ସୁବ୍ରତ ନିଖିଳ ଓଡ଼ିଶା ଓପନ୍‌ ସ୍ନକର ବିଜେତା

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଆୟୋଜିତ ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶ୍ରେଷ୍ଠ ୧୧ ଫ୍ରେମ୍‌ ବିଶିଷ୍ଟ ଫାଇନାଲ୍‌ରେ ସିଦ୍ଧାର୍ଥ ସେନ୍‌ଙ୍କୁ ୬-୪ (୭୪-୨୪, ୭୯-୫୦, ୪୨-୫୧, ୪୫-୫୮, ୭୭-୨୬, ୪୭-୪୬, ୪୪-୭୫, ୭୬-୨୯, ୪୨-୫୮, ୮୧-୩୪)ରେ ପରାସ୍ତ କରି ସୁବ୍ରତ ଦାସ ବିଜେତା ଆଖ୍ୟା ହାତେଇ ନେଇଛନ୍ତି। ବିଜେତା ସ୍ୱରୂପ ସୁବ୍ରତ ୨୫,୦୦୦ ଅର୍ଥ ପୁରସ୍କାର ସହିତ ଟ୍ରଫି ପାଇଥିଲା ବେଳେ ସିଦ୍ଧାର୍ଥଙ୍କୁ ୧୩,୦୦୦ ରାଶି ଓ ଉପବିଜେତା ଟ୍ରଫି ମିଳିଥିଲା। ସେମିଫାଇନାଲ୍‌ ଦଳମାନଙ୍କୁ ୬୦୦୦, କ୍ୱାର୍ଟର ଫାଇନାଲ୍‌ ଦଳମାନଙ୍କୁ ୪୦୦୦, ପ୍ରିକ୍ୱାର୍ଟର ଦଳଙ୍କୁ ୧୦୦୦ ଏବଂ ପରାଜିତ କ୍ୱାର୍ଟର ଫାଇନାଲ୍‌ ଦଳଙ୍କୁ ୫୦୦ ଲେଖାଏଁ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସର୍ବାଧିକ ବ୍ରେକ୍‌ (୭୩ ପଏଣ୍ଟ୍‌) ପାଇଁ ଆକାଶ ମହାପାତ୍ର ୫୦୦୦ ଟଙ୍କାର ପୁରସ୍କାର ପାଇଥିଲେ।
ଏମ୍‌ଆଇଇଟିର ପରିଚାଳନା ନିର୍ଦେଶକ ତଥା ଭିଣ୍ଟେଜ କ୍ଲବ୍‌ ମାଲିକ ଅମିୟରଞ୍ଜନ ନାୟକ, କ୍ଲବ୍‌ର ସହମାଲିକ ସତ୍ୟନଦୀପ୍‌ ଦାସ, ଓଡ଼ିଶା କ୍ୟୁସ୍ପୋର୍ଟସର ପ୍ରତିଯୋଗିତା ମୁଖ୍ୟ ଗୋବିନ୍ଦ ଶର୍ମା, ଏମ୍‌ଆଇଇଟି ସାଙ୍ଗଠନିକ ସମିତି ସଂପାଦକ ଶ୍ୟାମ ଅଗ୍ରଓ୍ଵାଲ, ଯୁଗ୍ମ ସଂପାଦକ ମିଶାଲ ସ୍ୱାଇଁ ଏବଂ ପୂର୍ବତନ ରାଜ୍ୟ ବିଜେତା ତଥା ବରିଷ୍ଠ ଖେଳାଳି ଜିତ୍‌କିଶୋର ଦାସ ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର