ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଏଲ୍ଆଇସି କ୍ରୀଡା ପ୍ରତିଯୋଗିତା ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନ ହୋଇ ଯାଇଛି। ୪ ଦିବସୀୟ ଏହି ପ୍ରତିଯୋଗିତାକୁ ଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶିକା ଉଷା ସାଙ୍ଗଓ୍ଵାନ୍ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ଘୋଡ଼ାନାଚ ଓ ଘୁମୁରା ନୃତ୍ୟ ସହିତ ଶ୍ରୀମତୀ ସାଙ୍ଗଓ୍ଵାନ୍ଙ୍କୁ ସ୍ୱାଗତ ଜଣାଇ ଷ୍ଟାଡ଼ିୟମ ଭିତରକୁ ନିଆଯାଇଥିଲା।
ଏହି ଅବସରରେ ବାଲୁକାରେ ପ୍ରସ୍ତୁତ ଏଲ୍ଆଇସିର ଲଗୋକୁ ସେ ଉଦ୍ଘାଟନ କରିଥିଲେ। ଏଲ୍ଆଇସିର ନିଗମ ଗୀତ ଭୁବନେଶ୍ୱର ମଣ୍ଡଳର କର୍ମଚାରୀମାନେ ଗାନ କରିଥିଲେ। ୮ଟି ଜୋନ୍ ଓ ୧୧୩ଟି ମଣ୍ଡଳରୁ ଆସିଥିବା ଆଥଲେଟ୍ମାନେ ଷ୍ଟାଡିୟମରେ ମାର୍ଚ୍ଚଫାଷ୍ଟ କରିଥିଲେ। ପ୍ରତିଯୋଗିତାରେ ୪୨୪ ଜଣ ଖେଳାଳି ଭାଗ ନେଇଛନ୍ତି। ସେଥି ମଧ୍ୟରୁ ୫୫ ଜଣ ଅନ୍ତର୍ଜାତୀୟ ହୋଇଥିବା ବେଳେ ୧୫୫ ଖେଳାଳି ଜାତୀୟ ସ୍ତରରେ ଭାଗ ନେଇଛନ୍ତି।