା ୧୦୦ ମିଟର ରିଲେ ସ୍ବର୍ଣ୍ଣ ପଦକ ଜିତି ବିଜେତା ହୋଇଥିଲେ। ଏହାପରେ ୨୦୧୧ ଓ ୨୦୧୩ରେ ମଧ୍ୟ ସେ ବିଜେତା ଟ୍ରଫି କରାୟତ୍ତ କରିଥିଲେ। ଗତ ବର୍ଷ ସେ ବରିଷ୍ଠ ଭେଟେରାନ ବର୍ଗରେ ଗୋଟିଏ ସ୍ବର୍ଣ୍ଣ (ଲମ୍ବ ଡିଆଁ) ଓ ଗୋଟିଏ ରୌପ୍ୟ (ଉଚ୍ଚ ଡିଆଁ) ପଦକ ଜିତିଥିଲେ। ଚଳିତ ବର୍ଷ ଆରଧନ ନିଜେ ଅଧିକ ପଦକ ଜିତିବା ଆଶା ରଖିବା ସହ ଓଡ଼ିଶା ଦଳ ମଧ୍ୟ ବରିଷ୍ଠ ଭେଟେରାନରେ ଭଲ କରିବ ବୋଲି କହିଛନ୍ତି। ଚଳିତ ବର୍ଷ ଓଡ଼ିଶା ପଦକ ତାଲିକାରେ ଶ୍ରେଷ୍ଠ ୫ ମଧ୍ୟରେ ରହିବ ବୋଲି ଆରଧନ ପ୍ରକାଶ କରିଛନ୍ତି।