ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ଶନିବାର ବିପର୍ଯ୍ୟୟ ଘଟାଇଛନ୍ତି ଡାନିଏଲ୍ ଅଲ୍ଟମେର୍। ଯୋଗ୍ୟତାପର୍ଯ୍ୟାୟ ବାଟ ଦେଇ ମୁଖ୍ୟ ଡ୍ର'କୁ ପ୍ରବେଶ କରିଥିବା ଏହି ୨୨ ବର୍ଷ ବୟସ୍କ ଜର୍ମାନୀ ଯୁବ ତାରକା ତୃତୀୟ ରାଉଣ୍ଡରେ ସପ୍ତମ ମାନ୍ୟତାପ୍ରାପ୍ତ ମାଟିଓ ବେରେଟିନିଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଅଲ୍ଟମେର୍ ସିଧାସଳଖ ୬-୨, ୭-୬ ଓ ୬-୪ ସେଟ୍ରେ ଇଟାଲି ତାରକା ବେରେଟିନିଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ତାଙ୍କ ବ୍ୟତୀତ ଶନିବାର ନିଜ ନିଜର ତୃତୀୟ ରାଉଣ୍ଡ୍ ମୁକାବିଲା ଜିତି ପଞ୍ଚମ ମାନ୍ୟତାପ୍ରାପ୍ତ ଗ୍ରିସ୍ ତାରକା ଷ୍ଟିଫାନୋସ୍ ସିସିପାସ୍, ତ୍ରୟୋଦଶ ମାନ୍ୟତାପ୍ରାପ୍ତ ରୁଷିଆର ଆନ୍ଦ୍ରେ ରୁବ୍ଲେଭ୍, ସପ୍ତଦଶ ମାନ୍ୟତାପ୍ରାପ୍ତ ସ୍ପେନ୍ର ପାବ୍ଲୋ କାରେନୋ ବୁସ୍ତା ଏବଂ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଗ୍ରିଗୋରି ଦିମିତ୍ରୋଭ୍ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଯାଇଛନ୍ତି। ସିସିପାସ୍ ପ୍ରଥମ ଦୁଇଟି ସେଟ୍କୁ ୬-୧, ୬-୨ରେ ଜିତିବା ପରେ ତୃତୀୟ ସେଟ୍ରେ ୩-୧ରେ ଆଗୁଆ ରହିଥିଲା ବେଳେ ବ୍ରିଟେନ୍ର ଅଲ୍ଜାଦ୍ ବେଦେନ ଓହରି ଯାଇଥିଲେ। ସେହିପରି ଦିମିତ୍ରୋଭ୍ ମଧ୍ୟ ୬-୧ ଓ ୬-୩ରେ ପ୍ରଥମ ଦୁଇଟି ସେଟ୍ ଜିତିବା ପରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ କାର୍ବାଲେସ୍ ବେନା ଓହରି ଯାଇଥିଲେ। ତେବେ ରୁବ୍ଲେଭ୍ ସିଧାସଳଖ ୬-୩, ୬-୨ ଓ ୬-୩ ସେଟ୍ରେ ଦକ୍ଷିଣ ଆଫ୍ରିକାର କେଭିନ୍ ପିଟରସନ୍ଙ୍କୁ ପରାସ୍ତ କରିଥିଲା ବେଳେ ବୁସ୍ତା କିଛିଟା ସଂଘର୍ଷ କରି ୬-୪, ୬-୩, ୫-୭ ଓ ୬-୪ ସେଟ୍ରେ ଦଶମ ମାନ୍ୟତାପ୍ରାପ୍ତ ସ୍ପେନ୍ ତାରକା ସବର୍ଟ ବତିସ୍ତା ଅଗୁଟଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି।
ମହିଳା ଏକକରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଆରୢାନା ସାବାଲେଙ୍କା ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ଚୀନ୍ର ସୁଆଇ ଝାଙ୍ଗ୍, ତୁନିସିଆର ଅନ୍ସ ଜାବେଉର ଏବଂ ଆମେରିକାର ସୋଫିଆ କେନିନ୍ ବିଜୟ ଧାରା ଜାରି ରଖି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଝାଙ୍ଗ୍ ୭-୬ ଓ ୭-୫ ସେଟ୍ରେ ବୁରେଲଙ୍କୁ ପରାସ୍ତ କରିଥିଲା ବେଳେ ଚତୁର୍ଥ ମାନ୍ୟତାପ୍ରାପ୍ତ ସୋଫିଆ ୬-୨ ଓ ୬-୦ରେ ରୋମାନିଆର ଈରିନା ବାରାଙ୍କୁ ଏବଂ ୩୦ ମାନ୍ୟତାପ୍ରାପ୍ତ ଜାବେଉର ୭-୬, ୨-୬, ୬-୩ରେ ସାବାଲେଙ୍କାଙ୍କୁ ପରାସ୍ତ କରି ଦେଇଛନ୍ତି।