ଓଡ଼ିଆଙ୍କୁ ଏସୀୟ ଶୁଭେଚ୍ଛା

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗରେ ଚଳିତ ମାସ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଚାରି ଓଡ଼ିଆ ତାରକା ଦୂତି ଚାନ୍ଦ, ଋତୁପର୍ଣ୍ଣା ପଣ୍ଡା, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ରବିବାର ମିଳିଛି ଘରୋଇ ଶୁଭେଚ୍ଛା ଓ ଶୁଭକାମନା। ଅଭିନେତାଠାରୁ ଆରମ୍ଭ କରି ରାଜନେତା ଓ ସମାଜସେବୀ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇ ଏମାନଙ୍କୁ ଉତ୍ସାହିତ କରିବା ସହ ଏସୀୟ କ୍ରୀଡ଼ାରେ ସଫଳତା କାମନା କରିଛନ୍ତି। କିଟ୍‌ ଓ କିସ୍‌ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ଦୂତି ଏବଂ ଋତୁପର୍ଣ୍ଣା ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ। ଏସୀୟ କ୍ରୀଡ଼ା ପାଇଁ ଆଗୁଆ ଇଣ୍ଡୋନେସିଆ ଯାଇ ସାରିଥିବାରୁ ପୂଣ୍ଣିମା ଏବଂ ଜଉନା କିନ୍ତୁ ଅନୁପସ୍ଥିତ ରହିଥିଲେ। ତେବେ ଏହା ପୂର୍ବରୁ କିଟ୍‌ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଅନ୍ୟ ଏକ ଶୁଭେଚ୍ଛା କାର୍ଯ୍ୟକ୍ରମରେ ଦୂତି ଓ ଋତୁପର୍ଣ୍ଣାଙ୍କ ସହ ଏହି ଦୁଇ କ୍ରୀଡ଼ା ତାରକା ଉପସ୍ଥିତ ଥିଲେ। ହେପ୍ଟାଥଲନ ଖେଳାଳି ପୂର୍ଣ୍ଣିମା ଓ ବାଧାଦୌଡ଼ ରାଣୀ ଜଉନା କିସ୍‌ରେ ପଢ଼ୁଥିଲା ବେଳେ ଦୂତି ଏବଂ ଋତୁପର୍ଣ୍ଣା ହେଉଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ।

କିଛି ବର୍ଷ ତଳେ ଓଡ଼ିଶାରୁ ମାତ୍ର ଜଣେ ଦୁଇ ଜଣ ଖେଳାଳି ଏସୀୟ କ୍ରୀଡ଼ା ଖେଳୁଥିଲେ। ଚଳିତ ଥର ଏହି ସଂଖ୍ୟା ୧୨କୁ ବଢ଼ିଛି। ସେଥିମଧ୍ୟରୁ ମାତ୍ର ୩ ଜଣ ପୁରୁଷ ହୋଇଥିଲା ବେଳେ ବାକି ୯ ହେଉଛନ୍ତି ମହିଳା। ଏମାନଙ୍କ ମଧ୍ୟରୁ କେବଳ କିଟ୍‌ ଓ କିସ୍‌ର ହେଉଛନ୍ତି ୪ ଜଣ। ଏଥିଲାଗି ଏହି ଶିକ୍ଷାନୁଷ୍ଠାନ ଧନ୍ୟବାଦର ପାତ୍ର। ସେହିଭଳି ଏହା ମଧ୍ୟ ଜାତୀୟ ମହିଳା କ୍ରୀଡ଼ାରେ ଓଡ଼ିଆ ଝିଅଙ୍କ ଆଧିପତ୍ୟକୁ ଦର୍ଶାଉଛି ବୋଲି ଏହି ଅବସରରେ ଉପସ୍ଥିତ ସମାଜର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ମତ ରଖିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବଲିଭିଆର ରାଷ୍ଟ୍ରଦୂତ ସର୍ଗିଓ ଦାରିଓ ଆରିପ୍ସେ ବାରିଏଣ୍ଟୋସ୍‌, ଏଲ୍‌ ସାଲଭାଡରର ରାଷ୍ଟ୍ରଦୂତ ଏରିଏଲ୍‌ ଆନ୍ଦ୍ରାଦେ ଗଲିନ୍ଦୋ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ହକି କିମ୍ବଦନ୍ତୀ ଦିଲୀପ ତିର୍କି, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ସବ୍ୟସାଚୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରାକ୍ତନ ଧାବିକା ତଥା ଏସୀୟ କ୍ରୀଡ଼ା ପଦକ ବିଜୟିନୀ ପ୍ରଣତି ମିଶ୍ର, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି କେ ରବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟର କ୍ରୀଡ଼ା ବିକାଶରେ କିଟ୍‌ ଓ କିସ୍‌ର ଅବଦାନକୁ ପ୍ରଶଂସା କରିବା ସହ ଖେଳାଳିଙ୍କ ଉତ୍ତରୋତ୍ତୋର କାମନା କରିଥିଲେ।

ଯୁଗଳରେ ଏକକ ଭଳି ସଫଳତା ଆଣିବାକୁ ଚେଷ୍ଟା କରିବି: ଋତୁପର୍ଣ୍ଣା
ଗତବର୍ଷ ମୁଁ କନିଷ୍ଠ ସ୍ତରରେ ଥିଲି। ଚଳିତ ବର୍ଷ ବରିଷ୍ଠ ବର୍ଗରେ ପ୍ରବେଶ କରିଛି। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଦୁଇଟି ପ୍ରତିଯୋଗିତା ଖେଳି ଗୋଟିଏରେ ବିଜୟିନୀ ଏବଂ ଅନ୍ୟଟିରେ ସେମିଫାଇନାଲ ଯାଇଥିଲି। ତା’ ପରେ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲି। ଏସୀୟ କ୍ରୀଡ଼ା ଲାଗି କଠିନ ପରିଶ୍ରମ କରିଛି। ମୋ ସାଥୀ ଖେଳାଳି କେରଳର ଆରତି ସାରା ସୁନୀଲ ମୋତେ ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଆମ ଭିତରେ ଭଲ ସମନ୍ଵୟ ଅଛି। ଭାରତ ସଂପ୍ରତି ବ୍ୟାଡମିଣ୍ଟନ୍‌ର ଏକକ ବର୍ଗରେ ଭଲ କରୁଛି। ଯୁଗଳରେ ମଧ୍ୟ ସେହି ସଫଳତା ଅର୍ଜନ କରିବାକୁ ଆମେ ଚେଷ୍ଟା କରିବୁ। ଚୀନ୍‌, ଜାପାନ, ମାଲେସିଆ ଏବଂ ଇଣ୍ଡୋନେସିଆ ଭଳି ଦେଶରୁ ଆମକୁ କଡ଼ା ଟକ୍କର ମିଳିବ ବୋଲି ଋତୁପର୍ଣ୍ଣ କହିଥିଲେ। ପୁଲେଲା ଗୋପୀଚାନ୍ଦ ଏକାଡେମିରେ ପ୍ରଶିକ୍ଷଣ ନେବା ପରେ ତାଙ୍କ ଖେଳର ସ୍ତର ଯଥେଷ୍ଟ ବଢ଼ିଛି ବୋଲି ଋତୁପର୍ଣ୍ଣ ପ୍ରକାଶ କରିଥିଲେ। ଶୁଭେଚ୍ଛା ଏବଂ ଶୁଭକାମନା ପାଇଁ ସେ ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତାଙ୍କ ସହ ରବିବାର ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଋତୁପର୍ଣ୍ଣ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ା ଖେଳିବାକୁ ଯାଉଛନ୍ତି। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ଯୁଗଳ ବ୍ୟାଡ୍‌ମିଣ୍ଟନ ଦଳରେ ସ୍ଥାନ ପାଇବାରେ ସେ ରାଜ୍ୟର ପ୍ରଥମ ଖେଳାଳି ହୋଇଛନ୍ତି।

ଉଲ୍ଲସିତ ଅଛି, ପଦକ ଆଶା ରଖିଛି: ଦୂତି
ବହୁତ ଭଲ ପ୍ରସ୍ତୁତି କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରି ପାରିନଥିଲି। ହେଲେ ଏସୀୟ କ୍ରୀଡ଼ା ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହୋଇଛି। ମୁଁ ଏଥିଲାଗି ଉଭୟ ୧୦୦ ଓ ୨୦୦ ମିଟରରେ ଯୋଗ୍ୟତା ଅର୍ଜନ କରିଛି। ସଂପ୍ରତି ଏସିଆ ମାନ୍ୟତାରେ ମୁଁ ତୃତୀୟ ସ୍ଥାନରେ ଅଛି। ଚୀନ୍‌ ଏବଂ କାଜାଖସ୍ତାନ ପ୍ରତିଯୋଗୀଙ୍କଠାରୁ କଡ଼ା ଟକ୍କର ମିଳିବ ବୋଲି ଭାବୁୁଛି। ତଥାପି ପଦକ ଜିତିବାର ଆଶା ମୋର ଅଛି। ଭୁବନେଶ୍ୱର ଏସୀୟ ଦୌଡ଼କୁଦରେ ପାଇଥିବା ଟାଇମିଂଠାରୁ ଭଲ କରିବାର ଆତ୍ମବିଶ୍ୱାସ ଅଛି ବୋଲି ଅଲିମ୍ପିଆନ୍‌ ଦୂତି ଚାନ୍ଦ ଏହି ଅବସରରେ କହିଥିଲେ। ସାହାଯ୍ୟ ଏବଂ ସମର୍ଥନ ପାଇଁ ସେ ସମଗ୍ର ରାଜ୍ୟବାସୀଙ୍କ ସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏବେ ମୋ ଉପରେ କୌଣସି ଚାପ ନାହିଁ। ଏଣୁ ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦେଉଛି। ଗତ ଏସୀୟ କ୍ରୀଡ଼ା ଲାଗି ମଧ୍ୟ ମୁଁ ଯୋଗ୍ୟତା ଅର୍ଜନ କରିଥିଲି। ହେଲେ ଅଦାଲତି ମାମଲା ପାଇଁ ଯାଇ ପାରିନଥିଲେ। ଚାରି ବର୍ଷ ପରେ ପୁନର୍ବାର ସେହି ସୁଯୋଗ ମିଳିଥିବାରୁ ମୁଁ ବେଶ୍‌ ଉଲ୍ଲସିତ ଅଛି ବୋଲି ମଧ୍ୟ ଦୂତି ମତ ପ୍ରକାଶ କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଦୂତିଙ୍କ ସହ ତାଙ୍କ ପ୍ରଶିକ୍ଷକ ନାଗପୁରୀ ରମେଶ ଜାକର୍ତା କ୍ରୀଡ଼ାଗ୍ରାମରେ ରହି ପାରିବେ ନାହିଁ। କାରଣ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ନାଗପୁରୀ ସ୍ଥାନ ପାଇ ନାହାନ୍ତି। ତେଣୁ ବ୍ୟକ୍ତିିଗତ ଉଦ୍ୟମରେ ଦୂତି ତାଙ୍କୁ ଜାକର୍ତା ନେବାକୁ ଚେଷ୍ଟା କରୁଛନ୍ତି। ସାର୍‌ଙ୍କ ଉପସ୍ଥିତି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ବାହାରେ ରହି ମଧ୍ୟ ମୋର ମାର୍ଗଦର୍ଶନ କରିପାରିବେ ବୋଲି ଦୂତି କହିଥିଲେ। ସୂଚନାଯୋଗ୍ୟ ଯେ ଦୂତି ୨୫ ତାରିଖରେ ହିଟ୍‌ ଖେଳିବେ।

ସମ୍ବନ୍ଧିତ ଖବର