ସର୍ବଭାରତୀୟ କାନ୍‌ବା ଲିଗ୍‌: ରାମେଶ୍ୱର ବିଜେତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ବିହାରର ପାଟନାରେ ଚାଲିଥିବା ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌ କ୍ରିକେଟ୍‌ (ଟେ୍ଵଣ୍ଟି-୨୦) ପ୍ରତିଯୋଗିତାରେ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ରାମେଶ୍ୱର ସ୍ପୋର୍ଟିଂ ଦଳ ଆୟୋଜକ କାନ୍‌ବା କ୍ରିକେଟ୍‌ ଏକାଡେମି (ପାଟନା)କୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି।
ଟସ୍‌ ଜିତି ବ୍ୟାଟିଂ ନେଇଥିବା କାନ୍‌ବା ଏକାଡେମି ୧୯.୫ ଓଭରରେ ୮୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରଶାନ୍ତ କୁମାର ୨୨ ରନ୍‌ କରିଥିଲା ବେଳେ ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା ୧୪ ରନ୍‌ରେ ୩, ବିଶ୍ୱଜିତ୍‌ ଭୂୟାଁ ୧୪ ରନ୍‌ରେ ୨ ଓ ଲାଲୁ ମହାନ୍ତି ୯ ରନ୍‌ରେ ୨ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ କୁନାଲ ମଲ୍ଲିକଙ୍କ ୨୯ ବଲ୍‌ରୁ ୪୭ ଓ ବିଶ୍ୱଜିତ୍‌ ଭୂୟାଁଙ୍କ ୧୬ ବଲ୍‌ରୁ ୨୮ ରନ୍‌ ସହାୟତାରେ ରାମେଶ୍ୱର ୧୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ରାକେଶ ଶର୍ମା ଫାଇନାଲ୍‌ର ଏବଂ ବିଶ୍ୱଜିତ୍‌ ଭୂୟାଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ କୁନାଲ ମଲ୍ଲିକ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଓ ଲାଲୁ ମହାନ୍ତି ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର