ଲକ୍ଷ୍ୟପଥରେ ସବୁ ଦଳ

ଆମେରିକା ଦଳର ଅଧିନାୟକ ଭାରତୀୟ ବଂଶୋଦ୍ଭବ ଧଡୱାଲ୍‌

ଭୁବନେଶ୍ବର: ଗୁରୁବାରଠୁ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସ‌ଠାରେ ଆରମ୍ଭ ହେବ ପୁରୁଷ ହକି ସିରିଜ ଫାଇନାଲ୍ସ। ଏହି ପ୍ରତିଯୋଗିତା ଲାଗି ଭୁବନେଶ୍ବରରେ ପହଞ୍ଚି ସାରିଲେଣି ସବୁ ଦଳ। ଆୟୋଜକ ଭାରତ ସହ ପୋଲାଣ୍ଡ, ରୁଷିଆ, ଉଜ୍‌ବେକିସ୍ତାନ ଗ୍ରୁପ୍‌-ଏରେ ସ୍ଥାନ ପାଇଥିଲା ବେଳେ ଦକ୍ଷିଣ ଆଫ୍ରିକା, ଜାପାନ୍‌, ଆମେରିକା ଏବଂ ମେକ୍ସିକୋ ଗ୍ରୁପ୍‌-ବିରେ ରହିଛନ୍ତି। ଏହି ପ୍ରତିଯୋଗିତାରୁ ଦୁଇ ଶ୍ରେଷ୍ଠ ଦଳକୁ ଅଲିମ୍ପିକ୍‌ ଯୋଗ୍ୟତା ମିଳିବ। ଫଳରେ ହକି ସିରିଜ ଫାଇନାଲ୍ସ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି। ଅଲିମ୍ପିକ୍‌ ଲକ୍ଷ୍ୟ ପଥରେ ଯିବା ପୂର୍ବରୁ ଏହି ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ଦଳର ଜଣେ ଜଣେ ପ୍ରତିନିଧି ନିଜର ପ୍ରସ୍ତୁତି ଓ ଲକ୍ଷ୍ୟ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଭାରତ: ଘରେ ଖେଳିବାକୁ ଥିବାରୁ ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ହୋଇଥିବାରୁ ବିଜେତା ହେବାର ମୁଖ୍ୟ ଦାବିଦାର ହେଉଛି ଭାରତ। ଅଲିମ୍ପିକ୍‌ ଯୋଗ୍ୟତା ଥିବାରୁ ଏହି ପ୍ରତିଯୋଗିତା ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଆମ ପାଇଁ ମଧ୍ୟ। ଭୁବନେଶ୍ବରରେ ଆମେ ଭଲ କରିବା ସହ ଫାଇନାଲ୍‌କୁ ଯିବୁ ହିଁ ଯିବୁ ବୋଲି ଦୃଢ଼ତାର ସହ କହିଛନ୍ତି ଅଧିନାୟକ ମନ୍‌ପ୍ରୀତ ସିଂହ। ନୂଆ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଖେଳାଳିଙ୍କ ସହ ଭଲ ଭାବରେ ମିଶି ପାରୁଛନ୍ତି। ‌ଭୁଲ ସୁଧାରିବା ଲାଗି ସ୍ନେହର ସହ ଖେଳାଳିଙ୍କୁ ସେ ବୁଝାନ୍ତି। ଯାହାପାଇଁ ସେ ସମସ୍ତଙ୍କ ପ୍ରିୟ ହୋଇ ଯାଇଛନ୍ତି। ଆମର ଥିବା ଫିନିସିଂ ଅସୁବିଧା ‌ଏଠାରେ ଦୂର ହେବ ବୋଲି ଆ‌େମ‌ ପୂରା ଆଶା ରଖିଛୁ। ଏଥିପାଇଁ ପ୍ରଶିକ୍ଷକଙ୍କ ତତ୍ବାବଧାନ‌ରେ ପ୍ରସ୍ତୁତ ହେଉଛୁ। ଏଠାକୁ ଆସିଥିବା ଦଳଗୁଡ଼ିକ ବିପକ୍ଷରେ ଖେଳିବାର ଆମ ପାଖରେ ଅଭିଜ୍ଞତା ନାହିଁ। ସେମାନେ କେମିତି ଖେଳିବେ ଆମକୁ ଜଣାନାହିଁ। ଆମେ ବିଶ୍ବ ମାନ୍ୟତାରେ ଉପରେ ଥିଲେ ମଧ୍ୟ କୌଣସି ଦଳକୁ ଗୌଣ ମନେ କରିବୁନି। ଏସୀୟ କପ୍‌ରେ ଆମେ ବିଜେତା ହୋଇଥିଲେ ଏଠାରେ ଖେଳିବାକୁ ପଡ଼ିନଥାନ୍ତା। ‌ଦୁର୍ଭାଗ୍ୟଜନକ ଭ‌ାବେ ସେମିଫାଇନାଲ୍‌ରୁ ବିଦାୟ ନେଇଥିଲୁ। କିନ୍ତୁ ଭୁବନେଶ୍ବରରେ ଆମକୁ ଅଲିମ୍ପିକ୍‌ ଯୋଗ୍ୟତା ଲାଗି ଦ୍ବିତୀୟ ସୁଯୋଗ ମିଳିଛି। ଏହି ସୁଯୋଗକୁ ହାତଛଡ଼ା କରିବୁନି। ସେମିଫାଇନାଲ୍‌‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ହାରିଲେ ବିଦାୟ ନେବାକୁ ପଡ଼ିବ। ଯେଉଁ ଦଳ ସେମିଫାଇନାଲ୍‌ ଆସିବ ତା’ ବିପକ୍ଷରେ ଖେଳିବା ଲାଗି ଯୋଜନା ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ମନ୍‌ପ୍ରୀତ। ଏବର ମୁଖ୍ୟ ଯୋଜନା ହେଉଛି ଯେତେବେଳେ ଆମକୁ ସୁଯୋଗ ମିଳିବ ଗୋଲ୍‌ରେ ପରିଣତ କରିବୁ। ବିପକ୍ଷ ଦଳକୁ ପେନାଲ୍ଟି କର୍ନର (ପିସି) ସୁଯୋଗ ନ‌ ଦେବା ଲାଗି ‌ପୁରା ଯୋଜନା କରୁଛୁ ବୋଲି ସେ ପ୍ରକାଶ କରିଥିଲେ।
ଆମେରିକା: ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବା ଆମର ମୁଖ୍ୟ ଲକ୍ଷ୍ୟ। ମାତୃଭୂମିରେ ଖେଳିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ଅନ୍ୟ ଦଳରେ ରହିଥିଲେ ମଧ୍ୟ ଏଠାରେ ମୋତେ‌ ଦର୍ଶକଙ୍କ ସମର୍ଥନ ମିଳିବ। ଆମେ ବିଶ୍ବ ମାନ୍ୟତାରେ ୨୫ତମ ସ୍ଥାନରେ ରହିଥିଲେ ମଧ୍ୟ ଆଗକୁ ବଢ଼ିବାର ପୂରା ଆତ୍ମବିଶ୍ବାସ ରହିଛି ବୋଲି ଦଳର ଅଧିନାୟକ ତଥା ଭାରତୀୟ ବଂଶୋଭବ ଅଜାଇ ଧଡ଼ୱାଲ କହିଛନ୍ତି।
ପୋଲାଣ୍ଡ: ଗ୍ରୁପ୍‌ ଏରେ ଏହି ଦଳ ଆୟୋଜକ ଭାରତ, ରୁଷିଆ ଓ ଉଜବେକିସ୍ତାନ ସହ ରହିଛି। ଆମେ ବିଶ୍ବ ମାନ୍ୟତାରେ ୨୧ତମ ସ୍ଥାନରେ ଥିଲେ ମଧ୍ୟ ଏଠାରେ ଭଲ କରି ଅଲିମ୍ପିକ୍‌ ଟିକେଟ୍‌ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପ୍ରତିଯୋଗିତାର ଶୀର୍ଷ ଦଳ ଭାରତ ସହ ଗୋଟିଏ ଗ୍ରୁପ୍‌ରେ ଥିବାରୁ ଲକ୍ଷ୍ୟ କଷ୍ଟକର। ତଥାପି ଦ୍ବିତୀୟ ଦଳ ଭାବେ ‌ପହଞ୍ଚିବାର ଆଶା ରହିଛି ବୋଲି କହିଛନ୍ତି ଦଳର ଉପଅଧିନାୟକ ମାତ୍ୟୁସ ପୋପିଓଲ୍‌କୌସ୍କି।
ଜାପାନ: ୨୦୧୮ ଏସୀୟ କ୍ରୀଡ଼ା ବିଜେତା ଜାପାନ୍‌ ଗ୍ରୁପ୍‌-ବିରେ ରହିଛି। ଆୟୋଜକ ଦଳ ଭାବେ ଅଲିମ୍ପିକ୍‌ ଟିକେଟ୍‌ ହାସଲ କରିସାରିଥିବାରୁ ଭୁବନେଶ୍ବରରେ ଏହି ଦଳକୁ କିଛି ହରାଇବାକୁ ପଡ଼ିବନି। ଆମେ ମାନ୍ୟତା ବଢ଼ାଇବା ସହ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛୁ। ପୂର୍ବ ଭଳି ଆମେ ଆକ୍ରମଣତ୍ମକ ଖେଳ ଜାରି ରଖିବୁ। ଏବେ ଆମର ମୁଖ୍ୟ ଲକ୍ଷ୍ୟ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବା ବୋଲି କହିଛନ୍ତି ଜାପାନ ଅଧିନାୟକ ମାନାବୁ ୟାମାଶିତା।
ଦକ୍ଷିଣ ଆଫ୍ରିକା: ଏହି ପ୍ରତିଯୋଗତାରେ ଆମେ ଭାରତ ପଛକୁ ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତା ଦଳ। ଭୁବନେଶ୍ବରେ ଆମେ ବିଶ୍ବକପ୍‌ ଖେଳିକି ଯାଇଛୁ। ଏହି ଅଭିଜ୍ଞତା ଆମକୁ ସହଯୋଗ କରିବ। ଏବେ ଦଳ ନୂଆ ପ୍ରଶିକ୍ଷକଙ୍କ ନେତୃତ୍ବରେ ଭଲ କରୁଛି। ଗ୍ରୁପ୍‌ ଶୀର୍ଷରେ ରହି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛୁ। ଭାରତ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ମାନ୍ୟତା ଦଳ ସହ ଘରେ ଖେଳୁଥିବାରୁ ଟ୍ରଫି ଜିତିବାର ପ୍ରମୁଖ ଦାବିଦାର ନିଶ୍ଚିତ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଆମ ଦଳ ଦୃଢ଼ ରହିଛି। ଯେ କୌଣସି ଦଳକୁ ମାତ୍‌ ଦେବାକୁ ସକ୍ଷମ ବୋଲି ଦଳର ଗୋଲ୍‌ ରକ୍ଷକ ରାସି ପିଟରସି କହିଛନ୍ତି।
ରୁଷିଆ: ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିବା ଲାଗି ଏହି ପ୍ରତିଯୋଗିତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଉତ୍ସାହିତ ରହିଛୁ। ଭାରତ ବିପକ୍ଷରୁ ଆମର ଅଭିଯାନ ରହିଛି। ଘରୋଇ ଦର୍ଶକଙ୍କ ‌ମାହୋଲ‌ରେ ଭାରତ ଖେଳୁଥିବାରୁ ଫାଇଦାରେ ରହିବ। ଆମେ ମଧ୍ୟ ଆୟୋଜକ ଦଳକୁ ପୁରା ଟକ୍କର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରୁଷୀୟ ଖେଳାଳି ପାଭେଲ ଗୋଲୁବେଭ।
ମେକ୍ସିକୋ: ଏହି ଦେଶ ଏବଂ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଅଛୁ। ଆମ ପାଇଁ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ସବୁଦଳ ଫାଇନାଲ୍‌ ଖେଳିବାର ଆଶା ରଖନ୍ତି। ବିଶ୍ବ ମାନ୍ୟତାରେ ୩୬ତମ ସ୍ଥାନରେ ଥିଲେ ମଧ୍ୟ ଆମର ମଧ୍ୟ ଏହି ଆଶା ରହିଛି ବୋଲି କହିଛନ୍ତି ‌ଦଳର ଖେଳାଳି ମିଗୁଏଲ୍‌ ଲିୟନ୍‌।
ଉଜବେକିସ୍ତାନ: ପ୍ରତିଯୋଗିତାର କମ୍‌ ମାନ୍ୟତାପ୍ରାପ୍ତ ଦଳ‌ ହେଉଛି ଉଜବେକିସ୍ତାନ (୪୩)। ଅଲିମ୍ପିକ୍‌ ଖେଳିବା ସବୁଦଳର ସ୍ବପ୍ନ। ଏଥି ଲାଗି ଆମ ପାଇଁ ଏହି ପ୍ରତିଯୋଗିତାର ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଏଠାକୁ ଖେଳିବାକୁ ଆସିଥିବା ସବୁଦଳଠୁ ଆମେ ମାନ୍ୟତାରେ ଦୁର୍ବଳ। ହେଲେ ମ୍ୟାଚ୍‌ ବେଳେ ଆମେ ୧୦୦ ପ୍ରତିଶତ ପ୍ରଦର୍ଶନ ଦେବା ସହ ଯେ କୌଣସି ଦଳକୁ ଚକ୍‌ମା ଦେଇପାରିବୁ। ମାନ୍ୟତାରେ ଦେଖିଲେ ଭାରତ ନିଶ୍ଚିତ ପସନ୍ଦର ଦଳ ବୋଲି କହିଛନ୍ତି ଉଜବେକିସ୍ତାନ ଅଧିନାୟକ ଗୋଲିବ କଲାନ୍ଦାରୋଭ।

ସମ୍ବନ୍ଧିତ ଖବର