୨୦୧୧ ବିଶ୍ବକପ୍‌ ବିଜୟ ପାଇଁ ଗାଙ୍ଗୁଲିଙ୍କୁ ସବୁ ଶ୍ରେୟ: ପ୍ରଜ୍ଞାନ

ନୂଆଦିଲ୍ଲୀ : ଭାରତୀୟ ଦଳର ୨୦୧୧ ବିଶ୍ବକପ୍‌ ବିଜୟ ପଛରେ ପୂର୍ବତନ ଅଧିନାୟକ‌ ସୌରଭ ଗାଙ୍ଗୁଲିଙ୍କ ପ୍ରଛନ୍ନ ହାତ ରହିଥିବା କଥାକୁ ଓଡ଼ିଆ ସ୍ପିନର୍‌ ପ୍ରଜ୍ଞାନ ଓଝା ବର୍ଣ୍ଣନା କରିଛନ୍ତି। ବିଶ୍ବକପ୍‌ ବିଜୟର ଦଶମ ବାର୍ଷିକୀ ଅବସରରେ ଏହି ପୂର୍ବତନ ଭାରତୀୟ ସ୍ପିନର୍‌ କହିଛନ୍ତି, ‘ଜଣେ ମଣିଷ ସବୁ ଅବଦାନ ଦେଇଥିଲେ, ଏପରିକି ଅବସର ପରେ ମଧ୍ୟ ଭାରତୀୟ କ୍ରିକେଟ୍‌ର ସେବା କରୁଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ସୌରଭ ଗାଙ୍ଗୁଲି। ଆପଣ ଯଦି ଦେଖିବେ ଗାଙ୍ଗୁଲି ଅଧିନାୟକ ଥିବାବେଳେ ଯେଉଁ ୫/୬ ଜଣଙ୍କୁ ଗଢ଼ି ତୋଳିଥିଲେ ସେମାନଙ୍କ ଅବଦାନ ବଳରେ ଭାରତ ବିଶ୍ବକପ୍‌ ବିଜେତା ହୋଇଥିଲା। କେବଳ ଏଇଥିପାଇଁ ମୁଁ ସବୁବେଳେ ଦଳ ଗଠନ ପ୍ରକ୍ରିୟାରେ ବିଶ୍ବାସ କରେ’।

ସୂଚନାଯୋଗ୍ୟ, ଗାଙ୍ଗୁଲି ଅଧିନାୟକ ଥିବାବେଳେ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପଦାର୍ପଣ କରିଥିବା ଏକାଧିକ ଖେଳାଳି ୨୦୧୧ ବିଶ୍ବକପ୍‌ ବିଜୟର ପ୍ରମୁଖ ଅଂଶବିଶେଷ ଥିଲେ। ବୀରେନ୍ଦ୍ର ସେହବାଗ, ଜାହିର୍‌ ଖାନ୍‌, ଯୁବରାଜ ସିଂହ, ଆଶିଷ ନେହେରା ଓ ମହେନ୍ଦ୍ର ସିଂହ‌ ଧୋନି ହିଁ ଗାଙ୍ଗୁଲିଙ୍କ ଅଧୀନରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ‌ସେହବାଗ ଚମତ୍କାର ଆରମ୍ଭ ଦେଉଥିଲେ, ଜାହିର୍‌ ଖାନ୍‌ ଯୁଗ୍ମ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ହୋଇଥିଲେ, ନେହେରା ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଚମତ୍କାର ସ୍ପେଲ୍‌ ବୋଲିଂ କରିଥିଲେ ଏବଂ ଯୁବରାଜ ସିଂହ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ବିଶ୍ବକପ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଥିଲେ। ମାହିଙ୍କ ନିର୍ଣ୍ଣାୟକ ଅର୍ଦ୍ଧଶତକ ଓ ବିଜୟୀ ଛକାକୁ କେହି ଏବେ ବି ଭୁଲିନାହାନ୍ତି।

ସମ୍ବନ୍ଧିତ ଖବର