ସର୍ବଭାରତୀୟ ପୁଲିସ କ୍ରୀଡ଼ା ନଭେମ୍ବର ୧୫ରୁ

ଭୁବନେଶ୍ୱର: ଓଡ଼ିଶା ପୁଲିସ ଆନୁକୂଲ୍ୟରେ ନଭେମ୍ବର ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ପୁଲିସ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଜିମ୍ନାଷ୍ଟିକ୍‌, ଜୁଡ଼ୋ, ତାଇକୋଣ୍ଡୋ ଏବଂ ଉଷୁରେ ୪୦ ଦଳରୁ ପ୍ରାୟ ୧୨୦୦ ପ୍ରତିଯୋଗୀ ନିଜର ଦକ୍ଷତା ଦେଖାଇବେ। ପ୍ରତିଯୋଗିତାଗୁଡ଼ିକ କଟକର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ଏବଂ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍‌ ତେନ୍ଦୁଲକର ହଲ୍‌ରେ ଖେଳାଯିବ। ଏଥିରେ ପ୍ରାୟ ୩୦୦ ପ୍ରଶିକ୍ଷକ ଏବଂ ଅଧିକାରୀ ମଧ୍ୟ ଯୋଗଦେବାର ରହିଛି। ଏହି ପ୍ରତିଯୋଗିତା ଲାଗି ମଙ୍ଗଳବାର ଆରକ୍ଷୀ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପ୍ରତିଯୋଗିତାର ସୁପରିଚାଳନା ଲାଗି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରାଯାଇଥିଲା। ଅତିରିକ୍ତ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉପାଧ୍ୟକ୍ଷ ଏବଂ ବିନୟତୋଷ ମିଶ୍ର ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି। ସେହିଭଳି ବିଭିନ୍ନ ଉପସମିତିରେ ପୋଲିସ କମିସନର ସତ୍ୟଜିତ ମିଶ୍ର, ଅସିତ ପାଣିଗ୍ରାହୀ, ପିଏସ୍‌ ରଣପିସେ ଏବଂ ଅମିତାଭ ଠାକୁର ରହିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଏସ୍‌ଓଜି କମାଣ୍ଡାଣ୍ଟ୍‌ ଅନିରୁଦ୍ଧ ସିଂହ, କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ, ପୁଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ବିଭୁତି ଭୂଷଣ ପରିଡ଼ା ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର