କଳିଙ୍ଗ ଷ୍ଟାଡିୟମ୍‌ରେ ସର୍ବଭାରତୀୟ କଳିଙ୍ଗ କପ୍‌!

କଟକ: ଚଳିତ ବର୍ଷ ରାଜ୍ୟ ଫୁଟ୍‌ବଲ୍‌ ସ˚ଘ (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ସହଭାଗିତାରେ କଳିଙ୍ଗ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବା ସମ୍ଭାବନା ଅଧିକ ରହିଛି। ରାଜ୍ୟ ସରକାର ଏବେ ଫୁଟ୍‌ବଲ୍‌ର ଉନ୍ନତି ଓ ପ୍ରଚାର ପ୍ରସାର ପାଇଁ ଆଗ୍ରହ ଦେଖାଇଥିବାରୁ ଏହି ସର୍ବଭାରତୀୟ ପ୍ରତିଯୋଗିତା ଦୀର୍ଘଦିନ ପରେ ଆୟୋଜନ ହେବା ପାଇଁ ଆଶା ସଞ୍ଚାର ହୋଇଛି। ଏପରିକି ବର୍ତ୍ତମାନ ମହିଳା ଫୁଟ୍‌ବଲ୍‌ ଲିଗ୍‌କୁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରୁଥିବାରୁ ସର୍ବଭାରତୀୟ ପ୍ରତିଯୋଗିତାକୁ ମଧ୍ୟ ସେଠାରେ ଆୟୋଜନ ହେବା ସମ୍ଭାବନା ଅଧିକ ରହିଥିବା କୁହାଯାଇଛି। ରବିବାର ଫାଓର କାଉନସିଲ ବୈଠକ ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ବେଳେ କଳିଙ୍ଗ କପ୍‌ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା।

ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କଳିଙ୍ଗ କପ୍‌ ବ୍ୟତୀତ ଆଇଏସ୍‌ଏଲ୍‌ ଓ ଆଇ-ଲିଗ୍‌ର ମ୍ୟାଚ୍‌ଗୁଡ଼ିକ ଆୟୋଜନ ପାଇଁ ମଧ୍ୟ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଉଥିବା ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଥିଲେ। ଏପରିକି ଆଇ-ଲିଗ୍‌ରେ ଓଡ଼ିଶାରୁ ଏକାଧିକ ଦଳ ଅ˚ଶଗ୍ରହଣ କରିପାରନ୍ତି। ଏହାବାଦ୍‌ ରାଜ୍ୟ କ୍ରୀଡ଼ା ବିଭାଗ ବର୍ତ୍ତମାନ ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ବିଭାଗରେ ଜିଲ୍ଲା ଫୁଟ୍‌ବଲ୍‌ ଲିଗ୍‌ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି। ଏଥିସହ ଜିଲ୍ଲାସ୍ତରରେ ଭିତ୍ତିଭୂମିର ବିକାଶ ଦିଗରେ ମଧ୍ୟ ସରକାର ସହାୟତା ଯୋଗାଇଦେବ। ଏସ˚କ୍ରାନ୍ତରେ ରାଜ୍ୟ ସରକାର ଓ ଫାଓ ମଧ୍ୟରେ ତିନି ତିନିଥର ଆଲୋଚନା ହୋଇଥିବା ଶ୍ରୀ ବେହେରା ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଉପସଭାପତି ବିଜୟ ଦାସ, ଦିଲ୍ଲୀପ କୁମାର ସାହୁ, ପ୍ରଦୀପ କୁମାର ଦାସ, ପ୍ରଦୀପ କୁମାର ମହାନ୍ତି, ବସନ୍ତ କୁମାର ପାଣିଗ୍ରାହୀ, ହୃଦୟ ର˚ଜନ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ବିଶ୍ବର˚ଜନ ଘଡେ଼ଇ, ମହମ୍ମଦ ସାହିଦ ଜବାର, ସଙ୍ଗୀତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର