ପଟିଆ କପ୍‌ ସର୍ବଭାରତୀୟ ‘ଏ’ କବାଡ଼ି ୨୮ରୁ

ଭୁବନେଶ୍ୱର: ରାଜ୍ୟର ସର୍ବାଧିକ ପୁରସ୍କାର ରାଶି ବିଶିଷ୍ଟ କବାଡ଼ି ପ୍ରତିଯୋଗିତା ସର୍ବଭାରତୀୟ ‘ଏ’ ଗ୍ରେଡ୍‌ ପଟିଆ କପ୍‌ ଚଳିତ ନଭେମ୍ବର ୨୮ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ୍‌ ଟାଉନ୍‌ ପଡ଼ିଆରେ ଖେଳାଯିବ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ମ୍ୟାଟ୍‌ରେ ଏହା ଦିବାରାତ୍ର ଖେଳାଯିବ। ବିଜେତା ଦଳକୁ ୨ ଲକ୍ଷ ଏବଂ ଉପ ବିଜେତାକୁ ୧ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଥିବାବେଳେ ତୃତୀୟ ଓ ଚତୁର୍ଥ ସ୍ଥାନ ଦଖଲକାରୀ ଦଳକୁ ୫୦,୦୦୦ ଟଙ୍କା ଲେଖାଏଁ ମିଳିବ। ଗତବର୍ଷର ବିଜେତା ଓଏନ୍‌ଜିସି ଏବଂ ଉପ ବିଜେତା ସିଆର୍‌ପିଏଫ୍‌ ସହିତ ମୋଟ ୧୭ ଦଳ ଭାଗନେବେ। ଅନ୍ୟ ରାଜ୍ୟ ବାହର ଗଳଗୁଡ଼ିକ ହେଲେ ଆଇଟିବିପି, ସିଆଇଏସ୍‌ଏଫ୍‌, ସୋନିପତ୍‌, ରୋହତକ, ଦିଲ୍ଲୀ, ଛତିଶଗଡ଼, ମହାରାଷ୍ଟ୍ର ପୁଲିସ୍‌ା, ଚନ୍ଦନଗର କୋଲ୍‌କାତା, ତାମିଲନାଡୁ ପୁଲିସ୍‌।

ଓଡ଼ିଶାରୁ ଓଡ଼ିଶା ପୁଲିସ୍‌ ସହିତ ସାଇ ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, ଯାଜପୁର, କଳିଙ୍ଗ କବାଡ଼ି ଏକାଡେମି ଭାଗନେବେ। ୨୦୦୫ରୁ କଳିଙ୍ଗ କବାଡ଼ି ଏକଡେମି ଆୟୋଜିତ ଏହି ପ୍ରତିଯୋଗିତା ୨୦୧୦ ମସିହାଠାରୁ ସର୍ବଭାରତୀୟ ‘ଏ’ ଗ୍ରେଡ୍‌ ମାନ୍ୟତା ପାଇଁ ଆସିଛି। ସ୍ୱଦେଶୀ ଖେଳ କବାଡ଼ିର ପ୍ରଚାର ଓ ପ୍ରସାର ପାଇଁ ନିରଂତର ଉଦ୍ୟମ କରୁଥିବା କଳିଙ୍ଗ କବାଡ଼ି ଏକାଡେମୀ ନିକଟ ଭବିଷ୍ୟତରେ ଭୁବନେଶ୍ୱରରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ଯୋଜନା ରଖିଥିବା ସୋମବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଏକାଡେମିର ଉପଦେଷ୍ଠା ଦିଲ୍ଲୀପ ମହାନ୍ତି। ବିଗତ ବର୍ଷ ଭଳି ଏଥର ମଧ୍ୟ ବହୁ ପ୍ରୋ କବାଡ଼ି ତାରକା ତଥା ଭାରତୀୟ ଦଳ ସଦସ୍ୟ ଏଥିରେ ଭାଗନେବେ ବୋଲି କହିଥିଲେ ପୂର୍ବତନ ଖେଳାଳି ପାର୍ଥବୀର ଭୂୟାଁ। ସୋମବାରର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ବିଶିଷ୍ଟ କ୍ରୀଡ଼ା ପ୍ରଶିକ୍ଷକ ସଂହିତା ଦାସ, ଏକାଡେମୀର ଉପଦେଷ୍ଠା ପାର୍ଥଜିତ ପଟ୍ଟନାୟକ, ସଭାପତି ଅରୁଣ କୁମାର ମହାରଣା, ସମ୍ପାଦକ ବିନୟ କୁମାର ରାଉତ ପ୍ରମୁଖ ଉପସ୍ଥିିତ ଥିଲେ।

ସମ୍ବନ୍ଧିତ ଖବର