ସବୁ ଜାତୀୟ ହକି ପ୍ରତିଯୋଗିତା ସ୍ଥଗିତ: ସ୍ଥିତି ସମୀକ୍ଷା ପରେ ନୂଆ ତାରିଖ ଘୋଷଣା ହେବ, ହକି ଇଣ୍ଡିଆ

ଭୁବନେଶ୍ବର: କରୋନା ଭୂତାଣୁ ମହାମାରୀ ପାଇଁ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ଦେଶବ୍ୟାପୀ ଲାଗୁ ହୋଇଥିବା ତାଲାବନ୍ଦର ଅବଧି କେନ୍ଦ୍ର ସରକାର ମଙ୍ଗଳବାର ବଢ଼ାଇଛନ୍ତି। ତାଲାବନ୍ଦ ଅବଧି ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଗଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ହକି ଇଣ୍ଡିଆ ୨୦୨୦ରେ ଆୟୋଜିତ ହେବାକୁ ଥିବା ତା’ର ଅବଶିଷ୍ଟ ସମସ୍ତ ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ପୁଣି ବାତିଲ କରିଛି। ଏପ୍ରିଲ ୧୪ ପର୍ଯ୍ୟନ୍ତ ତାଲାବନ୍ଦକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏପ୍ରିଲ ୨୯ରୁ ଦେଶର ବିଭିନ୍ନ ଭେନ୍ୟୁରେ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସୂଚୀ ପ୍ରସ୍ତୁତ କରିଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳବାରର ଅବଧି ବୃଦ୍ଧି ଘୋଷଣା ପରେ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ବାତିଲ କରିବାକୁ ବାଧ୍ୟ ହୋଇଛି। ବିଶେଷକରି ଖେଳାଳି, ପ୍ରଶିକ୍ଷକ, ଅଂଶୀଦାର, ଆୟୋଜକ, ପ୍ରଶଂସକ ଓ ଅଧିକାରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନିର୍ଦିଷ୍ଟ କାଳ ପାଇଁ ପ୍ରତିଯୋଗିତାଗୁଡ଼ିକ ବାତିଲ କରାଗଲା ବୋଲି କହିଛି। ଦେଶରେ କରୋନା ସ୍ଥିତି ସୁଧୁରିଲେ ଏବଂ ସ୍ଥିତି ଯାଞ୍ଚ୍‌ କରିବା ପରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ କହିଛି। ତଥାପି ଏହି ସମୟରେ ଅଂଶଗ୍ରହଣକାରୀ ସଦସ୍ୟ ୟୁନିଟ୍‌ଗୁଡ଼ିକ ସେମାନଙ୍କ ପୋର୍ଟାଲ ନବୀକରଣ କରିବା ସାଙ୍ଗକୁ ଖେଳାଳିଙ୍କ ସଂପର୍କରେ ତାଜା ତଥ୍ୟ ରଖିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ବର୍ଷର ଅବଶିଷ୍ଟ ପ୍ରତିଯୋଗିତାଗୁଡ଼ିକ ସ୍ଥଗିତ ରହିବାରେ ଆମକୁ ସମର୍ଥନ ଦେଇଆସୁଥିବା ଆୟ‌ୋଜକ ଓ ସଦସ୍ୟ ୟୁନିଟ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସାଇ ପ୍ରଶିକ୍ଷଣ ଶିବିର ମେ ୩ ପର୍ଯ୍ୟନ୍ତ ସ୍ଥଗିତ
ବେଙ୍ଗାଲୁରୁ, ୧୪|୪: କେନ୍ଦ୍ର ସରକାର କରୋନା ଆତଙ୍କ ପାଇଁ ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରିଛନ୍ତି। ସେଥିପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଆୟୋଜନ କରୁଥିବା ସମସ୍ତ ପ୍ରଶିକ୍ଷଣ ଶିବିରକୁ ସେହି ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରି ଦେଇଛି। ପୂର୍ବରୁ ଏସବୁ ଶିବିର ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା ଏବେ ଏହାକୁ ଆହୁରି ଅଢ଼େଇ ସପ୍ତାହ ବଢ଼ାଇ ଦିଆଯାଇଛି। ଫଳରେ ଖେଳାଳିମାନେ ଯେଉଁଠି ଅଛନ୍ତି, ସେହିଠାରେ ରହିବା ସ୍ପଷ୍ଟ ହୋଇଛି। ସଂପ୍ରତି ଭାରତୀୟ ମହିଳା ଓ ପୁରୁଷ ହକି ଦଳ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଥିଲା ବେଳେ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ପାତିଆଲା ସାଇ କେନ୍ଦ୍ରରେ ଅଛନ୍ତି। ସେହିଭଳି ଅନ୍ୟ କେତେକ ସାଇ କେନ୍ଦ୍ରରେ ମଧ୍ୟ ଖେଳାଳି ଅଟକି ରହିଥିବା ଜଣାପଡ଼ିଛି।

ବାତିଲ ହୋଇଥିବା ଜାତୀୟ ପ୍ରତିଯୋଗିତା
୧-ଏପ୍ରିଲ ୨୯ରୁ ମେ’ ୯ ଏବଂ ୭ ମେ’ରୁ ୩୦ ମେ’ ପର୍ଯ୍ୟନ୍ତ ଯଥାକ୍ରମେ ଆୟୋଜିତ ହେବାକୁ ଥିବା ଦଶମ କନିଷ୍ଠ ବାଳିକା ପ୍ରତିଯୋଗିତା (ବି ଓ ଏ ଡିଭିଜନ୍‌), ରାଞ୍ଚି, ଝାଡ଼ଖଣ୍ଡ।
୨-ମେ’ ୧୪ରୁ ୨୧ ଏବଂ ୧୯ ମେ’ରୁ ୩୦ ମେ’ ପର୍ଯ୍ୟନ୍ତ ଯଥାକ୍ରମେ ଆୟୋଜିତ ହେବାକୁ ଥିବା ଦଶମ କନିଷ୍ଠ ବାଳକ ପ୍ରତିଯୋଗିତା (ବି ଓ ଏ ଡିଭିଜନ୍‌), ଚେନ୍ନାଇ, ତାମିଲନାଡୁ।
୩-ମେ’ ୩ରୁ ୧୪ ଏବଂ ମେ’ ୧୨ରୁ ୨୩ ପର୍ଯ୍ୟନ୍ତ ଯଥାକ୍ରମେ ଆୟୋଜିତ ହେବାକୁ ଥିବା ଦଶମ ଉପକନିଷ୍ଠ ବାଳିକା ପ୍ରତିଯୋଗିତା (ବି ଓ ଏ ଡିଭିଜନ୍‌), ହିସାର, ହରିଆନା।
୪- ମେ ୨୮ରୁ ୪ ଜୁନ୍ ଏବଂ ୩ ଜୁନ୍‌ରୁ ୧୩ ଜୁନ୍ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦଶମ ଉପକନିଷ୍ଠ ବାଳକ ପ୍ରତିଯୋଗିତା (ବି ଓ ଏ ଡିଭିଜନ୍, ଇମ୍ଫାଲ, ମଣିପୁର)
୫-ଜୁନ୍‌ ୨୦ରୁ ଜୁଲାଇ ୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦଶମ ବରିଷ୍ଠ ପୁରୁଷ ପ୍ରତିଯୋଗିତା (ବି ଡିଭିଜନ୍‌), ଗୁଆହାଟୀ, ଆସାମ।

ସମ୍ବନ୍ଧିତ ଖବର