କ୍ରିକେଟ୍‌ରେ କୋହଲିଙ୍କ ଭଳି ଚରିତ୍ର ଆବଶ୍ୟକ: ବର୍ଡର

ପର୍ଥ: ବିରାଟ କୋହଲିଙ୍କ ପଡ଼ିଆ ଭିତର ଆକ୍ରାମକ ଆଚରଣ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡରଙ୍କୁ ଭାରି ପସନ୍ଦ ଲାଗିଛି। ତାଙ୍କ ଭଳି ଚରିତ୍ର କ୍ରିକେଟରେ ଆବଶ୍ୟକ ବୋଲି ମତ ଦେଇଛନ୍ତି ବର୍ଡର। ଫକ୍ସ କ୍ରିକେଟ୍‌ର କାର୍ଯ୍ୟକ୍ରମ ‘ଦି ଫଲୋଅନ୍‌’ରେ ନିଜ ମତ ରଖି ବର୍ଡର କହିଛନ୍ତି ‘ବର୍ତମାନ ପାଇଁ ଆମ ଖେଳ କ୍ରିକେଟରେ ସେତେ ବେଶୀ ଚରିତ୍ରମାନ ନାହାନ୍ତି। ଏବେକାର ‌ପେସାଦାର ଯୁଗ କେତେ ମାତ୍ରାରେ ଏହାକୁ ପଛରେ ପକାଇ ଦେଇଛି’। ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ କୋହଲିଙ୍କ ଆକ୍ରମଣାତ୍ମକ ଆଚରଣକୁ ମାଇକ୍ ହସି, ମିଚେଲ୍ ଜନ୍‌ସନ୍‌, ସଂଜୟ ମଞ୍ଜରେକର ପ୍ରମୁଖ ସମାଲୋଚନା କରିଥିଲେ। ଘରୋଇ ଦଳ ଅଧିନାୟକ ଟିମ୍ ପେନ୍‌ଙ୍କ ସହିତ ମଧ୍ୟ ବାକ୍‌ବିତଣ୍ଡାରେ ଲିପ୍ତ ହୋଇଥିଲେ। ‘ତାଙ୍କ ଦଳ ୱିକେଟ୍ ଦଖଲ ବେଳେ କୋହଲିଙ୍କ ଭଳି ଉତ୍ସାହ ମୁଁ ଅନ୍ୟ କାହାଠି ଦେଖିନାହିଁ, ଏହା ନିଶ୍ଚିତ ଊର୍ଧ୍ବମୁଖା କିନ୍ତୁ ଏଭଳି ଉତ୍ସାହ ସେ ଭଲ ପ୍ରୟାସରେ କରୁଛନ୍ତି’‌ ବୋଲି ବର୍ଡର ପ୍ରକାଶ କରିଛନ୍ତି। ବିଦେଶରେ ଏକ ଶୃଙ୍ଖଳା ବିଜୟର ଅଭିଳାଷ ପାଇଁ ସେ ଏଭଳି କରୁଛନ୍ତି। ଦେଶ ବହାରେ ଜିତିବାର ବ୍ୟାକୁଳତା ନିଶ୍ଚିତ ତାଙ୍କୁ ଏକ ନମ୍ବର ମାନ୍ୟତାର ହକ୍‌ଦାର କରୁଛି’ ବୋଲି ବର୍ଡର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କୋହଲିଙ୍କ ନେତୃତ୍ବରେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡରେ ଲଗାତାର ଟେଷ୍ଟ୍ ଶୃଙ୍ଖଳା ହାରିଛି। ସେ ଏକ ନମ୍ବର ମାନ୍ୟତା ପାଇ ସାରିଛନ୍ତି, କିନ୍ତୁ ଅଧିନାୟକ ଭାବେ ସେ ବିଦେଶରେ ଜିତିବା ଗୁରୁତ୍ବପୂର୍ଣ୍ଣ’ ବୋଲି ମଧ୍ୟ ବର୍ଡର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର