୨ ରନ୍‌ରେ ଅଲ୍‌ଆଉଟ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ରେ ଏକ ଅବିଶ୍ୱସନୀୟ ଦଳଗତ ସ୍କୋର୍‌ ଶୁକ୍ରବାର ଦେଖିବାକୁ ମିଳିଛି। ଏହା ପୁଣି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଦ୍ୱାରା ପରିଚାଳିତ ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ ଲିଗ୍‌ ଓ ନକ୍‌ଆଉଟ୍‌ ପ୍ରତିଯୋଗିତାରେ। ଏହି ପ୍ରତିଯୋଗିତାରେ ଶୁକ୍ରବାର ଏକ ମ୍ୟାଚ୍‌ରେ କେରଳ ବିପକ୍ଷରେ ନାଗାଲାଣ୍ଡ୍‌ ମହିଳା ଦଳ ମାତ୍ର ୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଛି। ଆଉ ଏହି ମ୍ୟାଚ୍‌ରେ ନାଗାଲାଣ୍ଡ୍‌ ୧୭ ଓଭର ପର୍ଯ୍ୟନ୍ତ ଖେଳି ମାତ୍ର ୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସେଥିରୁ ୧୦ ଜଣ (ଶୂନ) ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ମାତ୍ର ଗୋଟିଏ ରନ୍‌ ବ୍ୟାଟ୍‌ରୁ ହିଁ ଆସିଥିଲା। ପ୍ରାରମ୍ଭିକ ଖେଳାଳି ମେନକା ୧୮ ବଲ୍‌ର ସାମ୍‌ନା କରି ବ୍ୟାଟ୍‌ରୁ ଆସିଥିବା ଏକମାତ୍ର ରନ୍‌ କରିଥିଲା ବେଳେ ଅବଶିଷ୍ଟ ରନ୍‌ଟି ଓ୍ଵାଇଡ୍‌ରୁ ମିଳିଥିଲା। ଷଷ୍ଠ ଓଭର ଆରମ୍ଭରୁ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୨ ରନ୍‌ କରିଥିଲା ବେଳେ ପରବର୍ତୀ ୧୧.୪ ଓଭରରେ ସେହି ୨ ରନ୍‌ରେ ହିଁ ସମସ୍ତ ଖେଳାଳି ପାଭିଲିୟନ୍‌ ଫେରି ଯାଇଥିଲେ। ଆଉ ଏହି ମ୍ୟାଚ୍‌ରେ ବୋଲିଂ କରିଥିବା କେରଳର ୫ ବୋଲରଙ୍କ ମଧ୍ୟରୁ ୪ ଜଣ ସେମାନଙ୍କ ୧୬ ଓଭରରେ ଗୋଟିଏ ବି ରନ୍‌ ବ୍ୟୟ କରିନଥିଲେ। ଏହି ୪ ଜଣ ୧୬ ଓଭର ମେଡେନ୍‌ ପକାଇଥିଲା ବେଳେ ଏକମାତ୍ର ଆଲିନା ସୁରେନ୍ଦ୍ରନ୍‌ ଗୋଟିଏ ରନ୍‌ ଦେଇଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ୩-୨-୨-୦। ସୁନ୍ଦରନ୍‌ଙ୍କ ପ୍ରାରମ୍ଭିକ ବୋଲିଂ ସାଥୀ ସୌଭାଗ୍ୟ ପବି ୬ ମେଡେନ୍‌ ଓଭର ବୋଲିଂ କରି ୨ ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ୬-୬-୦-୨। ଏମାନଙ୍କ ବ୍ୟତୀତ କେରଳ ଅଧିନାୟିକା ମିନୁ ମଣୀ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ସେଥିରୁ ସେ ମ୍ୟାଚ୍‌ର ଏକାଦଶ ଓଭରରେ ୩ ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ୪-୪-୦-୪। ସାନ୍ଦ୍ରା ସୁରେନ୍‌ ଓ ବିବି ସେବାସ୍ତିନ୍‌ (ପ୍ରତ୍ୟେକ ୨-୨-୦-୧) ସେମାନଙ୍କ ୨ ଓଭର ଲେଖାଏଁ ବୋଲିଂରେ ଆଦୌ ରନ୍‌ ନଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ। ସାଂପ୍ରତିକ ସମୟରେ କ୍ରିକେଟ୍‌ ମ୍ୟାଚ୍‌ରେ ରନ୍‌ର ବର୍ଷା ହେଉଥିଲା ବେଳେ ଏଭଳି ଏକ ପାଳି (୧୭ ଓଭରରେ ୨ ରନ୍‌, ୧୦ ଓ୍ଵିକେଟ୍‌) ହୁଏତ ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା। ପୁଣି ଉତ୍ତର-ପୂର୍ବ ପ୍ରତିଯୋଗିତାରେ ବିହାର ପଛକୁ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ନାଗାଲାଣ୍ଡ୍‌ ସୁପର ଲିଗ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ, ନାଗାଲାଣ୍ଡ୍‌ ସାଙ୍ଗକୁ ଉତ୍ତର-ପୂର୍ବ ରାଜ୍ୟରୁ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ ଓ ସିକ୍କିମ ମଧ୍ୟପ୍ରଥମ ଥର ଲାଗି ବିସିସିଆଇ ୧୯ ବର୍ଷରୁ କମ୍‌ ମହିଳା ପ୍ରତିଯୋଗିତାରେ ଭାଗ ନେବାକୁ ସବୁଜସଂକେତ ପାଇଥିଲେ।

ନାଗାଲାଣ୍ଡ୍‌ ୨ ରନ୍‌ର ଜବାବରେ କେରଳ ମାତ୍ର ଗୋଟିଏ ବଲ୍‌ରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ନାଗାଲାଣ୍ଡ୍‌ର ପ୍ରାରମ୍ଭିକ ବୋଲର ଦୀପିକା କାଇନ୍ତୁରା ଓ୍ଵାଇଡ୍‌ ବଲ୍‌ରୁ ବୋଲିଂ ଆରମ୍ଭ କରିଥିଲା ବେଳେ ପରର୍ବତୀ ବୈଧ ବଲ୍‌କୁ ଅଂଶୁ ଏସ୍‌ ରାଜୁ ଚୌକା ମାରି କେରଳକୁ ୧୦ ଓ୍ଵିକେଟ୍‌ର ବିଜୟ ଭେଟି ଦେଇଥିଲେ। ଅବଶ୍ୟ ଅତି ସହଜ ବିଜୟ ହାସଲ କରିଥିବା ସତ୍ତ୍ୱେ କେରଳ ପ୍ରତିଯୋଗିତାର ସେମିଫାଇନାଲ୍‌ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିପାରିନାହିଁ। ଏହା ପୂର୍ବରୁ ନାଗାଲାଣ୍ଡ୍‌ ଦଳ ଚଳିତ ଋତୁରେ ଉତ୍ତର-ପୂର୍ବ-ବିହାର ୧୯ ବର୍ଷରୁ କମ୍‌ ଦିନିକିଆ ପ୍ରତିଯୋଗିତାରେ ମଣିପୁର ବିପକ୍ଷ ଏକ ମ୍ୟାଚ୍‌ରେ ୪୨ ଓ୍ଵାଇଡ୍‌ ରନ୍‌ ଦେଇଥିଲା। ଅବଶ୍ୟ ସେହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ମଣିପୁର ମଧ୍ୟ ୯୪ ଓ୍ଵାଇଡ୍‌ ବଲ୍‌ ପକାଇଥିଲା। ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ କୌଣସି ଇଣ୍ଡୋର ସୁବିଧା ନଥିବାରୁ ନାଗାଲାଣ୍ଡ୍‌ ଦଳ କେବଳ ସେପ୍ଟେମ୍ବରରୁ ପ୍ରସ୍ତୁତି ଆରମ୍ଭ କରିଥିଲା। ତେଣୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଇପାରିଲେ ନାହିଁ ବୋଲି ଚଳିତ ବର୍ଷ ସେପ୍ଟେମ୍ବରରୁ ନାଗାଲାଣ୍ଡ୍‌ ଦଳର ପ୍ରଶିକ୍ଷଣ ଦାୟିତ୍ୱ ନେଇଥିବରା ପୂର୍ବତନ ରଣଜୀ ତାରକା ହୋକିଟୋ ଝିମୋମି ପ୍ରତିକ୍ରିୟା ରଖିଛନ୍ତିି।

ସମ୍ବନ୍ଧିତ ଖବର