ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲଠାରେ ସୋମବାରଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସଚିବ ଆର୍. ଭିନୀଲ କ୍ରୀଷ୍ଣା ଯୋଗ ଦେଇଛନ୍ତି। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧିତ୍ୱ କରିବା ସହ କ୍ରୀଡ଼ାର ବିକାଶ ଓ ଉନ୍ନତି ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପମାନ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରୀଡ଼ା ମହାସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ବେହେରା କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ରାଜ୍ୟରେ ଅନେକଗୁଡ଼ିଏ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଏସୀୟ ଦୌଡ଼କୁଦ, ହକି ପୁରୁଷ ବିଶ୍ୱକପ୍, ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଭଳି ଯେଉଁ ସବୁ ଇଭେଣ୍ଟର ସଫଳ ଆୟୋଜନ କରିବାକୁ ଆମେ ସମର୍ଥ ହୋଇଛୁ ତାକୁ ଏଠାରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥି ସହିତ ଅନ୍ୟ ରାଜ୍ୟ ଦ୍ୱାରା ଆପଣା ଯାଇଥିବା ଉନ୍ନତ କ୍ରୀଡ଼ା ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରି ଏହାକୁ କିଭଳି ଭାବେ ଆମ ରାଜ୍ୟରେ ଉପଯୋଗ କରିହେବ ସେଥିନେଇ ଏହି ସମ୍ମିଳନୀରୁ ଆମେ ଶିକ୍ଷା ଗ୍ରହଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ମଙ୍ଗଳବାର ଏହି ଶିବିର ଉଦ୍ଯାପିତ ହେବ।
ଓଡ଼ିଶା କ୍ରୀଡ଼ାର ଝଲକ ଦେଖିବେ ସବୁ ରାଜ୍ୟ
/sambad/media/post_attachments/wp-content/uploads/2023/04/654f65hsffhsfhs.jpg)