ରସୁଲପୁର: ୬୮ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାର ତୃତୀୟ ଦିନରେ ଗୁରୁବାର ରାଜ୍ୟର ପ୍ରତିଷ୍ଠିତ ଦଳଗୁଡ଼ିକ ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି। ପୁରୁଷ ବିଭାଗର ବୁଲନ୍ଦସର ୩୯-୧୦ ପଏଣ୍ଟରେ ଯାଜପୁରକୁ ହରାଇଥିଲା। କୋଲକାତା ବିପକ୍ଷରେ ଜଗତସିଂହପୁର ପ୍ରଭାବୀ ପ୍ରଦର୍ଶନ କରି ୪୧-୧୦ ପଏଣ୍ଟରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ନାଗପୁର ୨୩-୧୭ ପଏଣ୍ଟରେ ଦାଣ୍ତମୁକୁନ୍ଦପୁରକୁ ହରାଇଥିଲା। ଅତ୍ୟଧିକ ଖରା ଓ ତାତି କାରଣରୁ ସକାଳ ପର୍ଯ୍ୟାୟର ଖେଳ ୧୦.୩୦ ମିନିଟରେ ବନ୍ଦ କରିଦିଆଯାଇଥିଲା।

Advertisment

ଅପରାହ୍ଣରେ କଟକ କବାଡ଼ି ଟିମ୍‌ କଡ଼ା ମୁକାବିଲାରେ ଲକ୍ଷ୍ନୌକୁ ୩୩-୨୭ ପଏଣ୍ଟରେ ହରାଇଥିଲା। ଅନ୍ୟଏକ ମ୍ୟାଚ୍‌ରେ ବୁଲନ୍ଦସର ୪୦-୩୦ ପଏଣ୍ଟରେ ଛତିଶଗଡ଼କୁ ହରାଇଥିଲା। ଅପରାହ୍ଣର ମହିଳା ବିଭାଗ ପ୍ରଥମ ମ୍ୟାଚ୍‌ରେ ଚନ୍ଦନନଗର ୩୨-୧୦ ପଏଣ୍ଟରେ ଆସ୍କାକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର କୌଣସି କବାଡ଼ି ଟିମ୍‌ ଚାମ୍ପିଅନ୍ ହେଲେ ଖେଳାଳିମାନଙ୍କ ପାଇଁ ରୁଚି ମସଲା ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ପୁରୁଷ ଚାମ୍ପିଅନ ଦଳକୁ ୫୦ ହଜାର ଓ ମହିଳା ଚାମ୍ପିଅନ ଦଳକୁ ୨୫ ହଜାର ଟଙ୍କାର ଅର୍ଥ ପୁରସ୍କାର ମିଳିବ। ଓଡ଼ିଶା କବାଡ଼ି ଆସୋସିଏସନ ପକ୍ଷରୁ ବିକ୍ରମ କୁମାର ପ୍ରଧାନ, ବିରଞ୍ଚି କୁମାର ବେହୁରା, ଦୀପକ କୁମାର ଗଡ଼ନାୟକ, ସରୋଜ କୁମାର ସେଠୀ, କେ.ମାଧବ ରାଓ, ସସ୍ମିତା ଦାସ, ପ୍ରକାଶ ସାହୁ, ବିଭୁ ଭୂଷଣ ପାଲ, ପ୍ରଶାନ୍ତ କୁମାର ପରିଡ଼ା, ସଦାଶିବ ସାହୁ, ଭଗବାନ ଦାସ, ପୃଥ୍ବୀରାଜ ପଟ୍ଟନାୟକ ଓ ପଦ୍ମଚରଣ ପ୍ରଧାନ ପ୍ରମୁଖ ଅଫିସିଆଲ ମାନେ ଯୋଗଦେଇ କ୍ରୀଡ଼ା ପରିଚାଳନା କରିଥିଲେ। ଗୁରୁବାର ଅତିଥି ଭାବେ ଓଡ଼ିଶା କବାଡ଼ି ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା ଓ ଯୁଗ୍ମସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଯୋଗଦେଇଥିଲେ।