ପ୍ୟାରିସ୍ ଭିନେଶ ଫୋଗଟ ପ୍ୟାରିସ୍ ଅଲିମ୍ପିକ୍ସର ମହିଳା ୫୦ କିଲୋଗ୍ରାମ କୁସ୍ତିରେ ନିର୍ଦ୍ଧାରିତ ସୀମା (୫୦ କିଲୋଗ୍ରାମ)ଠାରୁ ଅଧିକ ଓଜନ ଲାଗି ଅଯୋଗ୍ୟ ଘୋଷିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ କଳା ଦାଗ ବୋଲି ଅନେକ ବର୍ଣ୍ଣନା କରିଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ନିଜ ତୃତୀୟ ଅଲିମ୍ପିକ୍ସ ‌ଖେଳୁଥିବା ଭିନେଶଙ୍କ ପାଇଁ ଏହା ଶକ୍ତ ଶକ୍କା ସଦୃଶ ହୋଇଛି। ଭାରତୀୟ କୁସ୍ତି ଇତିହାସରେ ମଧ୍ୟ ପ୍ରଥମ ଥର ଲାଗି ଏଭଳି ଦୁଃଖଦ ଘଟଣା ଘଟିଛି।

Advertisment

ବୁଧବାର ସକାଳେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ଏହାକୁ ଆଦୌ ହଜମ କରି ପାରି ନଥିଲେ। ସମସ୍ତଙ୍କ ମନ ଦୁଃଖରେ ଭରି ଯାଇଥିଲା। କ୍ଷୁବ୍ଧ ପ୍ରଶଂସକମାନେ ଭିନେଶ ଅଯୋଗ୍ୟ ହେବାର କାରଣ ଖୋଜିବା ଆରମ୍ଭ କରିଥିଲେ। ନାନା କଳ୍କନା ଜଳ୍ପନା ପରେ ପ୍ୟାରିସ୍‌ରେ ଥିବା ଭାରତୀୟ ଦଳର ମୁଖ୍ୟ ‌ମେଡିକାଲ୍‌ ଅଫିସର୍‌ ଡାକ୍ତର ଦିନସ ପାର୍ଡିୱାଲା ଏହା ଉପରେ କିଛିଟା ପରଦା ଉଠାଇଥିଲେ। ସେ କହିଛନ୍ତି, ପ୍ରତିପକ୍ଷ ଖେଳାଳିଙ୍କଠାରୁ ଲାଭ ଉଠାଇବା ଲାଗି କୁସ୍ତି ଖେଳାଳିମାନେ ସାଧାରଣତଃ ନିଜ ସ୍ବାଭାବିକ ଓଜନଠାରୁ କମ୍ ଓଜନ ବର୍ଗରେ ଅଂଶଗ୍ରହଣ କରିଥା’ନ୍ତି। ତେବେ ଓଜନ ସ୍ଥିର ରଖିବା ଲାଗି ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଯଦି କିଛି ଗ୍ରାମ୍ ଓଜନ ବଢ଼ିଯାଏ, ତାହେଲେ ପ୍ରବଳ ଝାଳ ବୁହାଇବା, ସୌନା ବାଥ୍‌ ନେବା ଓ କଠିନ ବ୍ୟାୟାମ କରିବା ଦ୍ବାରା ଓଜନ ହ୍ରାସ କରାଯାଇଥାଏ। କିନ୍ତୁ ଏହାଦ୍ବାରା ଶରୀରରେ ଦୁର୍ବଳତା ଆସିବା ସହ ଶରୀରର ଉର୍ଜା ମଧ୍ୟ ହ୍ରାସ ପାଇଯାଏ। ଏହାକୁ ଏଡ଼ାଇବା ପାଇଁ ‌ଏବଂ ଉର୍ଜାକୁ ସଂରକ୍ଷିତ ରଖିବା ପାଇଁ ଅଳ୍ପ କିଛି ପାଣି ଓ ଅଧିକ ‌ଶକ୍ତି ଯୋଗାଉଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଓଜନ ମପାଯିବା ପର୍ଯ୍ୟାୟ ଶେଷ ହେବା ପରେ ଏହା କରାଯାଇଥାଏ। ସେହି ଅନୁସାରେ ଭିନେଶଙ୍କ ନ୍ୟୁଟ୍ରିସନିଷ୍ଟ ମଧ୍ୟ ତାଙ୍କ ପାଇଁ ୧.୫ କିଲୋଗ୍ରାମ୍‌ର ପୁଷ୍ଟିକର ଖାଦ୍ୟର ଯୋଜନା କରିଥିଲେ। ଲଢ଼େଇ ଆରମ୍ଭ ହେବାର ୨୪ ଘଣ୍ଟା ଭିତରେ ଏହି ଖାଦ୍ୟ ଦିଆଯିବାକୁ ଯୋଜନା ଥିଲା। ଏହାଭିତରେ ଓଜନ ବଢ଼ିଯିବା ନେଇ ଭୟ ମଧ୍ୟ ରହୁଥିଲା। ମଙ୍ଗଳବାର ତିନିଟି ବାଉଟ୍‌ ଜିତିବା ପରେ ବି ଭିନେଶଙ୍କ ଓଜନ ସ୍ବାଭାବିକ୍‌ଠୁ ଅଧିକ ଥିଲା। ତେଣୁ ଓଜନ ମପାଯିବା ପୂର୍ବରୁ ତାଙ୍କୁ ଜଳଶୁସ୍କତାରୁ ରକ୍ଷା କରିବା ପାଇଁ କିଛି ପାଣି ଦିଆଯାଇ ଓଜନ ହ୍ରାସ ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ଶତଚେଷ୍ଟା ସତ୍ତ୍ବେ ଫାଇନାଲ୍‌ ଦିନ ସକାଳେ ତାଙ୍କ ଓଜନ ୧୦୦ ଗ୍ରାମ୍‌ ଅଧିକ ରହିଥିଲା। ତାଙ୍କ ଓଜନ କମ୍‌ କରିବା ପାଇଁ ଚୁଟି କଟାଯିବା ସହ ପୋଷାକ ମଧ୍ୟ କମ୍‌ କରାଯାଇଥିଲା। ଏସବୁ ସତ୍ତ୍ବେ ତାଙ୍କ ଓଜନ ଧାର୍ଯ୍ୟ ଓଜନଠୁ ଅଧିକ ରହିଥିଲା।

ହଠାତ୍ ବଢ଼ିଯାଇଥିଲା ଓଜନ
ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମର ଜଣେ ସଦସ୍ୟଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଭିନେଶ ତାଙ୍କ ଓଜନ କମାଇବା ପାଇଁ ରାତିତମାମ୍‌ ଲାଗିପଡ଼ିଥିଲେ। ଭିନେଶଙ୍କ ସ୍ବାଭାବିକ୍‌ ଓଜନ ହେଉଛି ୫୭ କେଜି। ତେଣୁ ୫୦ କେଜି ତଳକୁ ଓଜନ ଖସାଇବା ପାଇଁ ସେ ଆଉ ବିଶ୍ରାମ ନେଇ ନଥିଲେ। ମଙ୍ଗଳବାର ଖେଳ ଆରମ୍ଭ ପୂର୍ବରୁ ତାଙ୍କ ଓଜନ ୪୯.୯ କେଜି ଥିଲା। କିନ୍ତୁ ଅଳ୍ପ ଖାଦ୍ୟ ଖାଇବା ପରେ ତାଙ୍କ ଓଜନ ୫୩ କେଜିକୁ ବଢ଼ିଯାଇଥିଲା। ଗୋଟିଏ ଦିନରେ ତିନିଟି ବାଉଟ୍‌ ଲଢ଼ିବା ପାଇଁ ଏଥିରୁ ତାଙ୍କୁ ଶକ୍ତି ମିଳିଥିଲା। ସେମିଫାଇନାଲ୍‌ ଶେଷ ହେବାପରେ ତାଙ୍କ ଓଜନ ୫୨.୭ କେଜି ହୋଇଯାଇଥିଲା। ତେଣୁ ଫାଇନାଲ୍‌ ପୂର୍ବ ରାତିରେ ସେ ଖାଇବା ତ ଦୂରର କଥା ଗୋଟିଏ ମିନିଟ୍‌ ବି ଶୋଇ ନଥିଲେ କିମ୍ବା ବୁନ୍ଦାଏ ପାଣି ବି ପିଇ ନଥିଲେ। ରାତି ସାରା ସେ‌ ଦୌଡ଼ିବା ସହ ସୌନା ବ୍ୟବହାର କରୁଥିଲେ। ଅନେକ ଚେଷ୍ଟା ପରେ ତାଙ୍କ ଓଜନ ୫୦.୧କୁ ଖସିଥିଲା। କିନ୍ତୁ ଅବଶିଷ୍ଟ ୧୦୦ ଗ୍ରାମ୍‌ ହଟାଇବା ପାଇଁ ତାଙ୍କୁ ସମୟ ମିଳି ନଥିଲା।

କ’ଣ ଅଛି ନିୟମ
ୟୁନାଇଟେଡ୍‌ ବିଶ୍ବ କୁସ୍ତି (ୟୁଡବ୍‌ଲ୍ୟୁଡବ୍‌ଲ୍ୟୁ) ନିୟମାବଳୀ ଅନୁସାରେ, ଯଦି ଜଣେ ‌‌କ୍ରୀଡ଼ାବିତ୍‌ ଧାର୍ଯ୍ୟ ଓଜନ ବଜାୟ ରଖିବାରେ ବିଫଳ ହୁଏ, ତାହେଲେ ତାଙ୍କୁ ଇଭେଣ୍ଟରୁ ବାହାର କରିଦିଆଯିବ। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମଧ୍ୟ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହିତ ଏଭଳି ପରିସ୍ଥିତିରେ ଭିନେଶଙ୍କ ବ୍ୟକ୍ତିଗତ ଜୀବନକୁ ସମସ୍ତେ ସୁରକ୍ଷା ଦେବାକୁ ଅନୁରୋଧ କରାଯାଇଛି। ଆଇଓଏ ସଭାପତି ପିଟି ଉଷା ମେଡିକାଲ୍‌ରେ ଭିନେଶଙ୍କୁ ଭେଟିବା ସହିତ ତାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ, ଭାରତ ସରକାର ଓ ସଂପୂର୍ଣ୍ଣ ଭାରତ ବାସୀଙ୍କ ତରଫରୁ ପୂର୍ଣ୍ଣ ସମର୍ଥନ ରହିଥିବା କହି ସାନ୍ତ୍ବନା ଦେଇଛନ୍ତି। ଏଥିସହିତ ଭାରତୀୟ କୁସ୍ତି ମହାସଂଘ ଏହି ମାମଲାକୁ ନେଇ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁ ନିକଟରେ ଅଯୋଗ୍ୟ ଘୋଷଣା ଉପରେ ପୁନର୍ବିଚାର ପାଇଁ ଅପିଲ୍‌ କରାଯାଇଛି।

କୁସ୍ତି ଆଖଡ଼ାରେ ଚମତ୍କାର ପ୍ରଦର୍ଶନ ସହ ଭିନେଶ ଫୋଗଟ ଗତବର୍ଷ ଭାରତୀୟ କୁସ୍ତି ମହାସଂଘର ତତ୍‌କାଳୀନ ସଭାପତି ବ୍ରିଜ୍ ଭୂଷଣ ସିଂହ ସରଣଙ୍କ ବିରୋଧରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ତାଙ୍କୁ ଏଥିରେ ଦୁଇ ଅଲିମ୍ପିକ୍ସ ପଦକ ବିଜୟୀ ତାରକା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ସମର୍ଥନ କରିଥିଲେ। ବ୍ରିଜଭୂଷଣ ମହିଳା କୁସ୍ତିଯୋ‌ଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣି ଭିନେଶ ଓ ଅନ୍ୟମାନେ ଢେର କିଛି ଦିନ ଧାରଣାରେ ବସିଥିଲେ। ଏପରିକି ନୂଆ ଦିଲ୍ଲୀର ଯନ୍ତରମନ୍ତରରେ ମଧ୍ୟ ଧାରଣା ଦେବାକୁ ପଛାଇ ନଥ‌ିଲେ। ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ କମିଟି ବି ଗଠନ କରିଥିଲା। କମିଟିକୁ ମଧ୍ୟ ଭିନେଶ ଓ ସାଥୀମାନେ ବିରୋଧ କରିଥିଲେ। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବ୍ରିଜ ଭୂଷଣଙ୍କ ବିରୋଧରେ ଆନୁଷ୍ଠାନିକ ତଦନ୍ତ ଆରମ୍ଭ ହୋଇଥିଲା। ସେ ଭାରତୀୟ କୁସ୍ତି ମହାସଂଘରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏପରିକି ଚଳିତବର୍ଷର ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ‌ଦେଇ ନଥିଲା। ଭିନେଶ ଓ ଅନ୍ୟ କୁସ୍ତି ତାରକାମାନେ ନୈତିକ ବିଜୟ ହାସଲ କରିଥିଲେ। ଭାରତୀୟ କୁସ୍ତି ମହାସଂଘର ସାନି ନିର୍ବା‌ଚନ ମଧ୍ୟ ହୋଇଥିଲା।

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ନିଶ୍ଚିତ କରିଥିଲେ ମଧ୍ୟ ମାତ୍ର ୧୦୦ ଗ୍ରାମ୍‌ ଓଜନ ବୃଦ୍ଧି ଯୋଗୁଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ୫୦ କେଜି ଓଜନ ବର୍ଗରେ ଫାଇନାଲ୍‌ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଫଳରେ ତାଙ୍କୁ ଖାଲି ହାତରେ ଭାରତ ଫେରିବାକୁ ପଡ଼ିବ। ଗତ କିଛି ବର୍ଷ ଧରି ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରିଆସୁଥିବା ଭିନେଶଙ୍କ ନିୟମିତ ଭାବେ ହୃଦୟ ଭାଙ୍ଗିବାରେ ଲାଗିଛି। ଏପରିକି ପ୍ୟାରିସ୍‌ ଆସିବା ପଥ ତାଙ୍କ ପାଇଁ ଏତେଟା ସହଜ ନଥିଲା। ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନରେ ଭିନେଶ ଓ ଅନ୍ୟ କିଛି କୁସ୍ତିଯୋଦ୍ଧାଙ୍କ ଉପରେ ସାରା ଦେଶର ନଜର ରହିଥିଲା ବେଳେ ଏହି ସମୟକୁ ଅତିକ୍ରମ କରି ଅଲିମ୍ପିକ୍‌ ପଦକ ନିକଟତର ହୋଇପାରିଥିଲେ।

publive-image

ଯନ୍ତ୍ରଣାଦାୟକ ଅଲିମ୍ପିକ୍‌ ପଦାର୍ପଣ
ଭିନେଶଙ୍କ ଅଲିମ୍ପିକ୍‌ ଅଭିଯାନ ଆରମ୍ଭ ହୋଇଥିଲା ଯନ୍ତ୍ରଣା ଓ ଲୁହରୁ। ପ୍ରଥମ ଥର ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ବି ପଦକର ପ୍ରବଳ ଦାବିଦାର ଥିଲେ। ପ୍ରଥମରୁ ୧୧-୦ରେ ସ୍କୋର ଆରମ୍ଭ କରି ଅଲିମ୍ପିକ୍‌ ଯାତ୍ରା ମଧ୍ୟ ଚମତ୍କାର ଥିଲା। କିନ୍ତୁ ଚୀନ୍‌ର ସନ୍‌ ୟାନନ୍‌ଙ୍କ ସହିତ କ୍ବାର୍ଟରଫାଇନାଲ୍‌ ମୁକାବିଲା ସମୟରେ ସେ ଗୁରୁତର ଆଘାତ ପାଇଥିଲେ। ଖେଳ ଚାଲିଥିବା ସମୟରେ ପ୍ରତିପକ୍ଷ ଖେଳାଳି ଅଜାଣତରେ ଭିନେଶଙ୍କ ଗୋଡ଼ ଉପରେ ପଡ଼ିଯିବାରୁ ସେ ପ୍ରବଳ ଯନ୍ତ୍ରଣା ପାଇଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାଟ୍‌ରୁ ଷ୍ଟ୍ରେଚରରେ ମେଡିକାଲ୍‌ ନେବାକୁ ପଡ଼ିଥିଲା। ବାଧ୍ୟ ହୋଇ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଣ୍ଡିଯାଇଥିବାରୁ ସର୍ଜରି କରିବାକୁ ପଡ଼ିଥିଲା। ସର୍ଜରି ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୫ ମାସ ସମୟ ଲାଗିଯାଇଥିଲା। ୨୦୧୮ ପରେ ସେ ପୁଣି ଥରେ କୁସ୍ତି ଆଖଡ଼ାକୁ ଫେରିଥିଲେ।

ଟୋକିଓରେବି ହୃଦୟ ଭାଙ୍ଗିଥିଲା
ଟୋକିଓ ଅଲିମ୍ପିକ୍ସରେ ଦ୍ବିତୀୟ ଥର ସୁଯୋଗ ମିଳିଥିଲା ବେଳେ ଏଥର ମହିଳା ୫୩ କେଜି ବର୍ଗରେ ସେ ଟପ୍‌ ସିଡ୍‌ ଥିଲେ। ପ୍ରଥମ ମ୍ୟାଚ୍‌ରେ ରିଓ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ସ୍ବିଡେନ୍‌ର ସୋଫିଆ ମାଟ୍‌ସନ୍‌ଙ୍କ ବିପକ୍ଷରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ କ୍ବାର୍ଟରଫାଇନାଲ୍‌ରେ ବେଲାରୁଷର ଭାନେସା କାଲାଦଜିନ୍ସକାୟାଙ୍କଠାରୁ ସେ ସହଜରେ ପରାଜିତ ହୋଇଥିଲେ। ଏହି ପରାଜୟ ପରେ ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲୁଏଫ୍‌ଆଇ) ତାଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ପ‌ରବର୍ତ୍ତୀ ସମୟରେ ସେଇ ନିଲମ୍ବନ ପ୍ରତ୍ୟାହୃତ ହୋଇଥିଲା।

ଦୁଇଥର କହୁଣୀ ଅସ୍ତ୍ରୋପଚାର
୨୦୨୧ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଭିନେଶ ଜାତୀୟ ଚୟନ ଶିବିରରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। କିନ୍ତୁ ପ୍ରତିଯୋଗିତା ଅଧାରୁ ତାଙ୍କୁ ଓହରିଯିବାକୁ ପଡ଼ିଥିଲା। କିଛି ଦିନ ପରେ ତାଙ୍କ କହୁଣୀରେ ଅସ୍ତ୍ରୋପଚାର କରାଯାଇଥିଲା। ଏହା ଉପରେ ଭିନେଶ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏକ ଭାବବିହ୍ବଳ ପୋଷ୍ଟ୍‌ କରିଥିଲେ। ସେ ଲେଖିଥିଲେ ‘କହୁଣୀରେ ଅସ୍ତ୍ରୋପଚାର ଶେଷ ହେଲା। କେତେଥର ମୁଁ ପଡୁଥିବି ତାହାର କିଛି ମାନେ ନାହିଁ, ମୁଁ ନିଶ୍ଚୟ ଉଠିବି।’ ଏହି ଅସମୟରୁ ସେ ବାହାରବା ସହ ୨୦୨୨ରେ କୁସ୍ତି ମ୍ୟାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବେଲ୍‌ଗ୍ରେଡ୍‌ରେ ହୋଇଥିବା ବିଶ୍ବ କୁସ୍ତି ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପଦକ ଜିତିଥିଲେ। ପରେ ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। ହେଲେ ୨୦୨୩ ଜୁନ୍‌ରେ ପୁଣି ଥରେ ତାଙ୍କର ଆଉ ଏକ କହୁଣୀରେ ଅସ୍ତ୍ରୋପଚାର ହୋଇଥିଲା।

ଆଣ୍ଠୁରେ ଦୁଇଟି ଅସ୍ତ୍ରୋପଚାର
ହାଙ୍ଗଝୌ ଏସୀୟ କ୍ରୀଡ଼ା ପାଇଁ ଭିନେଶ ପ୍ରସ୍ତୁତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅଗଷ୍ଟ ମାସରେ ଅଭ୍ୟାସ କରୁଥିବା ବେଳେ ବାମ ଗୋଡ଼ର ଆଣ୍ଠୁରେ ସେ ଆଘାତ ପାଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଏସିଏଲ୍‌ ଲିଗାମେଣ୍ଟ ସଂପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା ବେଳେ ଏଲ୍‌ସିଏଲ୍‌ ଲିଗାମେଣ୍ଟ ଅଧା ଛିଣ୍ଡିଯାଇଥିଲା। ତେଣୁ ସୁସ୍ଥ ହେବା ପାଇଁ ସର୍ଜରି ହିଁ ଏକମାତ୍ର ବିକଳ୍ପ ଥିଲା। ଏଥିପାଇଁ ତାଙ୍କୁ ପଦକ ହାତଛଡ଼ା କରିବାକୁ ପଡୁଥିବାରୁ ଏକ ଭାବବିହ୍ବଳ ପୋଷ୍ଟ୍‌ରେ ସେ ସ୍ବପ୍ନ ଭାଙ୍ଗିଯାଇଥିବା ଲେଖିବା ସହ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସେ ପାଇଥିବା ସ୍ବର୍ଣ୍ଣ ପଦକକୁ ଏଥର ଅଂଶଗ୍ରହଣ କରିପାରୁ ନଥିବାରୁ ହାତଛଡ଼ା ହେଲା ବୋଲି ଲେଖିଥିଲେ।