ଭାରତୀୟ ଦଳକୁ ଅମରନାଥଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତକୁ ୧୯୮୩ ମସିହାରେ ବିଶ୍ବକପ୍‌ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ମହିନ୍ଦର ଅମରନାଥ ଗୁରୁବାର ବିରାଟ‌ କୋହଲିଙ୍କ ଦଳକୁ ପରାମର୍ଶ ଦେଇଛନ୍ତି। ଜଣେ ଅସଲି ଅଲରାଉଣ୍ଡର୍‌ ହିଁ ଭାରତୀୟ ଦଳର ସନ୍ତୁଳନ ରକ୍ଷା କରିପାରିବ। ସେ ହିଁ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ କରିବା ଉଚିତ୍‌। ୧୯୮୩ ବିଶ୍ବକପ୍‌ର ସେମିଫାଇନାଲ୍‌ ଏବଂ ଫାଇନାଲରେ ଶ୍ରେଷ୍ଠ ଖେଳାଳି ବିବେଚିତ ଅମରନାଥଙ୍କ ପ୍ରଦର୍ଶନ ଜରିଆରେ ଭାରତ କ୍ଲାଇବ୍‌ ଲୟଡଙ୍କ ୱେଷ୍ଟଇଣ୍ଡିଜ୍ ଦଳକୁ ହ୍ୟାଟ୍ରିକ୍ ମୁକୁଟ ହାସଲରୁ ବଞ୍ଚିତ ରଖିଥିଲା। ‘ତୁମ ପାଖରେ ଯଦି ୨/୩ ଜଣ ଅଲରାଉଣ୍ଡର୍‌ ଅଛନ୍ତି ତେବେ ଦଳର ସନ୍ତୁଳନ ନିଶ୍ଚିତ ଭଲ ରହିବ’। ଏହା ମଧ୍ୟ ଦଳରେ ତୁମକୁ ଅନ୍ୟ ପସନ୍ଦ‌ଯୋଗ୍ୟ ଖେଳାଳିଙ୍କୁ ନେବା‌ରେ ସୁଯୋଗ ଦେଇପାରିବ। ଅମରନାଥ ନିଜେ ମଧ୍ୟମଗତି ବୋଲିଂ କରିବା ସହିତ ଜଣେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ଭାବେ ଉଭା‌ ହୋଇଥିବାରୁ ଭାରତ ୩୬ ବର୍ଷ ତଳେ ପ୍ରଥମ ଥର ବିଶ୍ବକପ୍‌ ବିଜେତା ହୋଇଥିଲା। କିନ୍ତୁ ଜଣେ ଅଲରାଉଣ୍ଡର୍ ନିଜକୁ ମାମୁଲି ଖେଳାଳି ଭାବିବା ଉଚିତ୍ ନୁହେଁ। ଇଂଲଣ୍ଡରେ ପାଗ ବି ମ୍ୟାଚ୍‌ରେ ପ୍ରଭାବୀ ଭୂମିକା ତୁଲାଇବ। ସେଠାରେ ଆଉ ଆଗ ଭଳି ଘାସୁଆ ୱିକେଟ୍‌ ନାହିଁ, ଧଳା ବଲ୍‌ ସେତେଟା ସୁଇଙ୍ଗ୍‌ ହେବ ନାହିଁ ବୋଲି ଅମରନାଥ କହିଛନ୍ତି। ଦଳର ଚତୁର୍ଥ କି ପଞ୍ଚମ ବୋଲର ଜଣକ ଅଲରାଉଣ୍ଡର୍‌ ହେବେ ସେଭଳି କିଛି ନୁହେଁ। ତୃତୀୟ ତଥା ନିୟମିତ ବୋଲର ବି ଅଲରାଉଣ୍ଡର୍ ଭୂମିକା ତୁଲାଇପାରିବ ବୋଲି ୬୮ ବର୍ଷୀୟ ଅମରନାଥ କହିଥିଲେ।

ଭାରତ ନିଜର ୧୫ ଜଣିଆ ଦଳରେ ୩ ଜଣ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ନେଇଛି। ପାଣ୍ଡ୍ୟା ତାଙ୍କ ଆଇପିଏଲ୍‌ ଫର୍ମକୁ ବିଶ୍ବକପ୍‌ରେ ଜାରି ରଖିବେ ବୋଲି ମଧ୍ୟ ଦଳ ଆଶା ରଖିଛି। ଭାରତ ପାଇଁ ୬୯ ଟେଷ୍ଟ୍ ଏବଂ ୮୫ ଦିନିକିଆ ଖେଳିଥିବା ଅମରନାଥ କହିଛନ୍ତି, ସୀମିତ ଓଭର କ୍ରିକେଟ୍‌ ବଦଳିଗଲାଣି। ୧୦ରୁ ୪୦ ଓଭର ମଧ୍ୟରେ ୩୦ ଗଜ ବା‌ହାରେ ମାତ୍ର ୪ ଜଣ କ୍ଷେତ୍ରରକ୍ଷକ ରଖାଯିବା ନିୟମ ଅଧିନାୟକଙ୍କ ପାଇଁ କଷ୍ଟକର ହେଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର