ଅଲୋଡ଼ା ରାହୁଲ ଏବେ ସ୍ଥାୟୀ ସଦସ୍ୟ

ଲଣ୍ଡନ୍‌ : ଅଗଷ୍ଟ ୪ ତାରିଖରେ ନଟିଂହାମ୍‌ରେ ଯେତେବେଳେ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ଭାରତର ପାଳି ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳେ ତାଙ୍କୁ ୨ ବର୍ଷ ପରେ ପ୍ରତ୍ୟାବର୍ତନର ସୁଯୋଗ ମିଳିଥିଲା। ଅର୍ଥାତ୍ ଏହି କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍‌ ଦୀର୍ଘ ୨ ବର୍ଷ ଆଲୋଡ଼ା ରହିଥିଲେ। କିନ୍ତୁ ଆତ୍ମବିଶ୍ବାସ ନହରାଇ ଟେଷ୍ଟ୍ କ୍ରିକେଟ୍‌ ପାଇଁ ନିଜକୁ ସଦା ପ୍ରସ୍ତୁତ ରଖିଥିଲେ ରାହୁଲ। ଏହାକୁ ସେ ପ୍ରତ୍ୟାବର୍ତନରେ ପ୍ରମାଣିତ କରିଛନ୍ତି। ନଟିଂହାମ୍‌ ଟେଷ୍ଟ୍‌ରେ ୮୪ ଓ ୨୬ ରନ୍‌ ଏବଂ ଲର୍ଡସ ଟେଷ୍ଟ୍‌ରେ ୧୨୯ ଓ ୫ ରନ୍‌ କରିବା ପରେ ଟେଷ୍ଟ୍ ଦଳର ଏକ ପ୍ରକାର ସ୍ଥାୟୀ ସଦସ୍ୟ ପାଲଟିଯାଇଛନ୍ତି। ନିଜ ଟେକ୍‌ନିକ୍‌ ଓ ଦକ୍ଷତାର ଭରପୂର ପ୍ରମାଣ ଦେଖାଇ ସେ ଚୟନକର୍ତାଙ୍କ ପୂର୍ବ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ୨୯ ବର୍ଷୀୟ ଏହି ପଞ୍ଜାବ କିଙ୍ଗ୍ସ ଅଧିନାୟକ ଚଳିତ ଇଂଲଣ୍ଡ ଗସ୍ତରେ ୪ ପାଳିରୁ ୨୪୪ ରନ୍‌ ସଂଗ୍ରହ କରିସାରିଛନ୍ତି। ଭାରତକୁ ଏହି ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ରଖିବାରେ ସେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଲର୍ଡସ ଶତକ ତାଲିକାରେ ନିଜ ନାମକୁ ସାମିଲ କରିବାର ଗୌରବ ଅର୍ଜନ କରିଛନ୍ତି। ନିଜର ୬ ଟେଷ୍ଟ୍ ଶତକ ମଧ୍ୟରୁ ୫ଟି ବିଦେଶ ମାଟିରେ ମାରିବା ମଧ୍ୟ ତାଙ୍କର ଅନ୍ୟତମ ଆଭ୍ୟନ୍ତରୀଣ ଦକ୍ଷତା।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ରାହୁଲ ଚଳିତ ଇଂଲଣ୍ଡ ଗସ୍ତ ଲାଗି ଦଳରେ ରହିଥିଲେ ମଧ୍ୟ ପ୍ରଥମ ପସନ୍ଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ନଥିଲେ। ଏପରିକି ଚୂଡ଼ାନ୍ତ ଏକାଦଶରେ ଖେଳିବା ନେଇ ସନ୍ଦୀହାନ ଥିଲେ। ଦୁଇ ବର୍ଷ ହେବ ଟେଷ୍ଟ୍‌ ଖେଳିନଥିବାରୁ ଦଳୀୟ ମ୍ୟାନେଜମେଣ୍ଟ୍‌ ମଧ୍ୟ ଦ୍ବିବିଧାରେ ରହିଥିଲେ। କିନ୍ତୁ ପରିସ୍ଥିତି ଏପରି ହୋଇଥିଲା ରାହୁଲଙ୍କ ଛଡ଼ା ଆଉ କେହି ବିକଳ୍ପ ରହିନଥିଲେ। ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶୁବମନ୍ ଗିଲ୍‌ ଆହତ ହେବା ଏବଂ ତାଲିମ ‌ବେଳେ ମୟଙ୍କ ଅଗ୍ରୱାଲ୍‌ ମସ୍ତିସ୍କ ଆଘାତର ସମ୍ମୁଖୀନ ହେବା ରାହୁଲଙ୍କ ପାଇଁ ରାତାରାତି ବାଟ ଫିଟାଇ ଦେଇଥିଲା। ସୀମିତ ଓଭର୍‌ କ୍ରିକେଟ୍‌ରେ ମୁକ୍ତରେ ବ୍ୟାଟିଂ କରୁଥିବା ରାହୁଲ ଏବେ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ପାଇଁ ଉଜ୍ବଳ ଭବିଷ୍ୟତର ଝଲକ ଦେଖାଇଛନ୍ତି। ‘ଟେଷ୍ଟ୍ କ୍ରିକେଟକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ରାହୁଲଙ୍କ ପ୍ରତ୍ୟାବର୍ତନ ତାଙ୍କ ଦକ୍ଷତା ତୁଳନାରେ ଅଧିକ କିଛି ଦେଖାଇନାହିଁ। ଜଣେ ୬ଟି ଶତକରୁ ୫ଟି ବିଦେଶରେ ମାରିବା ଦକ୍ଷତା ନଥିଲେ ସମ୍ଭବ ନୁହେଁ’ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା। ଟ୍ରେଣ୍ଟ୍ ବ୍ରିଜ୍‌ରେ ୮୪ ରନ୍‌ ସଂଗ୍ରହ କରିବା ପରେ ନୂଆ ବଲ୍‌ ବିପକ୍ଷରେ ତାଙ୍କ ଦକ୍ଷତା ଦେଖାଇଥିଲେ, ଲର୍ଡସର ଶତକ ସହ ଏବେ ଦଳର ଭଲ ପାଇଁ ପ୍ରତ୍ୟାବର୍ତନ କରିଛନ୍ତି ବୋଲି ଚୋପ୍ରା ପ୍ରକାଶ କରିଛନ୍ତି। ବଲ୍‌କୁ ପିଛା କରିବାର ଅଭ୍ୟାସକୁ ରୋକି ସେ ଲର୍ଡସରେ ୧୦୦ ବଲ୍‌ ବେଳକୁ ୧୮ ରନ୍‌ କରିଥିଲେ ମଧ୍ୟ ଏହା ପରେ ରନ୍‌ ଗତି ବଢ଼ାଇଥିଲେ। ସମୟ ନେବା ଏବଂ ଅପେକ୍ଷାର ଖେଳ ଖେଳିବା ପରେ ଏବେ ନିଜକୁ ଠିକଣା ପଥରେ ରଖିଛନ୍ତି। ଏବେ ନିଜ ଫର୍ମକୁ ଜାରି ରଖିବା କେବଳ ରାହୁଲଙ୍କ ପାଇଁ ଏକମାତ୍ର ଆହ୍ବାନ। ଅଗଷ୍ଟ ୨୫ ତାରିଖରୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ ହେଡିଙ୍ଗ୍‌ଲେରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର