ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାର ମହିଳା ବର୍ଗ ଫାଇନାଲ୍ରେ ସିଆର୍ପିଏଫ୍ ଓ ଏସ୍ଏସ୍ବି ମୁହାଁମୁହିଁ ହେବେ। ସୋମବାର ପ୍ରଥମ ସେମିଫାଇନାଲ୍ରେ ସିଆର୍ପିଏଫ୍ ରୋମାଞ୍ଚକ ଭାବେ ଉତ୍ତରପ୍ରଦେଶ ପୁଲିସକୁ ୧-୦ ଗୋଲ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସେହିଭଳି ଦ୍ବିତୀୟ ସେମିଫାଇନାଲ୍ରେ ଏସ୍ଏସ୍ବି ଆୟୋଜକ ଓଡ଼ିଶା ପୁଲିସକୁ ୨-୧ ଗୋଲ୍ରେ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଫାଇନାଲ୍ ମଙ୍ଗଳବାର ଅପରାହ୍ଣରେ ଖେଳାଯିବ। ଏହା ପୂର୍ବରୁ ଆୟୋଜକ ଓଡ଼ିଶା ମହିଳା ପୁଲିସ କାଂସ୍ୟ ପଦକ ଲାଗି ଉତ୍ତରପ୍ରଦେଶ ପୁଲିସକୁ ଭେଟିବ।
ମହିଳା ଭଳି ପୁରୁଷ ବର୍ଗର ଫାଇନାଲ୍ ଲାଇନ୍ ଅପ୍ ମଧ୍ୟ ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ସଂଧ୍ୟାରେ ଖେଳାଯିବାକୁ ଥିବା ଫାଇନାଲ୍ରେ ପଞ୍ଜାବ ପୁଲିସକୁ ସିଆର୍ପିଏଫ୍ ଭେଟିବ। ସୋମବାରର ସେମିଫାଇନାଲ୍ରେ ପଞ୍ଜାବ ପୁଲିସ ଏକତରଫା ଭାବେ ୭-୨ ଗୋଲ୍ରେ ଆଇଟିବିପିକୁ ଏବଂ ବିଏସ୍ଏଫ୍ ୩-୧ ଗୋଲ୍ରେ ସିଆର୍ପିଏଫ୍ ଦଳକୁ ପରାସ୍ତ କରିଥିଲା।
ବିଭିନ୍ନ ମ୍ୟାଚ୍ରେ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଆଇବିର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସୁବର୍ଣ୍ଣ, ମହିଳା ଓ ଶିଶୁ ଅପରାଧ ଶାଖା ଆଇଜିପି ଏସ୍ ସୈନି, ଆଇଜିପି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।