ଆମିର-ରୋହିତ ମୁକାବିଲା ବେଶ୍‌ ରୋଚକ ହେବ

ସୁନୀଲ ଗାଭାସ୍କର

ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ କ୍ରିକେଟ୍‌ ଲଢ଼େଇ ହାତ ପାହାନ୍ତାରେ ପହଞ୍ଚିଛି। ଏଭଳି ବୃହତ୍‌ ଏବଂ ମହତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ବେଳେବେଳେ ଛୋଟଛୋଟ କଥା ମୁଖ୍ୟ ଚର୍ଚାର ବିଷୟ ପାଲଟିଥାଏ। ବିରାଟ କୋହଲିଙ୍କ ଅନୁପସ୍ଥିତି, ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ଗସ୍ତରେ ଭାରତର ପ୍ରଦର୍ଶନ, ଭାରତ ଦୁଇ ଦିନରେ ଦୁଇଟି ଦିନିକିଆ ଖେଳିବା, ମରୁଭୂମି ତାତି ଏବଂ ଆର୍ଦ୍ରତାକୁ ନେଇ ଅଧିକ ଚର୍ଚା ଚାଲିଛି। ମ୍ୟାଚ୍‌କୁ ନେଇ ତୁଳନାତ୍ମକ ଭାବେ କମ୍‌ ତର୍କ ବିତର୍କ ହେଉଛି।
ଭାରତ ଡିଫେଣ୍ଡିଂ ଚାମ୍ପିଅନ୍‌ ହୋଇଥିବାରୁ ପସନ୍ଦର ଦଳ ଭାବେ ଅଭିଯାନ ଆରମ୍ଭ କରିବା କଥା। ହେଲେ ଇଂଲଣ୍ଡ ଗସ୍ତର ଦୁର୍ବଳ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷତା ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ। ସେଥିପାଇଁ ଇଂଲଣ୍ଡ ଗସ୍ତରେ ଅତି ସାଧାରଣ କ୍ରିକେଟ୍‌ ଖେଳିଥିବା କେତେକ ଭାରତୀୟ ଖେଳାଳି ଯେତେଶୀଘ୍ର ଲୟକୁ ଫେରିବେ ଭାରତ ପାଇଁ ସେତେ ଭଲ। ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି ଓ ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳି ବେଶ୍‌ କିଛି ଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନାହାନ୍ତି। ଏଣୁ ହଠାତ୍‌ ସେମାନଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନର ଆଶା କରାଯାଇ ନପାରେ। ଦୁବାଇ ପାଗ କିନ୍ତୁ ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇପାରେ। କାରଣ ଇଂଲଣ୍ଡ ଭଳି ଏଠାରେ ଭାରତୀୟ ବୋଲର ଲମ୍ବା ସ୍ପେଲ୍‌ ପକାଇବା ନେଇ ଆଶଙ୍କା ରହିଛି। ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଦୌଡ଼ିକି ୨ କିମ୍ବା ୩ ରନ୍‌ ନେବା ଆଦୌ ସହଜ ହେବନି। ସେଥିପାଇଁ
ଏଠାରେ କୌଣସି ଖେଳାଳି ଦ୍ୱିଶତକ ଅର୍ଜନ କରିବାର ସମ୍ଭାବନା ନାହିଁ କହିଲେ ଚଳେ।
ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇଥିବାରୁ ପାକିସ୍ତାନ ପାଇଁ ମନସ୍ତତ୍ୱିକ ଲାଭ ରହିବ। ସେହି ମ୍ୟାଚ୍‌ରେ ପାକିସ୍ତାନ ଜବରଦସ୍ତ କ୍ରିକେଟ୍‌ ଖେଳିଥିଲା। ସେମାନଙ୍କ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲର ଭାରତକୁ ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ। ୟୁଏଇ ମଧ୍ୟ ପାକିସ୍ତାନର ଘରୋଇ ପଡ଼ିଆ ଭଳି। ପାକିସ୍ତାନ ଏଠାକାର ପରିବେଶକୁ ଭଲ ଭାବରେ ଜାଣିଛି। ନିକଟ ଅତୀତରେ ମଧ୍ୟ ସେମାନେ ବହୁତ ଭଲ କ୍ରିକେଟ୍‌ ଖେଳିଛନ୍ତି। ପାକିସ୍ତାନ ପାଖରେ ବି ଏକ ସନ୍ତୁଳିତ ଦଳ ରହିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।
ନିଜ ଚୟନକୁ ସାର୍ଥକ କରିବା ଲାଗି ଏହି ପ୍ରତିଯୋଗିତା ଶିଖର ଧାଓ୍ଵନଙ୍କୁ ଆଉ ଏକ ସୁଯୋଗ ଦେଇଛି। ଧଳା ବଲ୍‌ରେ ସେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଇଂଲଣ୍ଡରେ ଦୟନୀୟ ପ୍ରଦର୍ଶନ କରିବା ପରେ ଲାଲ ବଲ୍‌ କ୍ରିକେଟ୍‌ରେ ତାଙ୍କ ପାଇଁ ଧୀରେଧୀରେ କବାଟ ବନ୍ଦ ହୋଇ ଆସୁଛି। ଟେଷ୍ଟ ଦଳରୁ ବାଦ୍‌ ପଡ଼ିବା ପରେ ରୋହିତ ଶର୍ମା ଚୟନକର୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ବ୍ୟଗ୍ର ଥିବେ। ଭଲ ଆରମ୍ଭ ପାଇଲେ ଭାରତ ୩୦୦ ରନ୍‌ ପାଖରେ ପହଞ୍ଚିପାରିବ। ହେଲେ ଏଥିଲାଗି ସେମାନଙ୍କୁ ମହମ୍ମଦ ଆମିରଙ୍କ ଅଗ୍ନିବର୍ଷୀ ବୋଲିଂକୁ ପ୍ରତିହତ କରିବାକୁ ପଡ଼ିବ। ପ୍ରଥମ ଦୁଇ ତିନି ଓଭରରେ ଆମିର ରୋହିତଙ୍କୁ ପାଭିଲିୟନ ଫେରାଇବା ଯୋଜନାରେ ଥିବେ। ଚାମ୍ପିଅନ୍ସ ଟ୍ରଫି ଫାଇନାଲର ସ୍ମରଣୀୟ ଶତକ ପରେ ଫକର ଜମନ ହିଁ ଭାରତର ପ୍ରମୁଖ ଶତ୍ରୁ ହେବେ। ପାକିସ୍ତାନ ପାଖରେ ଭଲ ବ୍ୟାଟ୍ସମ୍ୟାନ୍‌ ଏବଂ ସ୍ପିନର ମଧ୍ୟ ଅଛନ୍ତି। ଏହି ମ୍ୟାଚ୍‌ର ବିଜେତା କିଏ ହେବ ତା’ର ପୂର୍ବାନୁମାନ ଲଗାଇବା ବଡ଼ କଷ୍ଟକର। ହେଲେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଯେଉଁ ଦଳ ଶାନ୍ତ ରହିବ ଏବଂ ଭଲ କ୍ଷେତ୍ରରକ୍ଷଣ କରିବ, ସେ ହିଁ ବିଜୟୀ ହେବ। (ପିଏମଜି/ଇଏସ୍‌ପି)

ସମ୍ବନ୍ଧିତ ଖବର