ଅଲିମ୍ପିକ୍ସରେ ଆଶ୍ଚର୍ଯ୍ୟ: ଅଭିଜ୍ଞ ବିଦା, ନୂଆ ଚେହେରାଙ୍କ କୃତିତ୍ବ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଆମେରିକାର ଜିମ୍ନାଷ୍ଟ ସିମୋନ ବିଲ୍ସ ମହିଳା ଦଳଗତ ଇଭେଣ୍ଟରୁ ବାଦ୍‌ ପଡ଼ିଛନ୍ତି। କେବଳ ସେ ଏକା ନୁହଁନ୍ତ ଏଥର ଅଲିମ୍ପିକ୍ସରେ ଏମିତି ଏକାଧିକ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଆସନ୍ତୁ ସେଭଳି କିଛି ଆଶ୍ଚର୍ଯ୍ୟଜନକ ବିପର୍ଯ୍ୟୟ ଉପରେ ନଜର ପକାଇବା।

ବାଇଲ୍ସ ବାଦ୍‌
ବିଶ୍ବ ତଥା ଅଲିମ୍ପିକ୍ସରେ ୬ ଥରର ସ୍ବର୍ଣ୍ଣ ପଦକ ବିଜୟିନୀ ସିମୋନ ବାଇଲ୍ସ ଦଳଗତ ଇଭେଣ୍ଟରୁ ବାଦ୍‌ ପଡ଼ିବା ପରେ ଗ୍ୟାଲେରିରେ ଦର୍ଶକ ହୋଇ ଖେଳ ଦେଖୁଛନ୍ତି। ଯାହାଫଳରେ ଏଥର ଆମେରିକା ତା’ର ପଦକକୁ ଋଷ୍‌ ହାତକୁ ଟେକିଦେଇଥିଲା। ‌ସ୍ବାସ୍ଥ୍ୟଗତ କାରଣରୁ ବାଇଲ୍ସ ଦଳରୁ ଓହରିଯାଇଥିବା ଆମେରିକା ଜିମ୍ନାଷ୍ଟିକ୍ସ ପକ୍ଷରୁ କୁହାଯାଇଛି। ତେଣୁ ଆଗକୁ ତାଙ୍କର ଅନ୍ୟାନ୍ୟ ଇଭେଣ୍ଟଗୁଡ଼ିକରେ ଭାଗ ନେବା ଅନିଶ୍ଚିତ ହୋଇଯାଇଛି।

ନାଓମି ଓସାକା
ଜାପାନର ଟେନିସ ସୁପରଷ୍ଟାର ନାଓମି ଓସାକା ମଙ୍ଗଳବାର ତୃତୀୟ ରାଉଣ୍ଡରୁ ବିଦା ହୋଇଛନ୍ତି। ଏହି ରାଉଣ୍ଡରେ ସେ ସିଧାସଳଖ ସେଟ୍‌ରେ ମାର୍କେଟା ଭଣ୍ଡ୍ରୋସୋଭାଙ୍କଠୁ ପରାସ୍ତ ହୋଇଥିଲେ। ତିନିବର୍ଷ ଧରି ସେ ଅବସାଦ ମଧ୍ୟରେ ରହୁଥିବାରୁ ତାଙ୍କ ପାଇଁ ଖେଳିବା କଷ୍ଟକର ହୋଇପଡ଼ିଥିଲା ବୋଲି ସେ ପ୍ରତିକ୍ରିୟା ରଖିଥିଲେ। ପୂର୍ବରୁ ସେ ଅଲିମ୍ପିକ୍ସ ଖେଳିନଥିଲା ବେଳେ ଏଠାରେ ତାଙ୍କ ଉପରେ ଅଧିକ ଚାପ ରହିଥିବା ଅନୁଭବ କରିଥିଲେ।

ଆସ୍‌ଲେ ବାର୍ଟି
ଟେନିସ୍‌ରେ ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଆସ୍‌ଲେ ବାର୍ଟି ରବିବାର ପ୍ରତିଯୋଗିତାରୁ ଆଉଟ ହୋଇଛନ୍ତି। ଦୁଇଥରର ଗ୍ରାଣ୍ଡସ୍ଲାମ ବିଜେତା ତଥା ନିକଟରେ ୱିମ୍ବଲଡନ କୀର୍ତ୍ତି ସତ୍ତ୍ବେ ମହିଳା ଏକକରେ ୪୮ତମ ମାନ୍ୟତାପ୍ରାପ୍ତ ସାରା ରୋସିବ୍‌ସ ଟର୍ମୋଙ୍କଠୁ ୬-୪, ୬-୩‌ ସେଟ୍‌ରେ ପରାସ୍ତ ହୋଇଥିଲେ। ନିଜର ଏକାଧିକ ତ୍ରୁଟି ପାଇଁ ସେ ଏହି ମ୍ୟାଚ୍‌ରେ ପରାଜିତ ହୋଇଥିବା ବାର୍ଟି ସ୍ବୀକାର କରିଥିଲେ।

ଚୀନ୍‌ର ଅବିଶ୍ବସନୀୟ ପରାଜୟ
ଚୀନ୍‌ର ଟେବୁଲ ଟେନିସ ଯୋଡ଼ି ଜୁ ଜିନ୍‌ ଓ ଲିଉ ସିୱେନ ଖୁବ୍‌ କମ୍‌ ବ୍ୟବଧାନରେ ଜାପାନର ଜୁନ୍‌ ମିଜୁତାନି ଓ ମିମା ଇଟୋଙ୍କଠୁ ସୋମବାର ପରାସ୍ତ ହୋଇଥିଲେ। ୧୯୮୮ ମସିହାରୁ ଅଲିମ୍ପିକ୍ସରେ ସାମିଲ ହେବା ପରଠୁ ଟେବୁଲ ଟେନିସ୍‌ରେ ଚୀନ୍‌ ସବୁଠୁ ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହୋଇଆସୁଥିଲା। ଏପରିକି ଚୀନ୍‌ ମଧ୍ୟ ୩୨ରୁ ୨୮ଟି ସ୍ବର୍ଣ୍ଣ ଅକ୍ତିଆର କରିସାରିଛି। ମହିଳା ଏକକର ସମସ୍ତ ସ୍ବର୍ଣ୍ଣ ପଦକ ମଧ୍ୟ ଚୀନ୍‌ ପାଖରେ ଅଛି। କିନ୍ତୁ ଜୁ ଓ ଲିଉ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ଟ୍ୟୁନିସିଆର ବଡ଼ ବିପର୍ଯ୍ୟୟ
ଟ୍ୟୁନିସିଆର ସନ୍ତରଣକାରୀ ୧୮ ବର୍ଷିୟ ଅହମ୍ମଦ ହାଫନାୱି ପୁରୁଷ ୪୦୦ ମିଟର ଫ୍ରି ଷ୍ଟାଇଲରେ ବଡ଼ ବିପର୍ଯ୍ୟୟ କରିଛନ୍ତି। ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆର ଜାକ୍‌ ମ୍ୟାକ୍‌ଲଫଲିନ୍‌ ଓ ଆମେରିକାର କାଇରନ ସ୍ମିଥ୍‌ଙ୍କୁ ପଛରେ ପକାଇ ଫାଇନାଲ୍‌‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ତାଙ୍କ ପ୍ରଦର୍ଶନ ଜରିଆରେ ଆମେରିକାର ପଦକ ମେସିନ୍‌ କୁହାଯାଉଥିବା ମାଇକେଲ ଫେଲ୍‌ପଙ୍କ ସମକକ୍ଷ ହୋଇପାରିଛନ୍ତି।

ଶିକ୍ଷକଙ୍କର ପ୍ରଥମ ସ୍ବର୍ଣ୍ଣ

ଅଷ୍ଟ୍ରିଆର ମହିଳା ସାଇକେଲ ଚାଳକ ଆନ୍ନା କାଇସେନ‌ହଫର ପ୍ରଥମ ଥର ପାଇଁ ନିଜ ଇଭେଣ୍ଟରେ ବିଜେତା ହୋଇଥିଲା ବେଳେ ତାଙ୍କ ପଛକୁ ନେଦରଲାଣ୍ଡର ୪ ଜଣିଆ ମହିଳା ଦଳ ତୃତୀୟ ସ୍ବର୍ଣ୍ଣ ଦିଗରେ ଅଗ୍ରସର ହେଉଥିଲେ ବି ଆନ୍ନା ସେମାନଙ୍କୁ ପଛରେ ପକାଇଦେଇଥିଲେ। ଏହାଦ୍ବାରା ଅଷ୍ଟ୍ରିଆ ୧୮୯୬ ପରଠୁ ଅଲିମ୍ପିକ୍ସରେ ସାମିଲ ହୋଇଥିବା ସାଇକେଲ ଚାଳନାରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିପାରିଛି। ଫଳରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅାନ୍ନାଙ୍କୁ ତାଙ୍କ ଶ୍ରେଣୀରେ ପାଠ ପଢାଇବାକୁ ନୂଆ ବିଷୟ ମିଳିଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର