ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ପରାସ୍ତ

ରାଞ୍ଚି: ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିବା ପରେ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡଠୁ ଭାରତ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଛି। ଶୁକ୍ରବା‌ର ରାଞ୍ଚିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୧ ରନ୍‌ରେ ଘରୋଇ ଦଳକୁ ମାତ୍‌ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୬ ୱିକେଟ୍‌ ବିନିମୟରେ ୧୭୬ ରନ୍‌ କରିଥିଲା। ଫିନ୍‌ ଆଲେନ୍‌ ଓ ଭଲ ଲୟରେ ଥିବା ଡେଭନ୍‌ କନୱେ ଆରମ୍ଭରୁ ୧୦.୦୦ ହାରରେ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ୱାସିଂଟନ୍‌ ସୁନ୍ଦର ଯୋଡ଼ି ଭାଙ୍ଗିବା ସହ ରନ୍‌ ଗତିକୁ ଧୀମା କରିଥିଲେ। ଗୋଟିଏ ଓଭରରେ ଆଲେନ୍‌ ଓ ମାର୍କ ଚାପମ୍ୟାନ୍‌ଙ୍କୁ ସେ ଆଉଟ୍‌ କରି ପାୱାରପ୍ଲେ ମଧ୍ୟରେ ଭାରତକୁ ଦ୍ବୈତ ସଫଳତା ଦେଇଥିଲେ। କନ୍‌ୱେଙ୍କ ସହ ମିଶି ଗ୍ଲେନ୍‌ ଫିଲିପ୍ସ ଦଳକୁ ଶହେ ପାର୍‌ କରାଇଥିଲେ।

ଅର୍ଦ୍ଧଶତକ ଅର୍ଜନ କରିସାରିଥିବା କନୱେ ସ୍ଲଗ୍‌ ଓଭରରେ ମହଙ୍ଗା ବୋଲର ଅର୍ଶଦୀପଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ଅନ୍ୟପଟରେ ଡାରେଲ୍‌ ମିଚେଲ୍‌ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ସହ ୩ ଚୌକା ଓ ୫ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରି ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ୧୭୭ ରନ୍‌କୁ ପିଛା କରିବାକୁ ଯାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୯ ୱିକେଟ୍‌ ବିନିମୟରେ ୧୫୫ ରନ୍‌ କରିପାରିଥିଲା। ୧୫ ରନ୍‌ ମଧ୍ୟରେ ଶୀର୍ଷ ୩ ବ୍ୟାଟର ଆଉଟ ହେବା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ପାଳିକୁ ସମ୍ଭାଳିଥିଲେ। ୱାସିଂଟନ୍‌ ସୁନ୍ଦର ଟ୍ବେଣ୍ଟି-୨୦ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ଜିତାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇନଥିଲା।

ସମ୍ବନ୍ଧିତ ଖବର