କୋହଲିଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ

ଅଭିଯୋଗକୁ ଅନୁଧ୍ୟାନ କରୁଛି: ଜଷ୍ଟିସ୍ ଜୈନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆସିଛି। କୋହଲି ଏକସମୟରେ ଦୁଇଟି ପଦରେ ରହିଛନ୍ତି ଏବଂ ଏହା ଲୋଧା ସମିତି ସୁପାରିସର ସ୍ପଷ୍ଟ ଉଲ୍ଲଂଘନ ବୋଲି ଅଭିଯୋଗ ଆଣି ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ସଂଜୀବ ଗୁପ୍ତା ନାମକ ଜଣେ କର୍ମକର୍ତ୍ତା ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ ଡିକେ ଜୈନଙ୍କୁ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ଗୁପ୍ତା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ସମେତ ଏକାଧିକ ଭାରତୀୟ କିଂବଦନ୍ତି କ୍ରିକେଟରଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଆଣିସାରିଛନ୍ତି। ତାଙ୍କ ପାଇଁ ମଧ୍ୟ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଅନ୍ୟ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ଗୁପ୍ତା ଏବେ କୋହଲିଙ୍କ ବିରୋଧରେ ଲାଗିଛନ୍ତି ଏବଂ ତୁରନ୍ତ ତାଙ୍କୁ ଗୋଟିଏ ପଦ ରଖି ଅନ୍ୟସବୁ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ଲାଗି ଜଷ୍ଟିସ ଜୈନଙ୍କୁ ଅନୁରୋଧ କରିଛନ୍ତି।
ଗଣମାଧ୍ୟମରେ ଘୁରି ବୁଲୁଥିବା ଗୁପ୍ତାଙ୍କ ପତ୍ରରେ କୋହଲିଙ୍କ ବିଭିନ୍ନ ବ୍ୟାବସାୟିକ ସଂପର୍କ ବିଷୟରେ କୁହାଯାଇଛି। ଭାରତୀୟ ଦଳର ଖେଳାଳି ତଥା ଅଧିନାୟକ ରହିବା ସହ କୋହଲି ଦୁଇଟି କଂପାନି ଯଥା ବିରାଟ କୋହଲି ସ୍ପୋର୍ଟସ ଏଲ୍‌ଏଲ୍‌ପି ଓ କର୍ନରଷ୍ଟୋନ ଭେଞ୍ଚର୍‌ ପାର୍ଟନର୍ସ ଏଲ୍‌ଏଲ୍‌ପିର ନିର୍ଦ୍ଦେଶକ ଥିବା ଗୁପ୍ତା ଦର୍ଶାଇଛନ୍ତି। ବିରାଟ କୋହଲି ସ୍ପୋର୍ଟସ ଏଲ୍‌ଏଲ୍‌ପିରେ କୋହଲିଙ୍କ ସହ ଅମିତ ଅରୁଣ ସଜଦେ ନିର୍ଦ୍ଦେଶକ କିମ୍ବା ମାଲିକ ରହିଛନ୍ତି। ଅନ୍ୟପକ୍ଷରେ କର୍ନରଷ୍ଟୋନ ଭେଞ୍ଚର୍‌ ପାର୍ଟନର୍ସ ଏଲ୍‌ଏଲ୍‌ପିରେ କୋହଲିଙ୍କ ସହ ଅମିତ ଓ ବିନୟ ଭାରତ ଖିମଜୀ ନିର୍ଦ୍ଦେଶକ କିମ୍ବା ମାଲିକ ରହିଛନ୍ତି। କର୍ନରଷ୍ଟୋନ ଭେଞ୍ଚର୍‌ ପାର୍ଟନର୍ସ ଭାରତୀୟ ଖେଳାଳି କେଏଲ୍ ରାହୁଲ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କ ଭଳି ଖେଳାଳିଙ୍କ ବ୍ୟାବସାୟିକ ଦିଗକୁ ପରିଚାଳନା କରେ। ଏହାକୁ ଆଧାର କରି ହିଁ ଗୁପ୍ତା ନିଜ ଅଭିଯୋଗ ପତ୍ର ପଠାଇଛନ୍ତି।

‘‘ବିରାଟ କୋହଲି ଏକ ସମୟରେ ଦୁଇଟି ପଦରେ ରହିବା ଉଚ୍ଚତମ ନ୍ୟାୟାଳୟଙ୍କ ମଞ୍ଜୁରିପ୍ରାପ୍ତ ବିସିସିଆଇର ନିୟମ ୩୮ର ଧାରା ୪କୁ ଉଲ୍ଲଂଘନ କରୁଛି। ଏଣୁ ସେ ତୁରନ୍ତ ଗୋଟିଏ ପଦ ଛାଡ଼ନ୍ତୁ। ତାଙ୍କ ଦୁଇଟି ଯାକ ପଦ ବିସିସିଆଇ ନିୟମ ୩୮ର ଧାରା ୪ (a)ର ଖେଳାଳି ଏବଂ ନିୟମ ୩୮ ଧାରା ୪ (୦)ର ଚୁକ୍ତିପ୍ରାପ୍ତ ସଂସ୍ଥା ଅଧୀନରେ ଆସୁଛି। ଏହାକୁ ବିସିସିଆଇ ନିୟମ ୩୮ (୧) (iii) ବି ପଢ଼ା ଯାଇପାରେ। ମୁଁ ନମ୍ରତାର ସହ ଅନୁରୋଧ କରୁଛି କି ବିସିସିଆଇର ନୂଆ ସମ୍ବିଧାନ ଅନୁସାରେ ନୈତିକ ଅଧିକାରୀ ବିରାଟ ‌କୋହଲିଙ୍କୁ ଏଥିମଧ୍ୟରୁ ଗୋଟିଏ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦିଅନ୍ତୁ। ମୁଁ ଅଭିଯୋଗ ପତ୍ର ପଠାଇବାର ଏକମାତ୍ର କାରଣ ହେଲା, ଲୋଧା ସମିତି ସଂସ୍କାର ଓ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ବୀକୃତିପ୍ରାପ୍ତ ସମ୍ବିଧାନକୁ ସମ୍ମାନ ଦେବା। ଏଥିରେ ମୋର କୌଣସି ବ୍ୟକ୍ତିଗତ କିମ୍ବା ଲୁକାୟିତ ସ୍ବାର୍ଥ ନାହିଁ। କୌଣସି ବ୍ୟକ୍ତିବିଶେଷ ଯେତେ ବଡ଼ ହେଉ ନା କାହିଁକି, ସେ ଆଇନର ଊର୍ଧ୍ବରେ ନୁହନ୍ତି। ଏହା ମଧ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ ସମ୍ମାନ ରକ୍ଷା ଓ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ଭାବେ ପାଳନ କରିବାର ପ୍ରଶ୍ନ’’ ବୋଲି ଗୁପ୍ତା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗକୁ ଅନୁଧ୍ୟାନ କରୁଛି: ଜଷ୍ଟିସ୍ ଜୈନ
ଭାରତୀୟ କ୍ରି‌କେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ପାଇଥିବା ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ୍ ଡିକେ ଜୈନ ସ୍ବୀକାର କରିଛନ୍ତି। ତେବେ ସଂପ୍ରତି ସେ ଅଭିଯୋଗକୁ ଅନୁଧ୍ୟାନ କରୁଛନ୍ତି। ଆବଶ୍ୟକ ହେଲେ ନୋଟିସ୍ ଜାରି କରିବେ ବୋଲି କହିଛନ୍ତି। ‘‘ମୁଁ ଏଭଳି ଏକ ଅଭିଯୋଗ ପାଇଛି। ଏହାକୁ ଅନୁଧ୍ୟାନ କରୁଛି। ଆବଶ୍ୟକ ହେଲେ ନୋଟିସ୍ କରିବି। ନିଜ ପକ୍ଷ ରଖିବା ଲାଗି କୋହଲିଙ୍କୁ ମଧ୍ୟ ସୁଯୋଗ ଦେବି’’ ବୋଲି ଜଷ୍ଟିସ୍ ଜୈନ ନିଜ ପ୍ରତିକ୍ରିୟାରେ କହିଛନ୍ତି। କରୋନା ମହାମାରୀ ପାଇଁ ଘରୋଇ ସହ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ଠପ୍ ହୋଇ ଯାଇଥିଲା ବେଳେ ଆଇପିଏଲ୍-୧୩ ବାତିଲ ହେବାର ଦ୍ବାର ଦେଶରେ ରହିଛି। ଏଭଳି ସ୍ଥିତିରେ କୋହଲିଙ୍କ ବିରୋଧରେ ଗୁପ୍ତା ଆଣିଥିବା ଅଭିଯୋଗ ଭାରତୀୟ କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ବିସିସିଆଇ ପାଇଁ ମଧ୍ୟ ଏହା ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ତେବେ ଏଥିଲାଗି ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କ ଭଳି କୋହଲିଙ୍କୁ ମଧ୍ୟ ଏହି କଂପାନିଗୁଡ଼ିକ ସହ ସଂପର୍କ ଛିନ୍ନ କରିବାକୁ ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ପଥଚ୍ୟୁତ କରିବାର କୁପ୍ରୟାସ: ବିସିସିଆଇ
ଗୁପ୍ତାଙ୍କ ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା କରି ଅଭିଯୋଗକାରୀ ଗୁପ୍ତା ବିସିସିଆଇକୁ ପଥଚ୍ୟୁତ କରିବାକୁ କୁପ୍ରୟାସ କରିଛନ୍ତି ବୋଲି ସଂପୃକ୍ତ ଅଧିକାରୀ ଜଣକ ପାଲଟା ଅଭିଯୋଗ କରିଛନ୍ତି। ‘‘ଅଭିଯୋଗ ଫର୍ଦକୁ ତର୍ଜମା କଲେ ଆପଣ ସ୍ପଷ୍ଟ ଭାବେ ଜାଣିପାରିବେ ଯେ ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। କେହି ଜଣେ ବିସିସିଆଇ କର୍ମକର୍ତା ଓ ଭାରତୀୟ ଅଧିନାୟକଙ୍କୁ କୌଣସି ଅଜଣା କାରଣ ପାଇଁ ଆକ୍ରମଣ କରୁଛନ୍ତି। ଗତ ୬ ବର୍ଷ ହେବ ଏହି ଧାରା ଲାଗି ରହିଛି। ସଫଳ ଲୋକମାନଙ୍କୁ ବଦନାମ କରିବା ଲାଗି ଏଭଳି ହୀନ ପ୍ରୟାସ ହେଉଛି। ଏହାର ଅସଲି କାରଣକୁ ଖୋଜି ବାହାର କରିବାକୁ ପଡ଼ିବ। ନହେଲେ ଏହି ଉପଦ୍ରବ ଓ ଶୋଷଣ ଦୂର ହେବନି’’ ବୋଲି ସେ କହିଛନ୍ତି। ସେପଟେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଏଭଳି ଘଟଣାକୁ ମ୍ୟାଚ୍ ଫିକ୍ସିଂ ସହ ଯୋଡ଼ିଛନ୍ତି। ବୁକି ଓ ଫିକ୍ସିଂ ରୢାକେଟ୍ ଚଳାଉଥିବା କିଛି କୁଚକ୍ରୀ ବାରମ୍ବାର ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ପରିସ୍ଥିତି ଯେତେ ଗୋଳମାଳିଆ ହେବ, ଏଭଳି ଲୋକଙ୍କୁ ସେତେ ସୁହାଇବ। ‘‘ଆମ କ୍ରିକେଟରଙ୍କର ଏକ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଛି। ସେମାନଙ୍କୁ ନିଜ ଭବିଷ୍ୟତ ପାଇଁ ରୋଜଗାର କରିବାକୁ ହୁଏ। ଏଭଳି ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ଅଭିଯୋଗ ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ। ପ୍ରଦର୍ଶନ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଏଭଳି ଲୋକ କେବଳ ପ୍ରଚାର ପ୍ରସାରରେ ବିଶ୍ବାସ କରନ୍ତି। ଖେଳାଳି ଓ ସେମାନଙ୍କ ପରିବାର ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ସେ କଥା ସେମାନେ ଆଦୌ ଚିନ୍ତା କରନ୍ତିନାହିଁ। ଏଭଳି ଜଟିଳତା କ୍ରିକେଟ୍‌ ପାଇଁ ମଧ୍ୟ ଭଲ ନୁହେଁ। କେବଳ ଯାହା ନାଲି ଫିତାକୁ ପ୍ରୋତ୍ସାହନ ଦିଏ’’ ବୋଲି ଖେଳାଳି ଜଣଙ୍କ କ୍ଷୋଭର ସହ କହିଛନ୍ତି। ଏହି ବିବାଦକୁ ନେଇ କୋହଲି ବେଶ୍ ଦୁଃଖିତ ଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର