ହାର୍ଦିକ, ମୁନାଫ, ରାଜୀବ ଶୁକ୍ଳାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ରାଜୀବ ଶୁକ୍ଳାଙ୍କ ଗିରଫ ଦାବି ଜୋର ଧରିଲା

ନୂଆଦିଲ୍ଲୀ : କୁଖ୍ୟାତ ଅଣ୍ଡରୱାର୍ଲଡ୍‌ ଗ୍ୟାଙ୍ଗଷ୍ଟର୍‌ ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ରିୟାଜ ଭଟ୍ଟୀ ଏକ ଗୁରୁତ୍ତର ଅଭିଯୋଗ ଆଣିଛନ୍ତି। ମୁମ୍ବାଇ ପୁଲିସ୍ ଆଗରେ ସେ ସ୍ବାମୀଙ୍କ ନାମରେ ଯୌନ ନିର୍ଯାତନା, ଦୁଷ୍କର୍ମ ଏବଂ ସେକ୍ସ ରାକେଟ୍‌ ଚଳାଉଥିବାରୁ ଅଭିଯୋଗ ଆଣିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ସମୟରେ ୧୫-୨୦ ଜଣଙ୍କ ସହ ରାତି କଟାଇବାକୁ ବାଧ୍ୟ କରି ସ୍ବାମୀ ରିୟାଜ ନିଜ ବ୍ୟାବସାୟିକ ସାମ୍ରାଜ୍ୟ ଚଳାଇଥିବାର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ନିଜ ଏଫଆଇଆର୍‌ରେ ସେ ସ୍ଥାନ, ତାରିଖ ଆଦି ଉଲ୍ଲେଖ କରିନଥିଲେ ମଧ୍ୟ ଏକ ଟ୍ରାଇଡେଣ୍ଟ୍‌ ହୋଟେଲ୍‌ରେ ତାଙ୍କୁ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍‌ ଏବଂ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଦୁଷ୍କର୍ମ କରିଥିବାର ଅଭିଯୋଗ ନେଇ କ୍ରିକେଟ୍‌ ଦୁନିଆରେ ଝଡ଼ ସୃଷ୍ଟି କରିଛନ୍ତି। ସ୍ବାମୀ ରିୟାଜ ଭଟ୍ଟୀ ତାଙ୍କୁ ବ୍ୟାବସାୟିକ ସ୍ବାର୍ଥ ପାଇଁ ବିଭିନ୍ନ ସହଯୋଗୀଙ୍କ ସହ ରାତି କଟାଇବାକୁ ବାଧ୍ୟ କରିବା ଏବଂ ଦୁଇ ପୁତ୍ରଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ ମଧ୍ୟ ରେହନୁମା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସେପ୍ଟେମ୍ବର ମାସରେ ମୁଁ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ଏହାକୁ ଅଦ୍ୟାବଧି ପଞ୍ଜିକୃତ କରିନାହିଁ। ଏକାଧିକ ପୁଲିସ୍ ଅଧିକାରୀଙ୍କୁ ଭେଟି ନ୍ୟାୟ ପାଇନାହିଁ। ମୋତେ ଅର୍ଥ ଦେବାକୁ କହି ଘଟଣାକୁ ଚାପି ଦିଆଯିବାର ଚକ୍ରାନ୍ତ ହେଉଛି। ସେମାନେ ଅପରାଧୀ, ମୁଁ ଠିକ୍ ଅଛି ବୋଲି ରେହନୁମା ପ୍ରକାଶ କରିଛନ୍ତି। ସମିତ ଠକ୍କର ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏହି ଅଭିଯୋଗକୁ ସେୟାର୍‌ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଡିସିପି ମଞ୍ଜୁନାଥ ସିଂଘେଙ୍କୁ ଯୋଗାଯୋଗ କରାଯିବା ପରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ କିଛି ବିସ୍ତୃତ ତଥ୍ୟ ପ୍ରମାଣ ମିଳିନଥିବା ସେ ପ୍ରକାଶ କରିଛନ୍ତି।

ରେହନୁମା ପୁଣି ଅଭିଯୋଗ କରିଛନ୍ତି ଯେ ମାତ୍ର ୧୫ ବର୍ଷ ବୟସ ବେଳେ ମୋ ବିଧବା ମା’କୁ ଧମକ ଦେଇ ବିବାହ କରିଥିଲେ। ତତ୍‌କ୍ଷଣାତ ମୋ ସହ ଯୌନ ସମ୍ପର୍କ ପ୍ରତିଷ୍ଠା କରିଥିଲେ। ଅନେକ ଥର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ବ୍ୟାବସାୟିକ ସହଯୋଗୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିବା ବେଳେ ବିରୋଧ କରିବାରୁ ମାରଧର କରୁଛନ୍ତି। ୨୦୧୧-୧୨ରେ ରିୟାଜ ମୋତେ ଟ୍ରାଇଡେଣ୍ଟ୍ ‌ହୋଟେଲ୍‌ରେ ପୃଥ୍ବୀରାଜ କୋଠାରୀଙ୍କ ସହ ପରିଚିତ କରାଇବା ପରେ ସେ ମୋତେ ଦୁଷ୍କର୍ମ କରିଥିଲେ। ଘରକୁ‌ ‌‌ଫେରିବା ପରେ ପ୍ରଶ୍ନ କରିବାରୁ ସେ ବେକରେ ଛୁରି ଲଗାଇ ଦେଇଥିଲେ। ସେହି କଣ୍ଟିନେଣ୍ଟାଲ୍ ହୋଟେଲ୍‌ରେ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଏବଂ ରାଜୀବ ଶୁକ୍ଳା ତାଙ୍କୁ ଦୁଷ୍କର୍ମ କରିଥିଲେ। ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ସହ ପ୍ରାୟ ୧୫-୨୦ ଜଣ ମୋତେ ଦୁଷ୍କର୍ମ କରିଥିବା ରେହନୁମା ଅଭିଯୋଗ କରିଛନ୍ତି। ୨୦୧୬ରୁ ସେ ତାଙ୍କଠାରୁ ଅଲଗା ରହିବାକୁ ଚେଷ୍ଟା କରିଥିଲେ ମଧ୍ୟ ୨୦୧୯ରେ ଅପହରଣ କରିନେଇଥିଲେ। ଆଦେଶ ମୁତାବକ ଅନ୍ୟମାନଙ୍କ ଶଯ୍ୟାସଙ୍ଗୀନି ନ ହେଲେ ଦୁଇ ପୁତ୍ରଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ରେହନୁମାଙ୍କ ଅଭିଯୋଗ ପରେ ଏବେ କଂଗ୍ରେସ ନେତା ରାଜୀବ ଶୁକ୍ଳାଙ୍କ ଗିରଫ ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର