ଓଡ଼ିଶାରେ ପ୍ରଥମ ଥର ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା

୬ ଖେଳ, ୮ ଜୋନ୍‌ରୁ ଭାଗନେବେ ୪୨୪ ୫୫ ଅନ୍ତର୍ଜାତୀୟ, ୧୫୫ ଜାତୀୟ ଖେଳାଳି

ଭୁବନେଶ୍ୱର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ୬୧ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ଏବଂ ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଏହି ମର୍ଯ୍ୟଦାଜନକ ବୃତ୍ତିଗତ କ୍ରୀଡ଼ା ପ୍ରତିଯୋଗିତା ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୋଟ ୬ ଖେଳରେ ଏହି ପ୍ରତିଯୋଗିତା ହେବ। ରେଳବାଇ ଷ୍ଟାଡିୟମ୍‌ରେ ଟେବୁଲ୍‌ ଟେନିସ୍‌ ଏବଂ ବ୍ୟାଡ୍‌ମିଣ୍ଟନ୍‌ ଆୟୋଜିତ ହୋଇଥିବାବେଳେ କଳିଙ୍ଗ ଷ୍ଟାଡିୟମ୍‌ରେ ଦୌଡ଼ଦୁଦ, ଭଲିବଲ୍‌, ଚେସ୍‌ ଓ କ୍ୟାରମ୍‌ ଖେଳାଯିବ। ଦେଶରେ ଥିବା ଏଲ୍‌ଆଇସିର ୮ ଜୋନ୍‌ ଓ ୧୧୩ ଡିଭିଜନ୍‌ରୁ ମୋଟ ୪୨୪ ଜଣ ଖେଳାଳି ଏଥିରେ ଭାଗନେବେ। ଦୌଡ଼କୁଦ ଇଭେଣ୍ଟ୍‌ରେ ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟରରେ ଉଭୟ ପୁରୁଷ ଓ ମହିଳା ବର୍ଗରେ, ୫,୦୦୦ ଏବଂ ୧୦,୦୦୦ ମିଟର୍‌, ୧୦୦ ମିଟର୍‌ ବାଧାଦୌଡ଼ରେ କେବଳ ପୁରୁଷ ବର୍ଗରେ ହେବ। କେବଳ ମହିଳାମାନଙ୍କ ଲାଗି ହାଇଜମ୍ପ୍‌, ଲଙ୍ଗ ଜମ୍ପ୍‌, ଟ୍ରିପଲ୍‌ ଜମ୍ପ୍‌, ଜାଭଲିନ୍‌, ଡିସ୍‌କସ୍‌, ସଟ୍‌ପୁଟ୍‌, ହାମରଥ୍ରୋ ଇଭେଣ୍ଟ୍‌ ରହିଛି। କ୍ୟାରମ୍‌, ଚେସ୍‌, ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ୍‌ ଟେନିସ୍‌ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୨ ଜଣ ଲେଖାଏଁ ଅଂଶଗ୍ରହଣ କରିବେ। ଭଲିବଲ୍‌ରେ ପ୍ରତି ଜୋନ୍‌ରୁ ଗୋଟିଏ ଲେଖାଏଁ ମୋଟ ୮ ଦଳ ଭାଗନେବେ। ଓଡ଼ିଶା ସାମିଲ ଥିବା ଉତ୍ତର ପୂର୍ବ ଜୋନ ଭଲିବଲ୍‌ ଦଳରୁ ଭୁବନେଶ୍ୱର ଡିଭିଜନ୍‌ର ସନ୍ତୋଷ କୁମାର ପଣ୍ଡା ଏବଂ ଶ୍ରୀନିବାସ ବଡ଼ଜେନା ପ୍ରତିନିଧିତ୍ୱ କରିବେ।

ଏମାନଙ୍କ ବ୍ୟତୀତ ପୂର୍ବତନ ରାଜ୍ୟ ବିଜୟିନୀ ତଥା ଡବ୍‌ଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି ଓ ମନୋରଂଜନ ସାହୁ ଯଥାକ୍ରମେ ଚେସ୍‌ର ମହିଳା ଓ ପୁୁରୁଷ ବର୍ଗରେ ଭାଗନେବେ। ଜାଭଲିନ୍‌ରେ ପ୍ରକାଶ କୁମାର ମହାନ୍ତି ଓ ୨୦୦ ମିଟର୍‌ ଦୌଡ଼ରେ ମଧୁସୂଦନ ବଳ ଭୁବନେଶ୍ୱରର ସମ୍ମାନ ରଖିବା ଲାଗି ପ୍ରୟାସ କରିବେ।
ଏହି ୪ ଦିନିଆ ପ୍ରତିଯୋଗିତାକୁ ଏଲ୍‌ଆଇସିର ଅଧ୍ୟକ୍ଷ ଭିକେ ଶର୍ମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଯାପନୀ ଉତ୍ସବରେ ପରିଚାଳନା ନିର୍ଦେଶକ ମେହନ୍ତ ଭାର୍ଗବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପ୍ରଥମ ଥର ଏଲ୍‌ଆଇସିର ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଏହା ଆମ ପାଇଁ ଗୌରବର ବିଷୟ ବୋଲି ପ୍ରକାଶ କରିଥିଲେ ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବଂଧକ ଲକ୍ଷ୍ମୀପ୍ରସାଦ ଦାସ। ଆମେ ଏହାକୁ ସଫଳତାର ସହ ଆୟୋଜନ କରିବାକୁ ଦୀର୍ଘ ଦୁଇ ମାସ ହେବ ଜୋରସୋର ପ୍ରସ୍ତୁତି କରିଛୁ। ଦେଶର ବହୁ ନାମୀ ଖେଳାଳି ଏବଂ ଏଲ୍‌ଆଇସିର ବରିଷ୍ଠ ଅଧିକାରୀମାନେ ଆସୁଥିବାରୁ ଏହା ଆମ ପାଇଁ ମଧ୍ୟ ଆହ୍ଵାନ ନେଇ ଆସିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ସୋମବାରର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ପରିଚାଳନା ସମିତି ଆବାହକ ତଥା ଭୁବନେଶ୍ୱର ମଣ୍ଡଳ ବିପଣନ ପ୍ରବଂଧକ ଅନନ୍ତ ଭୂଷଣ ରଥ, କାର୍ମିକ ଓ ଔଦ୍ୟୋଗିକ ସମ୍ପର୍କ ବିଭାଗ ପ୍ରବଂଧକ ନୃସିଂହ ଚରଣ ବେହେରା, ବିକ୍ରୟ ବିଭାଗ ପ୍ରବଂଧକ ପ୍ରମୋଦ କୁମାର ସାହୁ, ଭୁବନେଶ୍ୱର ମଣ୍ଡଳ କ୍ରୀଡ଼ା କ୍ଲବ୍‌ ସମ୍ପାଦକ ରମାକାନ୍ତ ଦାଶ, ସଦସ୍ୟ ରୂପନାରାୟଣ ସାହୁ, ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର