ରାଜ୍ୟ ମୁଷ୍ଟିଯୁଦ୍ଧ ଦଳ ଚୟନରେ ଅନିୟମିତତା ଅଭିଯୋଗ: ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଟୁକୁନ

ପୁରୀ: ରାଜ୍ୟ ବାଳକ ମୁଷ୍ଟିଯୁଦ୍ଧ ଦଳ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁଷ୍ଟିଯୋଦ୍ଧା ମହମ୍ମଦ ଟୁକୁନ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସେ। ଟୁକୁନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ବାଳକ ମୁଷ୍ଟୁଯୁଦ୍ଧ ଚୟନ ପ୍ରତିଯୋଗିତାରେ ତାଙ୍କ ବିପକ୍ଷରେ ଗଞ୍ଜାମ ଜିଲ୍ଲାର ପ୍ରତିଯୋଗ ଖେଳୁଥିଲେ। ଫାଇନାଲ୍‌ ପ୍ରତିଯୋଗିତାରେ ସେ ଗଞ୍ଜାମର ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ ହେଁ ରାଜ୍ୟ ସଂଘର ସମ୍ପାଦକ ଅନିଲ କୁମାର ବହିଦାର ତାଙ୍କୁ ପରାଜିତ ଘୋଷଣା କରିଥିଲେ।

ଶ୍ରୀ ବହିଦାର ପାତର ଅନ୍ତର କରି ଏଭଳି ଘୋଷଣା କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଟୁକୁନ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହମ୍ମଦ ଟୁକୁନ ଗଞ୍ଜାମର ପ୍ରତିଯୋଗୀଙ୍କ ବିପକ୍ଷରେ ଫାଇନାଲ୍‌ ଖେଳୁଥି‌ଲେ ବି ଏହି ମୁକାବିଲାରେ ଗଞ୍ଜାମ ଜିଲ୍ଲାର ରେଫ୍‌ରି ଓ ବିଚାରକ ଥିଲେ। ଯାହାକୁ ଆଇନ ବିରୁଦ୍ଧ ବୋଲି ମହମ୍ମଦ ଅଭିଯୋଗ ଆଣିବା ସହ ଏନେଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ଧାରଣା ଦେବାର ଘଣ୍ଟାଏ ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପହଞ୍ଚି ମହମ୍ମଦଙ୍କୁ ବୁଝାଶୁଝା କରିଥିଲେ। ରାଜ୍ୟ ସଂଘ ସହ ଯୋଗସୂତ୍ର କରି ତାଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯିବା ନେଇ ପ୍ରତିଶ୍ରୁତି ପାଇବା ପରେ ମହମ୍ମଦ ଧାରଣାରୁ ହଟିଥିଲେ।

ସମ୍ବନ୍ଧିତ ଖବର