ମାଲଖମ୍ବ ମହାସଂଘ ସଭାପତିଙ୍କ ବିରୋଧରେ ‌‌ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ନିଜ ବିରୋଧରେ ଯୌନ ଶୋଷଣ ଅଭିଯୋଗକୁ ଭିତ୍ତିକରି ଭାରତୀୟ ମାଲଖମ୍ବ ମହାସଂଘ (ଏମ୍‌ଏଫ୍‌ଆଇ) ସଭାପତି ରମେଶ ଇନ୍ଦୋଲିଆ ପଦ ତ୍ୟାଗ କରିଛନ୍ତି। ଇନ୍ଦୋଲିଆ ମଧ୍ୟ ଅନ୍ତର୍ଜାତୀୟ ମାଲଖମ୍ବ ମହାସଂଘ (ଏଫ୍‌ଆଇଏମ୍‌)ର ସଭାପତି ଅଛନ୍ତି। ଏମ୍‌ଏଫ୍‌ଆଇ ସ୍ବତନ୍ତ୍ର ସାଧାରଣ ବୈଠକରେ ୨୫ ରାଜ୍ୟ ସଂଘର ସଦସ୍ୟରୁ ୨୩ ଜଣ ତାଙ୍କ ବିରୋଧରେ ଭୋଟ ଦେବାରୁ ଏହି ଭେଟେ‌ରାନ କ୍ରୀଡ଼ା ସଂଗଠକ ଇସ୍ତଫା ଦେଇଥିଲେ।

ରାଜସ୍ଥାନରୁ ପ୍ରତିନିଧିତ୍ବ କରୁଥିବା ଇନ୍ଦୋଲିଆଙ୍କ ବିରୋଧରେ କିଛିଦିନ ତଳେ ତାଙ୍କ ରାଜ୍ୟର ବିଭିନ୍ନ ସହରର ୮ ଜଣ ‌‌ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିରେ ୭ ଜଣ ବାଳିକା ଏବଂ ଜଣେ ବାଳକ ଥିଲେ। ଏମାନଙ୍କ ମଧ୍ୟରେ ଅନେକ ନାବାଳିକା ଥିବା ଜଣାପଡ଼ିଛି। ‘‘ଇନ୍ଦୋଲିଆଙ୍କ ବିରୋଧରେ ଚଳିତ ବର୍ଷ ମେ’ ଓ ଜୁନ୍‌ରେ କିଛି ପିଲା ବ୍ୟକ୍ତିଗତ ଭାବେ ଲିଖିତ ଅଭିଯୋଗ ଆଣିଥିଲେ। ଏମାନଙ୍କ ମଧ୍ୟରୁ ଅନେକ ଅଭିଯୋଗ ଆଣିଥ‌ିଲେ ଯେ ଇନ୍ଦୋଲିଆ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଛୁଇଁବାକୁ ଚେଷ୍ଟା କରୁଥିଲେ। ଫଳରେ ସେମାନେ ଅସହଜ ଅନୁଭବ କରିଥିଲେ। କିନ୍ତୁ ଏହା ଉପରେ କୌଣସି ପିଲା ଥାନାରେ ଏତଲା ଦେଇନଥିଲେ କି ପରବର୍ତୀ ସମୟରେ ଆଉ କିଛି ଅଭିଯୋଗ ମଧ୍ୟ ଆଣିନଥିଲେ।’’ ବୋଲି ଏମ୍‌ଏଫ୍‌ଆଇ ଅନ୍ତଃଅଭିଯୋଗ ସମିତି (ଆଇସିସି) ସଦସ୍ୟ ରାଜକୁମାର ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଇନ୍ଦୋଲିଆଙ୍କ ବିରୋଧରେ ଆସିଥିବା ଏହି ଯୌନ ଶୋଷଣ ମାମଲାକୁ ମହାସଂଘ ହାଲ୍‌କାରେ ନେଇଥିଲା ଏବଂ ଜାତୀୟ କ୍ରୀଡ଼ା ନୀତି ୨୦୧୧ ଅନୁଯାୟୀ କୌଣସି ତଦନ୍ତ କରିନଥିଲା।‌ ତେଣୁ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ଏହାର ସ୍ବୀକୃତିକୁ ବାତିଲ କରିବା ସହ କ୍ରୀଡ଼ା ବିଭାଗରୁ ମିଳୁଥିବା ସମସ୍ତ ଅନୁଦାନକୁ ବନ୍ଦ କରିଦେଇଥିଲା। ତେଣୁ ଏମ୍‌ଏଫ୍‌ଆଇ ଚାପିରଖିଥିବା ଏହି ଖବର ବାହାରକୁ ପ୍ରଘଟ ହୋଇଥିଲା। ଫଳରେ ଇନ୍ଦୋଲିଆ ଇସ୍ତଫା ଦେବାକୁ ବାଧ୍ୟ ‌ହୋଇଥିଲେ।

ସମ୍ବନ୍ଧିତ ଖବର